ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟ ଖେଳ ପ୍ରତି ଉତ୍ସାହ ବଢାଇବା ନେଇ ପ୍ରୟାସ, ବରଗଡ଼ରେ ବନ୍ଧୁତ୍ବ ପୂର୍ଣ୍ଣ ହକି ପ୍ରତିଯୋଗିତା | News Room Odisha

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟ ଖେଳ ପ୍ରତି ଉତ୍ସାହ ବଢାଇବା ନେଇ ପ୍ରୟାସ, ବରଗଡ଼ରେ ବନ୍ଧୁତ୍ବ ପୂର୍ଣ୍ଣ ହକି ପ୍ରତିଯୋଗିତା

ମଥୁରାନଗରୀ (ବରଗଡ଼): ଭୁବନେଶ୍ଵର ଓ ରାଉରକେଲାରେ ହେବାକୁ ଥିବା ବିଶ୍ବ କପ୍ ପୁରୁଷ ହକି ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟ ଖେଳ ପ୍ରତି ଉତ୍ସାହ ବଢାଇବା ପାଇଁ ଆଜି ବରଗଡ଼ ପଞ୍ଚାୟତ କଲେଜ୍ ପଡ଼ିଆରେ ହକି ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ଏଥିରେ ଟାଙ୍ଗରପାଲି ହାଇସ୍କୁଲ, ଅତାବିରା, ଅମଲିପାଲି ହାଇସ୍କୁଲ, ଅତାବିରା, ମଧୁପୁର ହାଇସ୍କୁଲ, ସୋହେଲା, ସମଲେଇପଦର ହାଇସ୍କୁଲ, ବିଜେପୁରର ହକି ଦଳ ଅଂଶଗ୍ରହଣ କରିଥିଲେ। ପ୍ରଥମ ମ୍ୟାଚ୍ ଟାଙ୍ଗରପାଲି , ଅତାବିରା ବନାମ ସମଲେଇପଦର , ବିଜେପୁର ଏବଂ ଦ୍ୱିତୀୟ ମ୍ୟାଚ ମଧୁପୁର ଉଚ୍ଚ ବିଦ୍ୟାଳୟ , ସୋହେଲା ବନାମ ଅମଲିପାଲି , ଅତାବିରା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୃତିବାସ ରାଉତ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପଞ୍ଚାୟତ କଲେଜ୍ ଅଧ୍ୟକ୍ଷ ପତିତପାବନ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଆ, ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ କଲ୍ୟାଣୀ ଦାଶ ଯୋଗ ଦେଇଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ତୁଷାର କାନ୍ତ ମିଶ୍ର ସଭା ପରିଚାଳନା କରିଥିଲେ।

ପ୍ରକାଶ ଥାଉକି, ଆସନ୍ତାକାଲି ବରପାଲିର ସିକ୍ରିଡ଼ି ଓ ବିଜେପୁର ଉଚ୍ଚ ବିଦ୍ୟାଳୟ ଠାରେ ଜନ ପ୍ରତିନିଧି, ଜନସାଧାରଣ , ଛାତ୍ର ଛାତ୍ରୀ ଓ ଅଧିକାରୀମାନେ ପୁରୁଷ ବିଶ୍ବକୁ ସ୍ବାଗତ କରିବେ ।