ଭାରତୀୟ ହକିରେ ‘ନବୀନ ଯୁଗ’ 

ଲେଖକ : ବିଜନ କୁମାର ମହାପାତ୍ର

ବେଶ କିଛି ବର୍ଷ ଉପେକ୍ଷିତ ଓ ଅବହେଳିତ ଅବସ୍ଥାରେ ରହିବା ପରେ ହକି ପ୍ରତି ଭାରତରେ ପୁଣି ଉତ୍ସାହ ବଢିବାରେ ଲାଗିଛି । ଭାରତୀୟ ହକି ଏକ ନୂଆ ଯୁଗ ଦେଇ ଗତି କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଉ ହକି ପ୍ରତି ଏହି ନବ ଉତ୍ସାହର ଶ୍ରେୟ ନିଶ୍ଚିତ ଭାବେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯିବ । ଖୋଦ୍ ନବୀନ ପଟ୍ଟନାୟକଙ୍କ ସମାଲୋଚକମାନେ ବି ଏହାକୁ ବିନା ଦ୍ୱିଧାରେ ସ୍ୱୀକାର କରିବେ । ଅଲିମ୍ପିକ୍ସରେ ୮ ଥର ସ୍ୱର୍ଣ୍ଣ ପଦକ ଜିତିଥିବା ଦେଶରେ ହକିର ପ୍ରସାର ଓ ପୃଷ୍ଠପୋଷକତା ପାଇଁ ନବୀନ ପଟ୍ଟନାୟକ ସରକାରଙ୍କ ନିଷ୍ଠାପର ଓ ଆନ୍ତରିକ ଉଦ୍ୟମ ଅନ୍ୟମାନଙ୍କ ପାଇଁ ଯେ ଅନୁକରଣୀୟ ଏହା ଯେ କେହି ସ୍ୱୀକାର କରିବ । ସାଢେ ଚାରି ବର୍ଷ ପୂର୍ବେ ଏକ ଘରୋଇ କମ୍ପାନୀ ପ୍ରାୟୋଜକ ଭାବେ ଓହରି ଗଲା ପରେ ଭାରତୀୟ ହକି ପ୍ରତି ସୃଷ୍ଟି ହୋଇଥିଲା ସଂକଟ । ନୂଆ ପ୍ରାୟୋଜକ ପାଇଁ ସଂଘର୍ଷ କରୁଥିବା ବେଳେ ହକି ଇଣ୍ଡିଆକୁ ସହଯୋଗର ହାତ ବଢାଇଥିଲେ ଓଡିଶା ସରକାର । ୨୦୧୮ରେ ହକି ଇଣ୍ଡିଆ ସହ ଓଡିଶା ସରକାର ୧୨୦ କୋଟି ଟଙ୍କାର ସ୍ପନସରସିପ୍ ଚୁକ୍ତି ସ୍ୱାକ୍ଷର କରିଥିଲେ । ଉଭୟ ପୁରୁଷ ଓ ମହିଳା ଜାତୀୟ ହକି ଦଳର ୫ ବର୍ଷ ପାଇଁ ପ୍ରାୟୋଜକ ରହିବାକୁ ଚୁକ୍ତି ସ୍ୱାକ୍ଷର କରିଥିଲେ ଓଡିଶା ସରକାର । ହକି ଇଣ୍ଡିଆ ସହ ଓଡିଶା ସରକାରଙ୍କ ଚୁକ୍ତିକୁ ସେତେବେଳେ ଅନେକ ସହଜରେ ଗ୍ରହଣ କରି ପାରିନଥିଲେ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଗୋଟିଏ ରାଜ୍ୟ ସରକାରୀ ଖଜଣାରୁ କେମିତି ହକି ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିପାରିବ ବୋଲି ସମାଲୋଚକମାନେ ପ୍ରଶ୍ନ କରିଥିଲେ । ଲଗାତର ଆନ୍ତର୍ଜାତିକ ପ୍ରତିଯୋଗିତାରେ ଦୁର୍ବଳ ପ୍ରଦର୍ଶନ କରିଆସୁଥିବା ଭାରତୀୟ ହକି ଦଳର ପ୍ରାୟୋଜକ ହୋଇ ଓଡିଶା ସରକାର ଏକ ମସ୍ତବଡ ଭୁଲ କରୁଛନ୍ତି ବୋଲି କେତେକ ମତ ଦେଇଥିଲେ । ଏସବୁ ସମାଲୋଚନା ସତ୍ତ୍ୱେ ଭାରତୀୟ ହକିର ନବଜାଗରଣ ପ୍ରୟାସରେ ଅଟଳ ରହିଥିଲେ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଇଣ୍ଡିଆ ସହ ସ୍ପନସରସିପ୍ ଚୁକ୍ତି ସ୍ୱାକ୍ଷର ଠିକ୍ ତିନି ବର୍ଷ ପରେ ସମାଲୋଚକଙ୍କ ମୁହଁ ବନ୍ଦ ହୋଇଯାଇଥିଲା । ପୃଷ୍ଠପୋଷକତାର ଫଳ ଦେଖିବାକୁ ମିଳିଥିଲା ୨୦୨୧ ଟୋକିଓ ଅଲିମ୍ପିକ୍ସରେ । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ଦଳ ଅଲିମ୍ପିକ୍ସରେ ପଦକ ଜିତିବାରେ ସଫଳ ହୋଇଥିଲା । ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା ଭାରତୀୟ ପୁରୁଷ ହକି ଦଳ । ଭାରତୀୟ ମହିଳା ଦଳ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ହକି ସେମିଫାଇନାଲରେ ପ୍ରବେଶ କରି ତତୁର୍ଥ ସ୍ଥାନରେ ରହିଥିଲା ।

