ଘରୋଇ କମ୍ପାନୀ ଅଫିସରୁ ୧୩୬ଟି ନୂଆ ମୋବାଇଲ ଚୋରି ଘଟଣାରେ ଦୁଇ ଗିରଫ

ବ୍ରହ୍ମପୁର – ଜାତୀୟ ରାଜପଥ ନମ୍ବର ୧୬ ନିକଟସ୍ଥ ଏକ ଘରୋଇ କମ୍ପାନୀ କାର୍ଯ୍ୟାଳୟରୁ ୧୩୬ଟି ବ୍ରାଣ୍ଡ ନୂଆ ମୋବାଇଲ ଫୋନ ଓ ୪ଟି ଚାର୍ଜର ଚୋରି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଚୋରି ମୋବାଇଲ ଜବତ କରାଯାଇଥିବା। ଗିରଫ ଦୁଇଜଣ ବ୍ରହ୍ମପୁରର ବୋଲି ପୋଲିସ କହିଛି। ୧୬ ନମ୍ବର ଜାତୀୟ ରାଜପଥ ସାହୁ କଣ୍ଟା ନିକଟସ୍ଥ ହାଇଭଲୁପ ଲଜିଷ୍ଟିକ୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ କାର୍ଯ୍ୟାଳୟରୁ ୧୩୬ଟି ନୂଆ ଫୋନ ଓ ୪ଟି ଚାର୍ଜର ଚୋରି ହୋଇଥିବା ନେଇ ମ୍ୟାନେଜର ବିରୁପାକ୍ଷ ଦାଶ ଗୋସାଇଁ ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଏହି ଘଟଣାରେ ସଂପୃକ୍ତ କମ୍ପାନୀରେ ସେଲସମ୍ୟାନ ଭାବେ କାମ କରୁଥିବା ୨୧ ବର୍ଷିୟ ଜି. ନରେଶ ଓ ତା’ର ସାଙ୍ଗ ୨୨ ବର୍ଷିୟ ଏସ. ଅଜୟ କୁମାର ଗତ ୧୫ ତାରିଖ ରାତିରେ ମୋବାଇଲ ଚୋରି କରିଥିଲେ ବୋଲି ତଦନ୍ତରୁ ଜଣାପଡିବା ପରେ ଗୋସାଇଁ ନୂଆଗାଁ ପୋଲିସ ସେମାନଙ୍କୁ ଗିରଫ କରିବା ସହ ମୋବାଇଲ୍ ଜବତ କରିଥିଲା । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଜବତ ମୋବାଇଲ ସବୁର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ବ୍ରହ୍ମପୁର ଏସପି ବିବେକ ଶ୍ରବଣ କହିଛନ୍ତି।

Comments are closed.