ନୟାଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ସିଏସ୍, କୁସୁମୀ ଜଳସେଚନ କାର୍ଯ୍ୟ ଖୁବଶୀଘ୍ର ଶେଷ ପାଇଁ ନିର୍ଦ୍ଦେଶ | News Room Odisha

ନୟାଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ସିଏସ୍, କୁସୁମୀ ଜଳସେଚନ କାର୍ଯ୍ୟ ଖୁବଶୀଘ୍ର ଶେଷ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ନୟାଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଶ୍ରୀ ମହାପାତ୍ର ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତକରି ସେଠାରେ ରୋଗୀମାନଙ୍କ ନିମନ୍ତେ ଉପଲବ୍ଧ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ପରେ ନିର୍ମାଣଧିନ କୁସୁମୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିଥିଲେ । ପ୍ରାୟ ତିନି ଶହ କୋଟି ଟଙ୍କା ବ୍ଯୟରେ ନିର୍ମିତ ଏହି ଜଳସେଚନ ପ୍ରକଳ୍ପ ଦ୍ବାରା ହଜାର ହଜାର ହେକ୍ଟର ଚାଷ ଜମି ଜଳସେଚନ କରାଯାଇପାରିବ । ଏହାର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବା ସହ ଜଳସେଚନ ପାଇଁ ପାଇପ ଲାଇନ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହାପରେ ମୁଖ୍ୟ ଶାସନ ସଚିବ ଶରଣକୁଳ ଝାଡେଶ୍ବରୀ ଇକୋ ଟୁରିଜିମ ପ୍ରକଳ୍ପ, ରାମସାଗର ପାର୍କ, ନନ୍ଦିଘୋର ସାଗର ପୋଖରୀ ଏବଂ ଓଡଗାଁସ୍ଥିତ ରଘୁନାଥଜୀଉ ମନ୍ଦିର ଗସ୍ତ କରିଥିଲେ । ରଘୁନାଥଜୀଉଙ୍କ ଦର୍ଶନ ପରେ ମନ୍ଦିର ଉନ୍ନତିକରଣ ନିମନ୍ତେ ସେବାୟତ ମାନଙ୍କ ବିଭିନ୍ନ ଦାବି ଉପରେ ସେମାନଙ୍କ ସହ ଆଲୋଚନା କରିଥିଲେ ।

ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ସମୟରେ ବିଧାୟକ ଡଃ ଅରୁଣ କୁମାର ସାହୁ, ଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର ନାଥ ସାହୁ, ବିଭାଗୀୟ ଅଧିକାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।