ଓଡ଼ିଆ ଭାଷାସାହିତ୍ୟର ଯୁଗପୁରୁଷ ଫକୀରମୋହନ | News Room Odisha

ଓଡ଼ିଆ ଭାଷାସାହିତ୍ୟର ଯୁଗପୁରୁଷ ଫକୀରମୋହନ

( ଫକୀରମୋହନ ଜୟନ୍ତୀ ଉପଲକ୍ଷେ)

ଲେଖକ : ବିଜନ କୁମାର ମହାପାତ୍ର

ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରାତଃସ୍ମରଣୀୟ ସାଧକଙ୍କ ମଧ୍ୟରେ ବ୍ୟାସକବି ଫକୀରମୋହନ ସେନାପତି ହେଉଛନ୍ତିି ଅଗ୍ରଗଣ୍ୟ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଘଡ଼ିସନ୍ଧି ମୁହୂର୍ତ୍ତରେ ତ୍ରାଣକର୍ତ୍ତା ସାଜି ଉଭା ହୋଇଥିଲେ ଫକୀରମୋହନ । ଫକୀରମୋହନଙ୍କ ସାଧନା ଓ ସଂଘର୍ଷ ଯୋଗୁଁ ଓଡ଼ିଆ ଭାଷା ଓ ସାହିତ୍ୟର ନବଜନ୍ମ ହୋଇପାରିଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଆ ଜାତୀୟତାବୋଧର ଅଗ୍ରଣୀ ମହାନାୟକଙ୍କ ମଧ୍ୟରେ ଫକୀରମୋହନ ଥିଲେ ଅନ୍ୟତମ । ସେ ହିଁ ଥିଲେ ଆଧୁନିକ ଓଡ଼ିଆ ସାହିତ୍ୟର ଜାଗରଣ ପୁରୁଷ । ସେ ସୃଷ୍ଟି କରିଯାଇଛନ୍ତିି

ଓଡ଼ିଆ ସାହିତ୍ୟର ଅନେକ ଅମୂଲ୍ୟ ସଂପଦ, ଚିରସବୁଜ କୃତି । ଛ’ ମାଣ ଆଠଗୁଣ୍ଠ ଭଳି ଉପନ୍ୟାସ ଓ ରେବତୀ ଭଳି ଗଳ୍ପ କେବଳ ଭାରତୀୟ ସାହିତ୍ୟ କାହିଁକି ବିଶ୍ୱ ସାହିତ୍ୟର ଗୋଟିଏ ଗୋଟିଏ ଅନବଦ୍ୟ କୃତି । ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ନିଃସ୍ୱାର୍ଥପର ଭାବେ କାମ କରିଚାଲିଥିଲେ ଏହି ସ୍ୱାଭିମାନୀ ମଣିଷ ।

