ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ୨୦୨୩ର ଉଦ୍‌ଯାପନୀ ସନ୍ଧ୍ୟା, ଓଡ଼ିଶୀ ରସରେ ଦର୍ଶକ ବିମୁଗ୍ଧ

ଭୁବନେଶ୍ବର:  ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ଵାରା ଆୟୋଜିତ ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ନିମକାନ୍ତ ରାଉତରାୟ ଓ ସାଥୀଙ୍କ ଦ୍ଵାରା ଶିବ ବନ୍ଦନା ଶଙ୍କର ଶିବ ପାର୍ବତୀ ଦେବ ଚନ୍ଦ୍ରଶେଖର ତ୍ରାହୀମାମରୁ , ଯାହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ନିମକାନ୍ତ ରାଉତରାୟ । ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶିକତା ଦାସଙ୍କ ଦ୍ବାରା ପ୍ରଥମେ ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ଦ୍ବାରା ରଚିତ ଓଡ଼ିଆ କାବ୍ୟ ନନ୍ଦିକା କେଶରୀ ଯାହା ରାଗ ମଲ୍ଲିକା ଓ ତାଳ ମଲ୍ଲିକା ଉପରେ ନିବଦ୍ଧ ଥାଇ ପରିବେଶିତ ହୋଇଥିଲା ଯାହାର ସଙ୍ଗୀତ ସଂଯୋଜନା ଗୁରୁ ସ୍ବପ୍ନଶ୍ଵର ଚକ୍ରବର୍ତୀ , ବାଦ୍ୟ ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ଶିକତା ଦାସ । ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ହିମାଂଶୁ କୁମାର ରାୟ ଓ ଦିସ୍ତୀରଞ୍ଜନ ବରାଳଙ୍କ ଦ୍ଵାରା ରୁଦ୍ର ମଣ୍ଡଳ ପରିବେଶିତ ହୋଇଥିଲା ଯାହା ଭଗବାନ ଶିବଙ୍କର ରୁଦ୍ର , ମହାକାଳ ଓ ନଟରାଜ ରୂପକୁ ଦର୍ଶାଉଥିଲା । ଅନ୍ତିମ ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଦଳଗତ ଓଡ଼ିଶୀ ନୃତ୍ୟ ଯାହାକୁ ପରିବେଶଣ କରିଥିଲେ ସୃଜନ ଅନୁଷ୍ଠାନର ଶିଳ୍ପୀମାନେ । ସେମାନେ ପ୍ରଥମେ ଶିବ ତାଣ୍ଡବ ସ୍ତୋତ୍ରମ୍ ଯାହାର ସଙ୍ଗୀତ ସଂଯୋଜନା ପଣ୍ଡିତ ଭୁବନେଶ୍ଵର ମିଶ୍ର ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର । ପରେ ପରେ ରାଗ ଶଙ୍କରାଭରଣ ଓ ତାଳ ଏକତାଳୀ ଉପରେ ପଲ୍ଲବୀ ପରିବେଶିତ ହୋଇଥିଲା ।

ସେମାନଙ୍କର ଅନ୍ତିମ ପ୍ରସ୍ତୁତିଟି ଥିଲା ବନ୍ଦେ ସୂର୍ଯ୍ୟମ୍ ଯାହାର ସଂସ୍କୃତ ଅନୁବାଦ ପଣ୍ଡିତ ନିତ୍ୟାନନ୍ଦ ମିଶ୍ର , ସଙ୍ଗୀତ ସଂଯୋଜନା ଅଗ୍ନିମିତ୍ର ବେହେରା ଏବଂ ନୃତ୍ୟ ସଂରଚନା ଗୁରୁ ରତିକାନ୍ତ ମହାପାତ୍ର କରିଥିଲେ । ଗୁରୁ ରତିକାନ୍ତ ମହାପାତ୍ରଙ୍କ ନିଖୁଣ ଏବଂ ସମୟ ସାମୟିକ ସଂରଚନାରେ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ବାରା ସୁନ୍ଦର ଓ ଚମତ୍କାର ପରିବେଷଣ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଭାବୋଦ୍ଦୀପକ ଥିଲା ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ଉଦ୍‌ଯାପନୀ ସନ୍ଧ୍ୟାର ଅତିଥୀମାନେ ଥିଲେ ଭୁବନେଶ୍ଵର ମାନ୍ୟବର ମେୟର ଶୁଲୋଚନା ଦାସ ; ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ ; ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଉପ ସଭାପତି ଡଃ . ମନ୍ମଥ କୁମାର ଶତପଥୀ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ . ସଙ୍ଗୀତା ଗୋସାଇଁ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡଃ . ଶ୍ରୀନିବାସ ଘଟୁଆରୀ ଏବଂ ସଂହତି ପାଣି । ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଅଧିକାରୀ ବୃନ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ତିନି ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ନୃତ୍ୟ କାର୍ଯ୍ୟକ୍ରମଟିର ଆଲୋକ ସଂଚାଳନ ଦେବୀପ୍ରସାଦ ମିଶ୍ର କରୁଥିଲେ ।

Comments are closed.