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ପ୍ରଦର୍ଶନରେ ସବୁଠାରୁ ବେଶୀ ଖୁସି ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓରେ ଭାରତୀୟ ହକି ଦଳର ଐତିହାସିକ ସଫଳତା ଦ୍ୱାରା ସମାଲୋଚକଙ୍କୁ ମିଳିଥିଲା ଉଚିତ ଜବାବ । ‘ ‘କ୍ରୀଡାରେ ନିବେଶ ହେଉଛି ଯୁବବର୍ଗଙ୍କ ପାଇଁ ନିବେଶ । ଆଉ ଯୁବବର୍ଗଙ୍କ ପାଇଁ ନିବେଶ ଭବିଷ୍ୟତ ପାଇଁ ନିବେଶ ।” ଏଭଳି ମନ୍ତବ୍ୟ ଦେଇ କ୍ରୀଡାପ୍ରେମୀଙ୍କ ହୃଦୟ ଜିତିଥିଲେ ନବୀନ । କେବଳ ସେତିକି ନୁହେଁ, ହକି ଇଣ୍ଡିଆ ସହ ପ୍ରାୟୋଜନ ଚୁକ୍ତିକୁ ସେ ଆହୁରି ଆଉ ୧୦ ବଷ ର୍ ଅର୍ଥାତ୍ ୨୦୩୩ ବୃଦ୍ଧି କରିଥିଲେ । ନବୀନଙ୍କ ପୃଷ୍ଠପୋଷକତା ଭାରତୀୟ ହକି ପାଇଁ ଆଣିଦେଇଛି ନୂଆ ଉତ୍ସାହ ଓ ଉଦ୍ଦୀପନା ।

ହକି ସହ ଓଡିଶାର ଭାବଗତ ସଂପର୍କ ରହିଆସିଛି । ବିଶେଷକରି ସୁନ୍ଦରଗଡ ଜିଲ୍ଲା ହକିର ଏନ୍ତୁଡିଶାଳ ଭାବେ ସାରାବିଶ୍ୱରେ ଖ୍ୟାତିଲାଭ କରିଛି । ଅନେକ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଖେଳାଳି ସୃଷ୍ଟି କରିଛି ସୁନ୍ଦରଗଡ ମାଟି । ଦିଲୀପ ତିର୍କୀ,ଲାଜରୁସ ବାର୍ଲା, ଇଗ୍ନେସ ତିର୍କୀ, ପ୍ରବୋଧ ତିର୍କୀ, ଜ୍ୟୋତି ସୁନୀତା କୁଲୁ, ସୁନୀତା ଲାକ୍ରା, ଦୀପଗ୍ରେସ ଏକ୍କା, ନୀଳିମା ମିଞ୍ଜ, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ନୀଲମ ଖେସଙ୍କ ପରି ଅନେକ ଖେଳାଳି ଜାତୀୟ ଦଳକୁ ସମୃଦ୍ଧ କରିଛନ୍ତି । ଏହି ଜିଲ୍ଲାରୁ ୬୧ ଜଣ ଜାତୀୟ ଓ ଆନ୍ତର୍ଜାତିକ ଖେଳାଳି ।

ନିିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ହକି ପ୍ରତି ବେଶ ଦୁର୍ବଳତା ରହିଛି । ଅନେକ ହୁଏତ ଜାଣିନଥିବେ ଯେ, ଡୁନ ସ୍କୁଲରେ ପଢୁଥିବା ବେଳେ ନବୀନ ପଟ୍ଟନାୟକ ହକି ଖେଳୁଥିଲେ । ସେ ଗୋଲକିପର ଭାବେ ଖେଳୁଥିଲେ । ହକି ପ୍ରତି ବ୍ୟକ୍ତିଗତ ଆଗ୍ରହ ଏବଂ ଏହି ଖେଳ ସହ ଓଡିଶାର ସ୍ୱତନ୍ତ୍ର ସଂପର୍କ ଯୋଗୁଁ ହିଁ ଭାରତୀୟ ହକିର ପୃଷ୍ଠପୋଷକତା ପାଇଁ ଆଗେଇ ଆସିଥିଲେ ମୁଖ୍ୟମନ୍ତ୍ରୀ । ଅତୀତରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣିମ ସଫଳତାକୁ ଲୋକେ ପ୍ରାୟ ଭୁଲିଯିବାକୁ ବସିଥିବା ବେଳେ ଆଶାର କିରଣ ଭାବେ ଦେଖାଦେଇଥିଲେ ଓଡିଶା ସରକାର ।

ପ୍ରତିଭା ଅନ୍ୱେଷଣ, ତୃଣମୂଳ ସ୍ତରରେ ହକିର ପ୍ରସାର ଓ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ, ଉନ୍ନତ ପ୍ରଶିକ୍ଷଣ ସହ ଜାତୀୟ ଓ ଆନ୍ତର୍ଜାତିକ ହକି ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ ବର୍ତ୍ତମାନ ଉଦାହରଣ ପାଲଟିଛି ଓଡିଶା । ହକି ପ୍ରତି ପୂର୍ବାପେକ୍ଷା ଆଗ୍ରହ ବଢିଛି । କଳିଙ୍ଗ ହକି ଷ୍ଟାଡିୟମ ବିଶ୍ୱର ଶ୍ରେଷ୍ଠ ହକି ଷ୍ଟାଡିୟମ ମଧ୍ୟରେ ପରିଗଣିତ ହେଉଥିବା ବେଳେ ଏବେ ରାଉରକେଲାରେ ନିର୍ମାଣ ହୋଇଛି ଆଉ ଏକ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ , ଯାହା କି ଓଡିଶା ହକି ପାଇଁ ସୃଷ୍ଟି କରିଛି ନୂଆ ଅଧ୍ୟାୟ । ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ କେବଳ ଯେ ବିଶ୍ୱକପ ମ୍ୟାଚ ଖେଳାଯିବ, ତାହା ନୁହେଁ । ଏହା ସ୍ଥାନୀୟ ପ୍ରତିଭାମାନଙ୍କ ପାଇଁ ମଧ୍ୟ ଏକ ଆଶୀର୍ବାଦ ସଦୃଶ ହେବ । ଏମିତି ତ ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାରେ ୧୭ଟି ଅଷ୍ଟ୍ରୋଟର୍ଫ ପଡିଆ ନିର୍ମାଣ କରି ଆଉ ହକିର ପ୍ରସାର ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ଓଡିଶା ସରକାର ।

