ରାଜ୍ୟ ସରକାରଙ୍କ ଷ୍ଟାର୍ଟ ଅପକୁ ପ୍ରୋତ୍ସାହନର ନଜିର: ଆଇଆଇଏମ୍ ପଢୁଆଙ୍କ ପାମ୍ପଡ ଓ ଆଚାର ଉଦ୍ୟୋଗ ଷ୍ଟାର୍ଟ ଅପ୍

ବ୍ରହ୍ମପୁର: ମୋ ଭଳି ଯୁବ ଉଦ୍ୟୋଗୀଙ୍କ ପାଇଁ ଓଡ଼ିଶା ରାଜ୍ୟରେ ଭରପୁର ସୁଯୋଗ ରହିଛି। ଓଡ଼ିଶା ସରକାର ଷ୍ଟାର୍ଟ-ଅପ୍‌କୁ ବେଶ୍ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ଏଭଳି ପ୍ରୋତ୍ସାହନ ଅନ୍ୟ କେଉଁ ରାଜ୍ୟରେ ଦେଖିବାକୁ ମିଳେ ନାହିଁ। ମୁଁ ନିଜେ ମଧ୍ୟ ଯଥେଷ୍ଟ ସରକାରୀ ସହାୟତା ପାଇଛି ଯାହା ଫଳରେ ମୋ ନିଜ ଷ୍ଟାର୍ଟ ଅପ୍ ଉଦ୍ୟୋଗ ପ୍ରତିଷ୍ଠା ହୋଇପାରିଛି। ବର୍ଷକରୁ କମ୍ ସମୟ ଭିତରେ ମୁଁ କେବଳ ଷ୍ଟାର୍ଟ-ଅପ୍ ପ୍ରତିଷ୍ଠା କରିଛି ତା‌ ନୁହେଁ ତିନୋଟି ବର୍ଗରେ ୩୦ରୁ ଅଧିକ ଜିନିଷର ଉତ୍ପାଦନ ଓ କାରବାର କରୁଛି। ଶୂନରୁ ଆରମ୍ଭ କରିଥିବା ବ୍ୟବସାୟ ଏବେ ଲକ୍ଷାଧିକ ଟଙ୍କାର ଟର୍ଣ୍ଣଓଭର୍‌ରେ ପହଞ୍ଚିଛି। ଖାଲି ସେତିକି ନୁହେଁ, ୨୫ ଜଣଙ୍କୁ କର୍ମନିଯୁକ୍ତି ମଧ୍ୟ ଦେଇପାରିଛି ମୋର ଏହି ଉଦ୍ୟୋଗ… ଏ ବକ୍ତବ୍ୟ ହେଉଛି ବ୍ରହ୍ମପୁରର ସତ୍ୟବ୍ରତ ମୁନିଙ୍କ ଯାହାଙ୍କ ପାମ୍ପଡ, ଆଚାର, ମସଲା ଓ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ସାମଗ୍ରୀର ଷ୍ଟଲ୍ ଏବେ ଗୋପାଳପୁର ବେଳାଭୂମି ମହୋତ୍ସବରେ ବେଶ୍ ଚର୍ଚ୍ଚାକୁ ଆସିପାରିଛି।