୧୮୪୩ ମସିହାରେ ପବିତ୍ର ମକର ସଂକ୍ରାନ୍ତିରେ ବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁରରେ ଭୂମିଷ୍ଠ ହୋଇଥିଲେ ଆଧୁନିକ ଓଡ଼ିଆ ସାହିତ୍ୟର ଏହି କିମ୍ବଦନ୍ତୀ ପୁରୁଷ । ସେତେବେଳେ ଓଡ଼ିଶା ଥିଲା ଖଣ୍ଡ ବିଖଣ୍ଡିତ । ବେଙ୍ଗଲ ପ୍ରେସିଡେନ୍‌ସୀ, ବିହାର ପ୍ରେସିଡେନ୍‌ସୀ ଓ ସେଣ୍ଟ୍ର୍ରାଲ୍ ପ୍ରେସିଡେନ୍‌ସୀ ଅଧିନରେ ବାଣ୍ଟି ହୋଇଯାଇଥିଲା ବିଭିନ୍ନ ଅଞ୍ଚଳ । ମୋଗଲ, ମରହଟ୍ଟାଙ୍କ ପରେ ଶେଷରେ ବ୍ରିଟିଶ ଶାସନାଧୀନ ହୋଇ ଓଡ଼ିଶା ହରାଇଥିଲା ସ୍ୱତନ୍ତ୍ରତା । ବ୍ରିଟିଶ ଶାସକଙ୍କ ସ୍ୱେଚ୍ଛାଚାରୀ ଶାସନ ସାଙ୍ଗକୁ ଓଡ଼ିଆ ଭାଷାର ବିଲୋପ ପାଇଁ କୁଚକ୍ରୀ ବଙ୍ଗାଳିମାନଙ୍କ ଅନବରତ ଉଦ୍ୟମରେ ଅତିଷ୍ଠ ହୋଇପଡ଼ିଥିଲା ସେତେବେଳର ଓଡ଼ିଶା । ଭୁଶୁଡ଼ି ପଡ଼ିଥିଲା ଓଡ଼ିଆଙ୍କ ଅର୍ଥନୈତିକ ମେରୁଦଣ୍ଡ । ଖ୍ରୀଷ୍ଟିୟ ମିଶନାରୀ ଓ ବଙ୍ଗୀୟମାନଙ୍କ ପ୍ରଭାବ ଓଡ଼ିଆ ସମାଜକୁ ଗ୍ରାସ କରିବାକୁ ବସିଥିଲା ।

ଇଂରାଜୀ ଓ ବଙ୍ଗଳା ଭାଷାର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ ଉଦ୍ୟମର ପରିଣାମ ସ୍ୱରୂପ ଲୁପ୍ତପ୍ରାୟ ଅବସ୍ଥାକୁ ଆସିଯାଇଥିଲା ଓଡ଼ିଆ ଭାଷା । ସର୍ବୋପରି ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ସୃଷ୍ଟି ହୋଇଥିଲା ଗଭୀର ସଂକଟ । ଏଭଳି ଦୁଃସ୍ଥିତିରେ ଜନ୍ମ ନେଇଥିଲେ ଫକୀରମୋହନ । ଆଦ୍ୟ ଶୈଶବରୁ ହିଁ ନିଜ ପିତାମାତାଙ୍କୁ ହରାଇ ବସିଥିଲେ ଫକୀର ମୋହନ । ଜେଜେ ମାଆ ନେଇଥିଲେ ରୁଗ୍‌ଣ ଶିଶୁର ଦାୟିତ୍ୱ । କିଛି ଅଜଣା ରୋଗରେ ଆକ୍ରାନ୍ତ ଶିଶୁର ଦୀର୍ଘଜୀବନ ନେଇ ସନ୍ଦେହ ସୃଷ୍ଟି

ହୋଇଥିଲା । କିନ୍ତୁ ଜେଜେମା’ ଆଶା ଛାଡ଼ି ନ ଥିଲେ । ପୀରବାବାଙ୍କ ଶରଣାପନ୍ନ ହୋଇ ନିଜ ନାତିଙ୍କ ଆରୋଗ୍ୟ କାମନା କରିଥିଲେ । ଚମତ୍କାର ହେଲା । ଆରୋଗ୍ୟ ହେଲେ ଶିଶୁ ବ୍ରଜ ମୋହନ ( ଫକୀର ମୋହନଙ୍କ ପ୍ରକୃତ ନାମ )। ପୀରବାବାଙ୍କ କୃପାରୁ ଆରୋଗ୍ୟ ହୋଇଥିବାରୁ ବ୍ରଜମୋହନଙ୍କ ନାମ ପରିବର୍ତ୍ତନ ହୋଇ ରଖାଯାଇଥିଲା ଫକୀର ମୋହନ । ଆର୍ଥିକ ଦୁଃସ୍ଥିତି ଯୋଗୁଁ ଫକୀର ମୋହନଙ୍କ ଆନୁଷ୍ଠାନିକ ଶିକ୍ଷା ବେଶୀ ଆଗେଇ ପାରି ନ ଥିଲା ।

