‘ବିଜେପିର ମହିଳା ବ୍ରିଗେଡ୍ ଚୁପ୍ କାହିଁକି ?’ ଭାରତୀୟ କୁସ୍ତି ମହାସଂଘ ବିବାଦ ନେଇ ମହୁଆଙ୍କ କଟାକ୍ଷ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ)ର ସଭାପତି ତଥା ବିଜେପି ସାଂସଦ ବ୍ରଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ତଥା ମାନସିକ ନିର୍ଯାତନା ଅଭିଯୋଗ କରି ରେସଲରମାନେ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ରେସଲରମାନେ ଡବ୍ଲୁଏଫ୍ଆଇ ସଭାପତିଙ୍କୁ ହଟାଇବା ସହ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛନ୍ତି । ଏହି ସମୟରେ ବହୁ ରାଜନୈତିକ ଦଳର ନେତାମାନେ ମଧ୍ୟ ରେସଲରଙ୍କ ସମର୍ଥନରେ ଆଗେଇ ଆସିଛନ୍ତି।

ଏହି ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର ଟ୍ୱିଟ୍ କରି ବିଜେପିକୁ ଟାର୍ଗେଟ କରିଛନ୍ତି। ବିଜେପିର ମହିଳା ନେତ୍ରୀଙ୍କ ନୀରବତା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି । ମହୁଆ କହିଛନ୍ତି, “ବିଜେପିର ମହିଳା ବ୍ରିଗେଡ୍ ମଧ୍ୟ କ’ଣ ମୌନବ୍ରତ ସପ୍ତାହ ପାଳନ କରୁଛନ୍ତି କି? ବିଜେପି ସାଂସଦ ଡବ୍ଲୁଏଫ୍ଆଇ ସଭାପତିଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଉପରେ ବିଜେପିର କୌଣସି ବି ମହିଳା ନେତା ମୁହଁ ଖୋଲି ନାହାଁନ୍ତି। ମୁଁ ମାନନୀୟା ମହିଳା ମନ୍ତ୍ରୀ ଏବଂ ଡ୍ରାମାବାଜଙ୍କଠାରୁ ପଦଟିଏ ବି ଶୁଣିନାହିଁ ।”

ମହୁଆ ମଇତ୍ରଙ୍କ ପୂର୍ବରୁ କଂଗ୍ରେସର ମହିଳା ନେତା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗରେ ଟୁଇଟ୍ କରି ରେସଲରମାନଙ୍କୁ ସମର୍ଥନ ଜଣାଇଥିଲେ । ଡବ୍ଲୁଏଫ୍ଆଇ ସଭାପତିଙ୍କ ବିରୋଧରେ ଅଭିଯୋଗର ତଦନ୍ତ କରାଯିବା ଉଚିତ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଡବ୍ଲୁଏଫ୍ଆଇ ସଭାପତି ବ୍ରଜ ଭୂଷଣ ଶରଣ ସିଂହ କହିଛନ୍ତି ଯେ ସେ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ । ସେ କହା ଦୟାରେ ଏହି ପଦରେ ବସି ନାହାଁନ୍ତି ବୋଲି ଏହି ବିଜେପି ସାଂସଦ କହିଛନ୍ତି ।

Comments are closed.