ବରଗଡ଼ : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ଵେଚ୍ଛାସେବୀ ତଥା ଟ୍ୱିଟର୍ ଦୀପା ବାରିକ ଝାରବନ୍ଧ ତଥା ପାଇକମାଳ ଅଞ୍ଚଳର ମୌଳିକ ସମସ୍ୟାଗୁଡ଼ିକର ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିବା ବେଳେ ଅନେକ ସମସ୍ୟାର ସମାଧାନ ହୋଇସାରିଛି । ଯାହାଦ୍ୱାରା ଅଞ୍ଚଳର ଲୋକେ ଉପକୃତ ହେଉଛନ୍ତି । ଏହିକ୍ରମରେ ଗତ ଉପନିର୍ବାଚନ ପୂର୍ବରୁ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାରବନ୍ଧ ବ୍ଲକର ଧନେଶ୍ବର ଗ୍ରାମରୁ ବୈତାଳି ଗ୍ରାମକୁ ଏକ ବିଜୁ ସେତୁ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିବେଦନ କରିଥିଲେ । ଉପନିର୍ବାଚନ ଯୋଗୁଁ ଆଦର୍ଶ ଆଚରଣବିଧି ଲାଗୁହେବା ଯୋଗୁଁ ଅଫିସ କାମ ପ୍ରଗତି ହେଇପାରୁ ନ ଥିଲା । କିନ୍ତୁ ବର୍ତ୍ତମାନ ତାହା ସୂଚାରୁରୂପେ ଚାଲୁଛି।
ଦୀପାଙ୍କ ଅନୁରୋଧକୁ ରକ୍ଷା କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବରଗଡ଼ ଜିଲ୍ଲାପାଳଙ୍କ ଦ୍ଵାରା ଝାରବନ୍ଧ ବିଡିଓଙ୍କ ମାଧ୍ୟମରେ ତଦନ୍ତ କରାଯାଇ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରାଯାଇଛି । ପ୍ରକୃତରେ ଏକ ବିଜୁ ସେତୁ ଆବଶ୍ୟକ ଅଛି ବୋଲି ଝାରବନ୍ଧ ବିଡିଓ ଉଲ୍ଲେଖ କରିବା ସହ ଏହାକୁ ଅନୁମୋଦନ କରିବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ କରିଛନ୍ତି ।
ସୂଚନାଯୋଗ୍ୟ ଯେ , ବର୍ଷା ଋତୁରେ ଧନେଶ୍ବର ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ ସବୁଦିନିଆ ରାସ୍ତା ଅଭାବରୁ ଏହି ଗ୍ରାମରେ ଲୋକେ ପୁଅ ଝିଅ ବାହାଘର ପାଇଁ ରାଜି ହୁଅନ୍ତିନାହିଁ । ବର୍ଷ ବର୍ଷର ପ୍ରତିଶ୍ରୁତି ପରେ ମଧ୍ୟ ଏହି ଗାଁକୁ ରାସ୍ତା ହେଇପାରୁ ନ ଥିଲା । ଧନେଶ୍ବର ଗ୍ରାମବାସୀ ଟ୍ଵିଟର ଗାର୍ଲ ଦୀପା ବାରିକଙ୍କୁ ଅନୁରୋଧ କରିବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏ ସମ୍ପର୍କରେ ଟୁଇଟ ମାଧ୍ୟମରେ ଜଣାଇଥିଲେ। ବର୍ତ୍ତମାନ ସେଠାରେ ଏକ ସେତୁ ନିର୍ମାଣ ହେବା ଖବର ଶୁଣିବା ପରେ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏବଂ ଦୀପାଙ୍କ ଯୋଗୁଁ ଏହା ସମ୍ଭବ ହୋଇ ପାରିଥିବାରୁ ଉକ୍ତ ଜନମଙ୍ଗଳ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।