ଚୂଡ଼ାନ୍ତ ଫଟୋ ଭୋଟର ତାଲିକା : ରାଜ୍ୟରେ ୩ କୋଟି ୨୩ ଲକ୍ଷ ୪୯ ହଜାର ୩୪୧ ଭୋଟର | News Room Odisha

ଚୂଡ଼ାନ୍ତ ଫଟୋ ଭୋଟର ତାଲିକା : ରାଜ୍ୟରେ ୩ କୋଟି ୨୩ ଲକ୍ଷ ୪୯ ହଜାର ୩୪୧ ଭୋଟର

ଭୁବନେଶ୍ୱର – ରାଜ୍ୟର ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ପ୍ରକାଶ ପାଇଛି। ଜାନୁଆରୀ ୧କୁ ଯୋଗ୍ୟତାସୂଚକ ତାରିଖ ଭାବେ ଗ୍ରହଣ କରାଯାଇ ରାଜ୍ୟର ୫୮ଟି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲାପାଳଙ୍କ କାର୍ଯ୍ୟାଳୟ, ଜିଲା ନିର୍ବାଚନ ଅଧିକାରୀ, ରାଜ୍ୟର ସବୁ ବୁଥ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌ରେ ୨୦୨୩ ମସିହା ଫଟୋ ଭୋଟର ତାଲିକା ପ୍ରକାଶ କରାଯାଇଛି।
ବରଗଡ଼ ଜିଲାର ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିକଟରେ ଉପନିର୍ବାଚନ ହୋଇଥିବା ଦୃଷ୍ଟିରୁ ସେଠାରେ ବର୍ତ୍ତମାନ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ଚାଲୁରହିଛି।

୨୦୨୩ ମସିହାର ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ଅନୁଯାୟୀ ରାଜ୍ୟରେ ସର୍ବମୋଟ ୩,୨୩,୪୯,୩୪୧ ଜଣ ଭୋଟର ଅଛନ୍ତି। ସେଥିମଧ୍ୟରୁ ୧, ୬୪, ୯୬, ୧୫୩ ପୁରୁଷ ଓ ୧,୫୮,୪୯,୯୬୬ ମହିଳା ଏବଂ ୩୨୨୨ ଜଣ ତୃତୀୟଲିଙ୍ଗୀ ଭୋଟର ରହିଛନ୍ତି। ଏତଦ୍‌ବ୍ୟତୀତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ମଧ୍ୟରେ ୧୭ ବର୍ଷରୁ ଊର୍ଦ୍ଧ୍ବ ୭୮,୨୬୦ ଯୁବ ଭୋଟରଙ୍କ ଆଗୁଆ ଦରଖାସ୍ତ ଗ୍ରହଣ କରାଯାଇଛି।ପରବର୍ତ୍ତୀ ଯୋଗ୍ୟତାସୂଚକ ତାରିଖ ସମୟରେ ସେମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବ। ଫଟୋ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟରଙ୍କ ଫଟୋ ଭୋଟର ପରିଚୟ ପତ୍ର ସ୍ପିଡ଼ ପୋଷ୍ଟ ଡାକ ଯୋଗେ ଘର ଠିକଣାରେ ପହଞ୍ଚିବ।