କିନ୍ତୁ ଫକୀରମୋହନଙ୍କ ଉପରେ ଥିଲା ବୀଣାପାଣିଙ୍କ ଆଶୀର୍ବାଦ । ଆନୁଷ୍ଠାନିକ ଶିକ୍ଷା ଶେଷ କରିପାରି ନ ଥିଲେ ମଧ୍ୟ ଦୃଢ଼ମନା ଫକୀର ମୋହନ ନିଜ ଉଦ୍ୟମ ବଳରେ ପାର୍ସି, ଉର୍ଦୁ, ବଙ୍ଗାଳି ଓ ଇଂରାଜୀ ଭାଷାରେ ବେଶ୍ ଦକ୍ଷ ହୋଇପାରିଥିଲେ । ଆଉ ଏଥିପାଇଁ ତ ସେ ବିଭିନ୍ନ ଗଡଜାତ ଅଞ୍ଚଳରେ ସ୍କୁଲ୍ ଶିକ୍ଷକ, କିରାଣୀ, ଉପଦେଷ୍ଟା, ଦିୱାନ ଭଳି ପେଶାଦାର କାର୍ଯ୍ୟ ବେଶ୍ ସୂଚାରୁ ରୂପେ ତୁଲାଇପାରିଥିଲେ । ପ୍ରଶାସକ ଭାବେ ସେ ତତ୍କାଳୀନ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ଦେଖିଥିଲେ ଓଡ଼ିଆଙ୍କ ଦୁର୍ଦ୍ଦଶା, ଓଡ଼ିଆ ଭାଷା ବିଲୋପ କରିବାକୁ ସମ୍ଭ୍ରାନ୍ତଓ ଉଚ୍ଚ ଶିକ୍ଷିତ ବଙ୍ଗାଳିଙ୍କ ଚକ୍ରାନ୍ତ । ସେ ପୁଣି ଦେଖିଥିଲେ ଭୟାବହ ନ’ଅଙ୍କ ଦୁର୍ଭିକ୍ଷର ପରିଣାମ । ଏଭଳି ଏକ ଜଟିଳ ସମୟ ଦେଇ ଗତି କରୁଥିଲା ଓଡ଼ିଶା । ଆଉ ଏଭଳି ସମୟରେ ହିଁ ସୁପ୍ତ ଓଡ଼ିଆଙ୍କ ମଧ୍ୟରେ ଜାତୀୟତାବୋଧର ଉଦ୍ରେକ ପାଇଁ ସେ ଉଦ୍ୟମ ଆରମ୍ଭ କରିଥିଲେ । ଶିକ୍ଷକତା କରୁଥିଲା ବେଳେ ହିଁ ଏ ଦିଗରେ ବ୍ରତୀ ହୋଇଥିଲେ ଫକୀର ମୋହନ । ବାରବାଟୀ ସ୍କୁଲ୍‌ରେ ଶିକ୍ଷକ ଥିଲାବେଳେ ପ୍ରଥମେ ସ୍କୁଲ ପାଠ୍ୟପୁସ୍ତକକୁ ସେ ଓଡ଼ିଆ ଭାଷାରେ ରଚନା କରିବା ଆରମ୍ଭ କରିଥିଲେ ।