ହକିର ପ୍ରସାର ଓ ଲୋକପ୍ରିୟତା ବୃଦ୍ଧି ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ, ବିଶ୍ୱସ୍ତରୀୟ ଚାମ୍ପିଅନସିପର ଆୟୋଜନ ଓ ଏକାଧିକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ଭଳି ତିନିଟି ମୁଖ୍ୟ କ୍ଷେତ୍ର ଉପରେ ଧ୍ୟାନ ଦେଇଛନ୍ତି ଓଡିଶା ସରକାର । ୨୦୧୮ରେ ସଫଳତାର ସହ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ଆୟୋଜନ କଲା ପରେ ଏବେ ଆଉ ଓଡିଶା ମାଟିରେ ବିଶ୍ୱକପର ଆଉ ଏକ ସଂସ୍କରଣ ଆୟୋଜନ ହେବାକୁ ଯାଉଛି । ଲଗାତର ଦୁଇ ଥର ବିଶ୍ୱ ହକିର ମହାକୁମ୍ଭ ଆୟୋଜନ କରିବା କମ୍ ବଡ କଥା ନୁହେଁ । କହିବା ବାହୁଲ୍ୟ ଯେ, ଓଡିଶା ବର୍ତ୍ତମାନ ଭାରତର ହକି ରାଜଧାନୀରେ ପରିଣତ ହୋଇଛି ।

ତୃଣମୂଳ ସ୍ତରରେ ହକିର ବିକାଶ ପାଇଁ ଓଡିଶା ସରକାର ନେଇଛନ୍ତି ଅନେକ ଉଲ୍ଲେଖନୀୟ ପଦକ୍ଷେପ । ହକି ଇଣ୍ଡିଆର ପୂର୍ବତନ ହାଇ ପରଫରମାନ୍ସ ଡିରେକ୍ଟର ଡେଭିଡ ଜନଙ୍କୁ ଓଡିଶାର ହକି ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ତୃଣମୂଳ ସ୍ତରରେ କୋଚ୍ ନିଯୁକ୍ତି ଓ ବ୍ଲକସ୍ତରରେ ଆଷ୍ଟ୍ରୋଟର୍ଫ ବିଛାଇବା ଭଳି କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସ୍କୁଲ ସ୍ତରରୁ ପ୍ରତିଭା ଅନ୍ୱେଷଣ ପାଇଁ ‘ମୋ ସ୍କୁଲ ହକି କ୍ଲବ୍‌’ ଭଳି ଯୋଜନା ଓଡିଶା ସରକାରଙ୍କ ଆଉ ଏକ ମହତ୍ତ୍ୱାକାଂକ୍ଷୀ ଯୋଜନା । ପ୍ରତି ଜିଲ୍ଲାର ଅନ୍ତତଃ ଗୋଟିଏ ଲେଖାଏଁ ସ୍କୁଲରେ ହକି କ୍ଲବ ପ୍ରତିଷ୍ଠା କରି ପ୍ରତିଭା ଅନ୍ୱେଷଣ କରି ଭବିଷ୍ୟତ ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା ଏହି ଯୋଜନାର ଉଦ୍ଦେଶ୍ୟ । ଏତଦ୍‌ବ୍ୟତୀତ ଉଦୀୟମାନ ଖେଳାଳିଙ୍କ ପାଇଁ ୨୦୦ କୋଟି ଟଙ୍କା ବ୍ୟୟରେ ୨୦ଟି ହକି ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ କରାଯାଉଛି । ଏସବୁ କେନ୍ଦ୍ରରେ ଆଷ୍ଟ୍ରୋଟର୍ଫ ଅଭ୍ୟାସ ପଡିଆ ରହିବ । ବିଗତ ତିନି ବର୍ଷ ହେବ କଳିଙ୍ଗ ଷ୍ଟାଡିୟମରେ ଓଡିଶା ସରକାର ଓ ଟାଟା ଗ୍ରୁପର ମିଳିତ ଭାଗିଦାରୀରେ ଏକ ହାଇ ପରଫରମାନସ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି । ଏହି କେନ୍ଦ୍ରରୁ ବହୁସଂଖ୍ୟାରେ ଜାତୀୟସ୍ତରୀୟ ହକି ଖେଳାଳି ବାହାରିବେ ବୋଲି ଆଶା କରାଯାଉଛି ।

