ବିଶ୍ୱକପର ରୋମାଞ୍ଚକର ମ୍ୟାଚ, ଅଷ୍ଟ୍ରେଲିଆ – ଆର୍ଜେଣ୍ଟିନା ମ୍ୟାଚ ୩-୩ ଡ୍ର

ଭୁବନେଶ୍ୱର – ହକି ବିଶ୍ୱକପରେ ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଅଷ୍ଟ୍ରେଲିଆ – ଆର୍ଜେଣ୍ଟିନା ମ୍ୟାଚ ରୋମାଞ୍ଚକର ଡ୍ର ରେ ଶେଷ ହୋଇଛି। ମ୍ୟାଚ ୩-୩ ଗୋଲରେ ଡ୍ର ରହିବାରୁ ପଏଣ୍ଟ ଭାଗ କରିଛନ୍ତି ଦୁଇ ଦଳ । ମ୍ୟାଚ ଶେଷ ଆଡକୁ ଗୋଲ ଦେଇ ପରାଜୟରୁ ବର୍ତ୍ତି ଯାଇଛି ଅଷ୍ଟ୍ରେଲିଆ। ଏହି ମ୍ୟାଚ ପରେ ଦୁଇ ଦଳର ପଏଣ୍ଟ ସଂଖ୍ୟା ସମାନ ଥିଲେ ମଧ୍ୟ ଉନ୍ନତ ଗୋଲ ବ୍ୟବଧାନ ଦୃଷ୍ଟିରୁ ଅଷ୍ଟ୍ରେଲିଆ ଗ୍ରୁପ ‘ଏ’ରେ ଶୀର୍ଷରେ ରହିଛି।

ଆଜିର ହାଇ ଭୋଲଟେଜ ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମ ଗୋଲ୍ ସ୍କୋର ହୋଇଥିଲା। ମ୍ୟାଚର ଦଶମ ମିନିଟରେ ଜେରେମି ହେୱ।ର୍ଡ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ। କିନ୍ତୁ ୧୯ତମ ମିନିଟରେ ଆର୍ଜେଣ୍ଟିନାର ଟୋମାସ ଡୋମିନି ଗୋଲଟି ପରିଶୋଧ କରିଦେଇଥିଲେ। ୩୦ତମ ମିନିଟରେ ଡାନିଏଲ ବିଏଲ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ୱିତୀୟ ଗୋଲ ଦେଇଥିଲେ। ମ୍ୟାଚର ୩୩ତମ ମିନିଟରେ ଆର୍ଜେଣ୍ଟିନାର ମାଇକୋ କାସେଲା ଗୋଲ ଦେଇ ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ। ୪୯ ତମ ମିନିଟରେ ମାର୍ଟିନ ଫେରେଇରୋ ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ଆଗୁଆ କରିଥିଲେ। ହେଲେ ୫୮ ତମ ମିନିଟରେ ବ୍ଳେକ ଗୋଭର୍ସଙ୍କ ଗୋଲ ଯୋଗୁଁ ଅଷ୍ଟ୍ରେଲିଆ ମ୍ୟାଚ ଡ୍ର ରଖି ପରାଜୟରୁ ବର୍ତ୍ତିପାରିଥିଲା ।

Comments are closed.