ଗତ ଚାରି ବର୍ଷରେ ଇଲେକ୍ଟୋରାଲ୍ ବଣ୍ଡରୁ ବିଜେପି ପାଇଛି ସର୍ବାଧିକ ୫,୨୭୦ କୋଟି ଚାନ୍ଦା | News Room Odisha

ଗତ ଚାରି ବର୍ଷରେ ଇଲେକ୍ଟୋରାଲ୍ ବଣ୍ଡରୁ ବିଜେପି ପାଇଛି ସର୍ବାଧିକ ୫,୨୭୦ କୋଟି ଚାନ୍ଦା

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୧୮ ରୁ ୨୦୨୨ ମଧ୍ୟରେ କିଣାଯାଇଥିବା ସମସ୍ତ ଇଲେକ୍ଟୋରାଲ୍ ବଣ୍ଡ୍ ମଧ୍ୟରୁ ବିଜେପି ପାଇଛି ସିଂହଭାଗ । ନିର୍ବାଚନ ଆୟୋଗର ତଥ୍ୟରୁ ଏହା ଜଣାପଡ଼ିଛି । ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ କୌଣସି କମ୍ପାନୀ ଅବା ବ୍ୟକ୍ତି ନିଜ ପରିଚୟ ଗୋପନ ରଖି ରାଜନୈତିକ ଦଳଗୁଡିକୁ ଅସୀମିତ ପରିମାଣର ଅର୍ଥ ଦାନ କରିପାରିବେ ।

ରାଜନୈତିକ ଦଳଗୁଡିକ ପ୍ରକାଶ କରିଥିବା ସୂଚନା ଅନୁଯାୟୀ, ମୋଟ ୯,୨୦୮ କୋଟିରୁ ବିଜେପି ୫,୨୭୦ କୋଟି ଟଙ୍କା ପାଇଛି । ଯାହା ୨୦୨୨ ପର୍ଯ୍ୟନ୍ତ ବିକ୍ରି ହୋଇଥିବା ମୋଟ ଇଲେକ୍ଟୋରାଲ୍ ବଣ୍ଡର ୫୭ ପ୍ରତିଶତ। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ସମୟ ମଧ୍ୟରେ ୯୬୪ କୋଟି ଟଙ୍କା ତଥା ୧୦ ପ୍ରତିଶତ ଚାନ୍ଦା ପାଇ ଦ୍ୱିତୀୟ ସ୍ଥାନରେ ଥିବାବେଳେ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ୭୬୭ କୋଟି ଟଙ୍କା, ଯାହା ମୋଟ ଇଲେକ୍ଟୋରାଲ ବଣ୍ଡର ୮ ପ୍ରତିଶତ।

୨୦୧୭ରୁ ଇଲେକ୍ଟୋରାଲ୍ ବଣ୍ଡ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ରାଜନୈତିକ ଦଳମାନଙ୍କୁ ଅର୍ଥ ବା ଚାନ୍ଦା ଦେବା ପାଇଁ କୌଣସି ବ୍ୟକ୍ତିବିଶେଷ ଏବଂ କମ୍ପାନୀ ଇଲେକ୍ଟୋରାଲ୍ ବଣ୍ଡ୍ କିଣିପାରିବେ | ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳମାନଙ୍କୁ ମିଳିଥିବା ଅର୍ଥର ସ୍ରୋତ ଅଜ୍ଞାତ ରହିଥାଏ । ଏହାକୁ ବହୁ ବୁଦ୍ଧିଜୀବୀ ସମାଲୋଚନା କରିଥିଲେ । ରାଜନୈତିକ ଦଳମାନେ ଏହି ବ୍ୟବସ୍ଥା ଦ୍ବାରା କ୍ଷମତାର ଅପବ୍ୟବହାର କରିବେ ଏବଂ ଏହା ଦୁର୍ନୀତିକୁ ପ୍ରୋତ୍ସାହିତ କରିବ ବୋଲି ସେମାନେ କହିଥିଲେ । ଏହାଛଡ଼ା ଇଲେକ୍ଟୋରାଲ୍ ବଣ୍ଡଗୁଡିକ ମନି ଲଣ୍ଡରିଂ ପାଇଁ ବ୍ୟବହାର କରାଯାଇପାରେ | ସମାଲୋଚକମାନେ ଯୁକ୍ତି କରନ୍ତି ଯେ ଇଲେକ୍ଟୋରାଲ୍ ବଣ୍ଡ୍ ରାଜନୈତିକ ପାଣ୍ଠିର ସ୍ୱଚ୍ଛତା ହ୍ରାସ କରିବ ଏବଂ ଧନୀ ଦାତାମାନଙ୍କୁ ଅନୁଚିତ ଲାଭରେ ରଖିବ ।

ଇଲେକ୍ଟୋରାଲ୍ ବଣ୍ଡ୍ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମଧ୍ୟ ମାମଲା ବିଚାରାଧୀନ ରହିଛି । ଚଳିତ ମାସ ଶେଷରେ କୋର୍ଟ ଏହି ମାମଲାର ଶୁଣାଣି କରିବେ ।