୫-ଟି ଉପକ୍ରମ ଅନ୍ତର୍ଗତ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ପ୍ରଭାବ : ସରକାରୀ ସ୍କୁଲଗୁଡ଼ିକରେ ବଢ଼ିଛି ନାମଲେଖା ହାର

ଭୁବନେଶ୍ବର – ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଅନ୍ତର୍ଗତ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ସଫଳ ପ୍ରଭାବ ପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରକାରୀ ସ୍କୁଲର ଭିତ୍ତିଭୂମିର ଯେଉଁ ବିକାଶ ହୋଇଛି, ତାହାର ପ୍ରଭାବ ଦେଖିବାକୁ ମିଳୁଛି । ସରକାରୀ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି ହୋଇଛି ଓ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ସୁଫଳ ହୋଇଛି । ବିଦ୍ୟାଳୟଗୁଡିକରେ ବଢୁଛି ନାମଲେଖା ହାର । କୋଭିଡ ପୂର୍ବ ସ୍ଥିତି ତୁଳନାରେ କୋଭିଡ ପରେ ସରକାରୀ ସ୍କୁଲରେ ନାମଲେଖା ହାର ବୃଦ୍ଧି ପାଇଛି ବୋଲି ଅନୁଏଲ ଷ୍ଟାଟସ ଏଜୁକେଶନ ରିପୋର୍ଟ ବା ଅସର ୨୦୨୨ ରିପୋର୍ଟରେ ଦର୍ଶାଯାଇଛି । ଅସର ଦ୍ୱାରା କରାଯାଇଥିବା ସର୍ଭେରେ ରାଜ୍ୟରେ ୨୦୧୮ ମସିହାରେ ୬ବର୍ଷରୁ ୧୪ବର୍ଷ ବୟସ ମଧ୍ୟରେ ସରକାରୀ ବିଦ୍ୟାଳୟଗୁଡିକରେ ପଢୁଥିବା ପିଲାଙ୍କ ସଂଖ୍ୟା ୮୮.୦ ପ୍ରତିଶତ ଥିଲା । ୨୦୨୨ରେ ଏହି ହାର ବୃଦ୍ଧି ପାଇ ୯୨.୧ ପ୍ରତିଶତ ହୋଇଛି । ଅଙ୍ଗନୱାଡି କେନ୍ଦ୍ରରେ ୨୦୧୮ରେ ୩ ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୯୦.୩ ପ୍ରତିଶତ ଥିଲା ଏବଂ ୨୦୨୨ରେ ଏଥିରେ ବୃଦ୍ଧିପାଇ ୯୪.୪ ପ୍ରତିଶତରେ ହୋଇଛି । ୪ ବର୍ଷ ବୟସର ପିଲାମାନଙ୍କ ନାମଲେଖାରେ ବି ୬ ପ୍ରତିଶତ ବୃଦ୍ଧି ପାଇଛି ।

କୋଭିଡ ଲକଡାଉନ କାରଣରୁ ଦୂର ସ୍ଥାନରୁ ନିଜ ଘରକୁ ଫେରିବା ପରେ ନିଜପିଲାଙ୍କୁ ଆଉ ଦୂରସ୍ଥାନକୁ ପଢ଼ିବା ପାଇଁ ନପଠାଇ ସରକାରୀ ବିଦ୍ୟାଳୟରେ ପଢାଇବା ପାଇଁ ଆଗ୍ରହ ବଢିଛି । ସେହିପରି କୋଭିଡ ସମୟରେ ଆର୍ଥିକ ସଙ୍କଟରେ ପଡିଯାଇଥିବା ପରିବାର ଲୋକେ ଇଂରାଜୀ ମିଡିୟମ ପରିବର୍ତ୍ତେ ସରକାରୀ ବିଦ୍ୟାଳୟରେ ନିଜ ପିଲାଙ୍କୁ ପଢାଇଛନ୍ତି । ଏହାସହ ସରକାରୀ ବିଦ୍ୟାଳୟରେ ମାଗଣା ସୁବିଧା ଅଭିଭାବକଙ୍କୁ ସରକାରୀ ବିଦ୍ୟାଳୟରେ ପିଲାଙ୍କୁ ପଢାଇବାକୁ ଉତ୍ସାହ ଯୋଗାଉଛି ।

‘ଅସର’ ଦ୍ୱାରା ରାଜ୍ୟର ୩୦ଟି ଜିଲ୍ଲାର ୯୦୦ଟି ଗ୍ରାମରେ ୩ରୁ ୧୬ ବର୍ଷ ବୟସର ୨୮ହଜାର ୭୮୦ ପିଲାମାନଙ୍କୁ ନେଇ ସର୍ଭେ କରାଯାଇଥିଲା ।

Comments are closed.