ଟ୍ରକ୍ ଧକ୍କାରେ ମା’ ମୃତ, ବାପା ସହ ପୁଅ ଝିଅ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ବୁଦିଲିପଦର ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଲଙ୍କାଗଡ଼ ଗ୍ରାମର ବୈଦି ପରାସେଠଙ୍କ ଜୀବନ ଯାଇଥିଲା ବେଳେ ବାପା ଥଣ୍ଡା ପରାସେଠ୍, ପୁଅ ରାଜା ଓ ଝିଅ ମମତା ଗୁରୁତର ହୋଇଛନ୍ତି। ଥଣ୍ଡା, ବୈଦିକ ପୁଅ ଓ ଝିଅ ସହ ଗୋଟିଏ ମୋଟରସାଇକେଲରେ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିଲେ। ତୁମୁଡ଼ିବନ୍ଧ ନିକଟ ବୁଦିଲିପଦର ଘାଟିରେ ଏକ ଟ୍ରକ୍ ସେମାନଙ୍କ ମୋଟରସାଇକେଲକୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ଘଟଣାସ୍ଥଳରେ ମାଆଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ବର୍ତ୍ତମାନ ବାପା, ପୁଅ ଓ ଝିଅ ଚିକିତ୍ସାଧୀନ ରହିଛନ୍ତି। ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍ କାବୁ କରିଥିଲେ ହେଁ ଉତ୍ତ୍ୟକ୍ତ ଅଞ୍ଚଳବାସୀ ଡାକ୍ତରଖାନା ଆଗରେ ରାସ୍ତାରୋକ କରିଥିଲେ। ପୋଲିସ ବୁଝାସୁଝା ପରେ ସେମାନେ ଆନ୍ଦୋଳନରୁ ଓହରି ଯାଇଥିଲେ।

Comments are closed.