ସତ୍ୟବ୍ରତ ମୁନିଙ୍କ ବିଷୟରେ ଖାସ୍ କଥା ହେଉଛି ଯେ ସେ ହେଉଛନ୍ତି ଏହି ଷ୍ଟାର୍ଟ-ଅପ୍ ଉଦ୍ୟୋଗର ମୁଖ୍ୟ ନିର୍ବାହୀ ଅଧିକାରୀ। ଆଉ ସବୁଠୁ ବଡ଼ କଥା ହେଉଛି ଆଇଆଇଏମ୍ (ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍‌ମେଣ୍ଟ) ଅହମ୍ମଦାବାଦରୁ ଏମ୍‌ବିଏ ପାସ୍ ଆଉଟ୍ ସତ୍ୟବ୍ରତ ମହିନ୍ଦ୍ରା କମ୍ପାନୀର ମାସିକ ଲକ୍ଷାଧିକ ଟଙ୍କାର ଦରମା ସାଙ୍ଗକୁ ବିଭିନ୍ନ ସୁବିଧା ସୁଯୋଗକୁ ପଛରେ ପକାଇ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଷ୍ଟାର୍ଟ ଅପକୁ ପ୍ରୋତ୍ସାହନ ହେତୁ ନିଜର କମ୍ପାନୀ ଖୋଲିବା ନିଷ୍ପତ୍ତି ନେଇଥିଲେ ସେ। ଆଉ ସେହି କ୍ରମରେ ସେ ଏବେ ନିଜର ବ୍ରାଣ୍ଡ୍ ସୃଷ୍ଟି କରିବା ସହ‌ ତାହାକୁ ଲୋକପ୍ରିୟ କରିବା ଦିଗରେ ଆଗେଇ ଚାଲିଛନ୍ତି। ଏହି ଯୁବ ଉଦ୍ୟୋଗୀ ଜଣକ ମୁନିକୋ ଫୁଡ୍ ନାମକ କମ୍ପାନୀ ପ୍ରତିଷ୍ଠା କରିଛନ୍ତି ଯାହା ଜରିଆରେ ସ୍ଥାନୀୟ ଉତ୍ପାଦକୁ ଜାତୀୟ ତଥା ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବାକୁ (ଲୋକାଲ୍ ପ୍ରଡକ୍ଟ- ଗ୍ଲୋବାଲ୍ ମାର୍କେଟ) ଲକ୍ଷ୍ୟ ରଖିଛନ୍ତି।

ସତ୍ୟବ୍ରତଙ୍କ କହିବା ପ୍ରକାରେ ମହିନ୍ଦ୍ରା କମ୍ପାନୀରେ ବ୍ରାଣ୍ଡ୍ ମ୍ୟାନେଜର ଭାବେ କାମ କରୁଥିଲେ ସେ। କରୋନାରେ ତାଙ୍କ ବାପା ଓ ମା’ଙ୍କ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାରୁ ସେ କମ୍ପାନୀ ଚାକିରି ଛାଡ଼ି ୨୦୨୧ରେ ଘରକୁ ଫେରି ଆସିଥିଲେ। ବ୍ୟବସାୟ ଲକ୍ଷ୍ୟ ନେଇ ବିଭିନ୍ନ ସ୍ଥାନ ବୁଲି ବ୍ୟବସାୟର ମଡେଲ, ଅନୁଭୂତି ଓ ଅଭିଜ୍ଞତା ହାସଲ କରିଥିଲେ। ଶେଷରେ ପାଞ୍ଚ ଜଣ ମିଶି ମୁନିକୋ ଫୁଡସ୍ ସ୍ଥାପନ କରିଥିଲେ ସତ୍ୟବ୍ରତ। ଏହାର ମେନ୍ୟୁରେ ଗଞ୍ଜାମର ପ୍ରସିଦ୍ଧ ତଥା ୧୬ ପ୍ରକାରର ପାମ୍ପଡ, ଆଚାର, ୫ରୁ ଅଧିକ ପ୍ରକାର୍ ମସଲା ଓ ୬ ପ୍ରକାରର ହେଲଥ୍ ଫୁଡ୍‌ସ୍। ଏହି କାର୍ଯ୍ୟ କରିବାକୁ ୧୫ ଜଣ ଏସ୍ଏଚ୍‌ଜି ମହିଳା, ୫ ଜଣ ମ୍ୟାନେଜରିଆଲ ଷ୍ଟାଫ୍ ଓ ୫ ଜଣ ମାର୍କେଟିଂ ଷ୍ଟଫ୍ ଏହିଭଳି ୨୫ ଜଣଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରିଛନ୍ତି ସତ୍ୟବ୍ରତ। ଓଡ଼ିଶାର କୋଣ ଅନୁକୋଣର ପ୍ରସିଦ୍ଧ ଖାଦ୍ୟକୁ ତାଙ୍କ ଉତ୍ପାଦ ତାଲିକାରେ ସାମିଲ କରିବାକୁ ଯୋଜନା କରିଛନ୍ତି। ଅନ୍‌ଲାଇନ୍ ବ୍ୟବସାୟ ତାଙ୍କୁ ଏ ଦିଗରେ ସଫଳତା ଆଣି ଦେଇଛି।

Comments are closed.