ସାବତ ପୁଅକୁ ମାରି ମହିଳାଙ୍କ ଆତ୍ମହତ୍ୟା ମାମଲା, ସ୍ୱାମୀ ଗିରଫ | News Room Odisha

ସାବତ ପୁଅକୁ ମାରି ମହିଳାଙ୍କ ଆତ୍ମହତ୍ୟା ମାମଲା, ସ୍ୱାମୀ ଗିରଫ

କଟକ – ୨ ବର୍ଷ ବୟସ୍କ ସାବତ ପିଲାର ତଣ୍ଟି କାଟିବା ସହ ଜଣେ ମହିଳା ଆତ୍ମହତ୍ୟା କରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ମଧୁପାଟଣା ଥାନା ପୋଲିସ ସଂପୃକ୍ତ ମହିଳାଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରିଛି।

ଆତ୍ମହତ୍ୟା କରିଥିବା ମହିଳା ଶିଳ୍ପୀ ଖୁଣ୍ଟିଆଙ୍କ ବାପ ଘର ଲୋକଙ୍କ ଅଭିଯୋଗ ଆଧାରରେ ଗତକାଲି ପୋଲିସ ସ୍ୱାମୀ ସନ୍ତୋଷଙ୍କୁ ଅଟକ ରଖିଥିଲା । ଆଜି ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ସନ୍ତୋଷଙ୍କ ବାପାମା’ଙ୍କ ବିରୋଧରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ସେମାନଙ୍କୁ ବି ପଚରାଉଚରା କରିପାରେ ।

ଶିଳ୍ପୀଙ୍କୁ ଶାଶୂ ଘର ଲୋକେ ବିଭିନ୍ନ ସମୟରେ ନିର୍ଯାତନା ଦେବା ସହ ଗାଳିଗୁଲଜ କରୁଥିଲେ। ସାବତ ପୁଅ ହେଲେ ବି ଶିଳ୍ପୀ ପିଲାଟିକୁ ଭଲ ପାଉଥିବାରୁ ତାକୁ ଛଡ଼ାଇ ନେବାକୁ ତାଙ୍କ ସ୍ୱାମୀ ଓ ଶାଶୂ ଘର ଲୋକେ ଧମକ ଦେଉଥିଲେ। ତେଣୁ ସେ ଯେଉଁଠି ରହିବ, ତା’ ପୁଅ ବି ସେଇଠି ରହିବ ବୋଲି କହୁଥିବା ଶିଳ୍ପୀ ଶେଷରେ ଏପରି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ ବାପାମା’ ମଧୁପାଟଣା ଥାନାରେ ଅଭିଯୋଗ କରିଛନ୍ତି।

ଶିଳ୍ପୀଙ୍କ ଘର କଟକ ନେତାଜୀ ନଗରରେ ହୋଇଥିବା ବେଳେ ସନ୍ତୋଷଙ୍କ ଘର ସାଲେପୁର ଥାନା ମୁର୍କୁଣ୍ଡି ଗ୍ରାମରେ। ଉଭୟ ସନ୍ତୋଷ ଓ ଶିଳ୍ପୀଙ୍କର ଏହା ଥିଲା ଦ୍ୱିତୀୟ ବିବାହ । ସନ୍ତୋଷଙ୍କ ପ୍ରଥମ ପତ୍ନୀ ପ୍ରସବ ପରେ ଆଖି ବୁଜି ଦେଇଥିବା ବେଳେ ତାଙ୍କର ପୁଅଟିଏ ଥିଲା। ଶିଳ୍ପୀ ସାବତ ପୁଅକୁ ଖୁବ୍‌ ଭଲ ପାଉଥିଲେ ବି ଶାଶୂ ଘରକୁ ଯିବାକୁ ଅରାଜି ହେଉଥିଲେ। ଏହାକୁ କେନ୍ଦ୍ର କରି ଶିଳ୍ପୀ ଓ ସନ୍ତୋଷ ଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗୁଥିଲା।