ଶିମିଳିପାଳ ହାତୀ ଶିକାର ମାମଲାରେ ପିସିସିଏଫ ଓ ଜେଟିଏଫଙ୍କୁ ଭର୍ତ୍ସନା କଲେ ହାଇକୋର୍ଟ | News Room Odisha

ଶିମିଳିପାଳ ହାତୀ ଶିକାର ମାମଲାରେ ପିସିସିଏଫ ଓ ଜେଟିଏଫଙ୍କୁ ଭର୍ତ୍ସନା କଲେ ହାଇକୋର୍ଟ

କଟକ – ହାଇକୋର୍ଟରେ ଶିମିଳିପାଳ ହାତୀ ମୃତ୍ୟୁ ମାମଲା । ଏ ନେଇ ଆଗତ ପିଟିସନର ଶୁଣାଣି କରିଛନ୍ତି ହାଇକୋର୍ଟ । ହାତୀ ମୃତ୍ୟୁ ନେଇ ପିସିସିଏଫ୍ ଓ ଜେଟିଏଫଙ୍କୁ ଭର୍ତ୍ସନା କରିଛନ୍ତି ହାଇକୋର୍ଟ । ତିନି ବହିଷ୍କୃତ କର୍ମଚାରୀଙ୍କ ନାଁରେ କାହିଁକି ଏତଲା ହୋଇନି ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ । ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଶୁଣାଣି ବେଳେ ହାତୀକୁ ବନ କର୍ମଚାରୀ ମାରିଥିବା ସ୍ବୀକାର କରିଛନ୍ତି ପିସିସିଏଫ ।

କିଛି ଦିନ ତଳେ ଏକ ଦନ୍ତାହାତୀକୁ ମାରି ଶିକାରୀମାନେ ଦାନ୍ତ କାଟି ନେଇଥିଲେ । ଘଟଣାକୁ ଚାପି ଦେବାକୁ ଉଦ୍ୟମ କରି ବନ କର୍ମଚାରୀମାନେ ମଲାହାତୀକୁ ପୋଡ଼ି ଦେହାବଶେଷକୁ ନଦୀରେ ଭସାଇ ଦେଇଥିବା ଶିମିଳିପାଳ ବନବାସୀ ଏ ସଂକ୍ରାନ୍ତରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।

ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବକୁଆ ଗ୍ରାମବାସୀଙ୍କ ସୂଚନା ମୁତାବକ, ଜେନାବିଲ ରେଞ୍ଜରେ ଗତ ୭ ତାରିଖରେ ଏକ ଦନ୍ତାହାତୀକୁ ଶିକାର କରାଯାଇଥିଲା। କିଛି ବନ କର୍ମଚାରୀ ନିଜ ଦୋଷକୁ ଲୁଚାଇବା ପାଇଁ ହାତୀ ଭଳି ବିରାଟ ଜୀବର ମୃତଦେହକୁ ଗାଏବ କରିଦେବାକୁ ଯୋଜନା କରିଥିଲେ। ସେମାନେ ପ୍ରଥମେ ମୃତଦେହକୁ କୌଣସି ପ୍ରକାରେ ପୋଡ଼ି ଦେଇଥିଲେ। ବାକି ଯାହା ହାଡ଼ ଓ ଦେହାବଶେଷ ରହିଥିଲା, ତାକୁ ନେଇ ନିକଟସ୍ଥ ନଦୀରେ ଫିଙ୍ଗି ଦେଇଥିଲେ। ଗାଁ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଏ ନେଇ ବନ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।