ମୋ ସ୍କୁଲ୍ ଅଭିଯାନ’କୁ ବ୍ୟାପକ କରିବାକୁ ଆହ୍ୱାନ

ଭୁବନେଶ୍ୱର: ଭୁବନେଶ୍ଵର କୃଷି ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କ ଦ୍ୱିତୀୟ ଦିନ ତାଲିମ ଶିବିରରେ ଆୟୋଜିତ ହୋଇଛି । ଶିବିରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଆଶ୍ରଥୀ ଏସ୍ . ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ କରିବାକୁ ସମସ୍ତ ବ୍ଲକ୍ ଓ ଜିଲ୍ଲା ଶିକ୍ଷାଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିକ୍ଷଣ ଫଳାଫଳକୁ ଅଧିକ ତ୍ଵରାନ୍ଵିତ କରିବା ପାଇଁ ‘ ବ୍ୟାକ୍ ଟୁ ଏକାଡେମିକ୍ସ ’ ଉପରେ ଫୋକସ୍ କରିବାକୁ ସେ ଆହ୍ୱାନ ଦେଇଥିଲେ । ସରକାରୀ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆମର ଏକମାତ୍ର ଲକ୍ଷ୍ୟ ଏବଂ ଏହି ଲକ୍ଷ୍ୟ ହାସଲ ଦିଗରେ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବାକୁ କହିଥିଲେ । ଶିକ୍ଷକମାନଙ୍କୁ ପ୍ରୋତ୍ସାହିତ କରିବା ସହ ନିଜେ ପ୍ରୋତ୍ସାହିତ ହେବାକୁ ସେ ଉପସ୍ଥିତ ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଓଡ଼ିଶା । ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଫିଲ୍ଡ ମନିଟରିଂ ଉପରେ ଗୁରୁତ୍ଵ ଦେଇଥିଲେ । କେବଳ ସମସ୍ୟା ସମ୍ପର୍କରେ ଅଭିଯୋଗ ନ କରି ତାହାର ସମାଧାନ କରିବା ଦିଗରେ କରିବାକୁ ସେ ସମସ୍ତ ଶିକ୍ଷା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ ଶିକ୍ଷା ଅଧିକାରୀ ଓ ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସେମାନଙ୍କ ଅଫିସରେ ପଡ଼ି ରହିଥିବା ବିଭିନ୍ନ କୋର୍ଟ କେସ୍ , ପେନ୍‌ସନ୍ ମାମଲା , ଚାକିରି ମାମଲା , ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି , ଶିକ୍ଷାନୁଷ୍ଠାନର ରକ୍ଷଣା ବେକ୍ଷଣ ଦାୟିତ୍ଵ ସମ୍ବନ୍ଧରେ ବକ୍ତବ୍ୟ ରଖ୍ ଏସବୁ କାର୍ଯ୍ୟର ସୂଚାରୁ ପରିଚାଳନା ନିମନ୍ତେ ବିହିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ଅର୍ଥ ପରାମର୍ଶଦାତା ରତିକାନ୍ତ ମହାପାତ୍ର ଓ ରାଜ୍ୟ ଅର୍ଥ ନିୟନ୍ତ୍ରକ ଅଶୋକ କୁମାର ମହାନ୍ତି ସମସ୍ତ ଅଧିକାରୀଙ୍କୁ ପେନ୍‌ସନ୍‌ ସଂପର୍କିତ ବିଷୟଗୁଡ଼ିକ କିପରି ଶୀଘ୍ର ଫଇସଲା କରାଯାଇପାରିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ‘ ମୋ ସ୍କୁଲ୍ ଅଭିଯାନ’ର ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା , ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶକୁ ଆହୁରି ଉନ୍ନତ କରିବାକୁ ‘ ମୋ ସ୍କୁଲ୍ ଅଭିଯାନ’କୁ ଅଧିକରୁ ଅଧିକ ବ୍ୟାପକ କରିବାକୁ କହିଥିଲେ । ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଭାଗିତାରେ ଶିକ୍ଷାନୁଷ୍ଠାନ ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ କରିବାକୁ ସେ ଆହ୍ଵାନ ଦେବା ସହ ଗୋଷ୍ଠୀ ସହଭାଗିତାରେ କିଭଳି ଶିକ୍ଷାର ଗୁଣାତ୍ମକ ମାନକୁ ବୃଦ୍ଧି କରାଯାଇପାରିବ ତାହା ଉପରେ ବକ୍ତବ୍ୟ ରଖିଥିଲେ ।

ସେହିଭଳି ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ‘ ୫ – ଟି ହାଇସ୍କୁଲ୍ ଟ୍ରାନ୍ସଫରମେଶନ ’ କାର୍ଯ୍ୟକ୍ରମ ସମ୍ପର୍କରେ କହିବା ସହ ଏହା ଅଧୀନରେ ସୃଷ୍ଟି ହୋଇଥିବା ଡିଜିଟାଲ ଭିଭିଭୂମି ଓ ଉପକରଣର ସଫଳ ଉପଯୋଗ ଦ୍ଵାରା ଶିକ୍ଷାଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସେ କହିଥିଲେ । ନିୟମିତ ମନିଟରିଂ ଦ୍ଵାରା ସ୍ମାର୍ଟ କ୍ଲାସ୍‌ରୁମ୍ , ଇ – ଲାଇବ୍ରେରୀ , ଡିଜିଟାଲ ଲାବୋରେଟୋରୀ ର ସଠିକ୍ ବ୍ୟବହାର ସୁନିଶ୍ଚିତ କରିବାକୁ ସେ ଉପସ୍ଥିତ ଜିଲ୍ଲା ଓ ବ୍ଲକ୍‌ ଶିକ୍ଷାଅଧିକାରୀମାନଙ୍କୁ କହିଥିଲେ ।

Comments are closed.