ବଙ୍ଗାଳିମାନଙ୍କ ପ୍ରତିରୋଧ ସତ୍ତ୍ୱେ ଜନ୍ ବୀମ୍‌ସଙ୍କ ଭଳି ଉଦାରବାଦୀ ଓଡ଼ିଆପ୍ରେମୀ ପ୍ରାଶାସନିକ ଅଧିକାରୀଙ୍କ ସମର୍ଥନ ଫକୀର ମୋହନଙ୍କୁ ପ୍ରେରଣା ଯୋଗାଇଥିଲା । ବାଲେଶ୍ୱର ବାରବାଟୀ ସ୍କୁଲରେ ଶିକ୍ଷକ ଥିଲା ବେଳେ ହିଁ ଫକୀରମୋହନ, ରାଧାନାଥ ରାୟ ଓ ମଧୁସୂଦନ ଦାସଙ୍କ ଚସଂସ୍ପର୍ଶରେ ଆସିଥିଲେ । ୧୮୬୮ରେ ରାଧାନାଥ ରାୟ ଓ ଅନ୍ୟ ପାଞ୍ଚଜଣଙ୍କ ସହ ମିଶି ଫକୀରମୋହନ ଓଡ଼ିଆ ସାହିତ୍ୟର ବିକାଶ ଲାଗି ଏକ ସଂଗଠନ ସ୍ଥାପନା କରିଥିଲେ । ତାଙ୍କ ପ୍ରୟାସରେ ବାଲେଶ୍ୱରରେ ଏକ ଛାପାଖାନା ସ୍ଥାପନ ହୋଇଥିଲା । ସେଠାରୁ ବୋଧଦାୟିନୀ ଏବଂ ବାଲେଶ୍ୱର ସମ୍ବାଦ ବାହିକା ନାମରେ ଏକ ପାକ୍ଷିକ ପତ୍ରିକା ପ୍ରକାଶ କରି ଭାଷା ସୁରକ୍ଷା ଅଭିଯାନରେ ନିଜର ସକ୍ରିୟ ସଂପୃକ୍ତି ଜାରି ରଖିଥିଲେ ଫକୀର ମୋହନ ।

ଫକୀରମୋହନଙ୍କ କର୍ମ ପ୍ରବଣତା, ପ୍ରାଶାସନିକ ଦକ୍ଷତା ଓ ସାଧୁତା ବ୍ରିଟିଶ ପ୍ରାଶାସନିକ ଅଧିକାରୀ ଜନ୍ ବୀମ୍‌ସଙ୍କୁ ବେଶ୍ ପ୍ରଭାବିତ କରିଥିଲା । ବୀମ୍‌ସଙ୍କ ସୁପାରିଶରେ ହିଁ ଫକୀର ମୋହନ୧୮୭୧ରେ ନୀଳଗିରି ଗଡ଼ଜାତ ରାଜ୍ୟରେ ଦିୱାନ ଭାବେ ନିଯୁକ୍ତି ପାଇଲେ । ଏହିଠାରୁ ଆରମ୍ଭ ହେଲା ତାଙ୍କ ଦୀର୍ଘ ୨୫ ବର୍ଷର ପ୍ରାଶାସନିକ କ୍ୟାରିଅର । ପ୍ରଶାସକ ଭାବେ ରାଜ୍ୟର ବିଭିନ୍ନ ଅଞ୍ଚଳ

ସେ ଗସ୍ତ କରିଥିଲେ । ସମାଜର ବିଭିନ୍ନ ଶ୍ରେଣୀର ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ, ଯାହା କି ସେ ଗସ୍ତ କରିଥିଲେ । ସମାଜର ବିଭିନ୍ନ ଶ୍ରେଣୀର ଲୋକଙ୍କ ସଂପ୍ସର୍ଶରେ ଆସିଥିଲେ, ଯାହା କି ଭବିଷ୍ୟତରେ ତାଙ୍କୁ ଅତି ଉଚ୍ଚମାନର ସାହିତ୍ୟକୃତି ସୃଷ୍ଟି କରିବାରେ ସହାୟକ ହୋଇଥିଲା ।