ପାରମ୍ପରିକ ଭାବେ ପଞ୍ଜାବ ଓ ହରିୟାଣାରୁ ଅଧିକ ହକି ଖେଳାଳି ବାହାରିଥାଆନ୍ତି । କିନ୍ତୁ ବର୍ତ୍ତମାନ ଓଡିଶା ଓ ଝାଡଖଣ୍ଡ ଏ କ୍ଷେତ୍ରରେ ଆଗରେ ରହିଛନ୍ତି । ଏବେ ଦେଶବିଦେଶର ଖେଳାଳି ଓ କୋଚ୍ ସ୍ୱୀକାର କରୁଛନ୍ତି ଯେ, ଓଡିଶାରେ ହକି ପାଇଁ ଥିବା ସୁବିଧାସୁଯୋଗ ସବୁଠୁ ଉତ୍ତମ । ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ଆନ୍ତରିକ ଉଦ୍ୟମକୁ ହିଁ ଶ୍ରେୟ ଦିଆଯାଇପାରେ ।

ଦେଶର ଏକ ଅଗ୍ରଣୀ ଇଂରାଜୀ ସାପ୍ତାହିକ ପତ୍ରିକାକୁ ସାକ୍ଷାତକାର ଦେଇ ଅଲମ୍ପିଆନ ତଥା ବର୍ତ୍ତମାନର ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହକି ପ୍ରତି ଆଗ୍ରହର ଏକ ଛୋଟ ଉଦାହରଣ ଦେଇଥିଲେ । ୨୦୦୩ ମସିହାରେ ଦିଲ୍ଲୀପ ତିର୍କୀ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଭୁବନେଶ୍ୱରରେ ଏକ ଆଷ୍ଟ୍ରୋଟର୍ଫ ହକି ପଡିଆ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବ ଲିଖିତ ଆକାରରେ ଦେବା ପାଇଁ ଦିଲ୍ଲୀପଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀ । ମାତ୍ର ଦୁଇ ମାସ ମଧ୍ୟରେ ପ୍ରକଳ୍ପ ଅନୁମୋଦନ କରାଯାଇ ପ୍ରାରମ୍ଭିକ ଭାବେ ଦୁଇକୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ୨୪ କୋଟି ଟଙ୍କାରେ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲା ।

ଜାତୀୟ ଦଳର ପ୍ରାୟୋଜକ ହୋଇ କାମ ସରିଗଲା ବୋଲି କେବେ ବି ଭାବିନାହାନ୍ତି ଓଡିଶା ସରକାର । ହକିର ବିକାଶ ପାଇଁ ମୌଳିକ ଆବଶ୍ୟକତା ପ୍ରତି ଗୁରୁତ୍ୱ ଦିଆଯାଉଛି । ପ୍ରତିଭା ଅନ୍ୱେଷଣ ସହ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଏବଂ ଉନ୍ନତ ଭିତ୍ତିଭୂମି ନିର୍ମାଣ ରାଜ୍ୟ ସରକାରଙ୍କ ପ୍ରାଥମିକତା ହୋଇଛି । ଆଗାମୀ ଦିନରେ ରାଜ୍ୟରୁ ଆହୁରି ଅନେକ ପ୍ରତିଭାବାନ ଖେଳାଳି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ହକିକୁ ସମୃଦ୍ଧ କରିବେ,ସେଥିରେ ସନ୍ଦେହ ନାହିଁ । ହକି ପ୍ରତି ଉତ୍ସାହ ଓ ଆଗ୍ରହ ଫେରିଛି । ଭାରତୀୟ ହକି ଦଳର ପ୍ରଦର୍ଶନରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ବିଶେଷକରି ଗତ ୫ ବର୍ଷରେ ଭାରତୀୟ ହକିର ପ୍ରଦର୍ଶନ ପୂର୍ବାପେକ୍ଷା ଉନ୍ନତ ରହିଛି । ଆଉ ଏଥିପାଇଁ ଓଡିଶା ସରକାରଙ୍କ ନିଷ୍ଠା ଓ ଆନ୍ତରିକତା ହିଁ ଶ୍ରେୟର ହକ୍‌ଦାର । ଗତ କିଛିବର୍ଷ ମଧ୍ୟରେ ଭାରତୀୟ ହକି ଏକ ‘ନବୀନ’ ପରିଚୟ ପାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର -୮, ମୋ -୯୭୦୩୬୯୦୮୪୭

ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ।       

Comments are closed.