ରାମାୟଣ, ମହାଭାରତ ଓ ଉପନିଷଦକୁ ଓଡ଼ିଆ ଭାଷାରେ ଅନୁବାଦ କରିଥିବାରୁ ସେ ବ୍ୟାସକବି ଭାବେ ପରିଚିତ ହେଲେ । ଫକୀରମୋହନଙ୍କ ରଚନାଶୈଳୀ ଥିଲା ସ୍ୱତନ୍ତ୍ର । ରଜାପୁଅ -ରଜାଝିଅଙ୍କ ପ୍ରେମ କାହାଣୀ ଭଳି ପାରମ୍ପରିକ ରଚନା ଶୈଳୀରୁ ସଂପୂର୍ଣ୍ଣ ଦୂରେଇ ଯାଇ ସାଧାରଣ ଲୋକ ଓ ସେମାନଙ୍କ ସମସ୍ୟା, ସଂଘର୍ଷକୁ ନିଜ ରଚନାରେ ସ୍ଥାନ ଦେଇଥିଲେ ଫକୀରମୋହନ ।

ଏତଦ୍ ବ୍ୟତୀତ ସରଳ ଓଡ଼ିଆ ତଥା କଥିତ ଭାଷାର ପ୍ରୟୋଗ ଥିଲା ତାଙ୍କ ସାହିତ୍ୟକୃତିର ଅନ୍ୟତମ ବୈଶିଷ୍ଟ୍ୟ । ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକ ବେଶ୍ ବାସ୍ତବବାଦୀ । ଚରିତ୍ର ଚିତ୍ରଣ, ସାବଳୀଳ ବର୍ଣ୍ଣର୍ନା ଓ ସର୍ବୋପରି ବକ୍ରୋକ୍ତିର ପ୍ରୟୋଗ ହିଁ ଫକୀରମୋହନଙ୍କୁ ସର୍ବକାଳୀନ ଲୋକପ୍ରିୟ ଔପନ୍ୟାସିକ ଓ କଥାକାର କରି ରଖିଛି । ଫକୀରମୋହନ ୪ଟି ଉପନ୍ୟାସ ହେଲା ଲଛମା(୧୯୦୧), ଛଅ ମାଣ ଆଠଗୁଣ୍ଠ( ୧୯୦୨), ମାମୁ (୧୯୧୩ ) ଓ ପ୍ରାୟଶ୍ଚିତ (୧୯୧୫ ) । ମରହଟ୍ଟାଙ୍କ ଓଡ଼ିଶା ଆକ୍ରମଣର ଐତିହାସିକ ପୃଷ୍ଠଭୂମି ଉପରେ ଆଧାରିତ ଥିଲା ଲଛମା । ଅନ୍ୟ ତିନିଟି ଉପନ୍ୟାସରେ ତତ୍କାଳୀନ ଓଡ଼ିଶାର ସାମାଜିକ ଜୀବନ ଚିତ୍ରଣ ହୋଇଛି ।

କିନ୍ତୁ ଫକୀରମୋହନ ଛ ମାଣ ଆଠଗୁଣ୍ଠ ହିଁ ବେଶ୍ ଚର୍ଚ୍ଚିତ ଓ ଲୋକପ୍ରିୟ ଉପନ୍ୟାସ ହୋଇ ରହିଛି । ଗରିବ, ଭୂମିହୀନ ଗାଁ ଲୋକଙ୍କ ଉପରେ ପ୍ରଭାବଶାଳି ଜମିଦାରଙ୍କ ଅତ୍ୟାଚାର ଓ ବ୍ରିଟିଶ ଶାସନ କାଳରେ ନୂଆ ଶୋଷକ ଗୋଷ୍ଠୀର ଅଭ୍ୟୁଦୟ ଥିଲା ଉନ୍ନବିଂଶ ଶତାବ୍ଦୀ ଓଡ଼ିଶାର ସାମାଜିକ ଲକ୍ଷଣ । ଛ ମାଣ ଆଠଗୁଣ୍ଠ ଓ ମାମୁ ଉପନ୍ୟାସରେ ମୁଖ୍ୟତଃ ଏହି ସାମାଜିକ ବିଷୟବସ୍ତୁକୁ ଉପସ୍ଥାପିତ କରିଛନ୍ତି ବ୍ୟାସକବି । ନାରୀଶିକ୍ଷାର ମହତ୍ତ୍ୱ ବୁଝି ପାରିଥିଲେ ଫକୀରମୋହନ । କିନ୍ତୁ

ରକ୍ଷଣଶୀଳ ସମାଜରେ ନାରୀଶିକ୍ଷା କିପରି ଏକ ଦିବାସ୍ୱପ୍ନ, ତାହା ଅତି ମର୍ମସ୍ପର୍ଶୀ ଭାବେ ‘ରେବତୀ’ ଗଳ୍ପରେ ଉପସ୍ଥାପନ କରିଛନ୍ତି ଫକୀର ମୋହନ । ରେବତୀ ଗଳ୍ପର ପ୍ରାସଙ୍ଗିକତା ଆଜି ବି ବଜାୟ ରହିଛି । ରେବତୀ ଥିଲା ଓଡ଼ିଆ ଭାଷାରେ ପ୍ରଥମ ଗଳ୍ପ । ନିଜର ଜୀବନୀ ‘ଆତ୍ମଜୀବନ ଚରିତ’ ହେଉଛି ଓଡ଼ିଆ ସାହିତ୍ୟର ପ୍ରଥମ ଜୀବନୀ ପୁସ୍ତକ । କହିବାକୁ ଗଲେ ୧୮୯୬ ମସିହା ପରେ ହିଁ ଫକୀରମୋହନଙ୍କ ସାହିତ୍ୟ ଜୀବନର ଘଟଣାବହୁଳ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ଓ ସବୁ ଓଡ଼ିଆ ଭାଷୀ ଅଞ୍ଚଳକୁ ଏକତ୍ର କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କ୍ଷେତ୍ରରେ ଆଜୀବନ ବ୍ରତୀ ହୋଇଥିଲେ ଫକୀରମୋହନ । ୧୯୧୭ରେ ଆୟୋଜିତ ଉତ୍କଳ ସମ୍ମିଳନୀ ବୈଠକରେ ସଭାପତିତ୍ୱ କରିଥିଲେ ଫକୀରମୋହନ । ସେହି ବର୍ଷ ହିଁ ସେ କଟକରେ ଆୟୋଜିତ ଉତ୍କଳ ସାହିତ୍ୟ ସମାଜ ସମ୍ମିଳନୀରେ ଯୋଗ ଦେଇଥିଲେ । ବୌଦ୍ଧିକ ଭାବେ ଫକୀରମୋହନ ଥିଲେ ଜଣେ ଦୁଃସାହସୀ ଓ ସଂସ୍କାରକ । ପୁରସ୍କାର ବା ଖ୍ୟାତି ଲାଗି ସେ ସାହିତ୍ୟ ସାଧନା କରି ନ ଥିଲେ । ସେ ଥିଲେ ଜଣେ ବହୁମୁଖୀ ପ୍ରତିଭାସଂପନ୍ନ ଯୋଗଜନ୍ମା ପ୍ରତିଭା । ଯିଏ କି ସଦାସର୍ବଦା ଓଡ଼ିଆମାନଙ୍କ ମଧ୍ୟରେ ଜଣେ ଯୁଗପୁରୁଷ ଭାବେ ଚିରବନ୍ଦିତ ହୋଇ ରହିବେ । ସେହି ଯୁଗପୁରୁଷ, ଯିଏ କି ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା କରିବାକୁ ପ୍ରାଣପଣେ ଉଦ୍ୟମ କରିଥିଲେ । ଆଉ ତାଙ୍କର କାଳଜୟୀ ସାହିତ୍ୟ କୃତି, ଯୁଗ ଯୁଗ ଧରି ଓଡ଼ିଆ ଜାତିକୁ ପ୍ରେରଣା ଯୋଗାଇ ଚାଲିଥିବ ।

ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର -୮, ମୋ -୯୭୦୩୬୯୦୮୪୭

ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ।