ପଦ୍ମଶ୍ରୀ ପାଇବେ ଡ. କ୍ରୀଷ୍ଣା ପଟେଲ, ପଶ୍ଚିମ ଓଡିଶାରେ ଖୁସିର ଲହରୀ 

ସମ୍ବଲପୁର : ଶେଷରେ ପ୍ରଖ୍ୟାତ ସମ୍ବଲପୁରୀ ଲୋକ ଗାୟିକା ତଥା ରଙ୍ଗବତୀ ଗୀତର ଅନ୍ୟତମ ଗାୟିକା ଡ. କ୍ରୀଷ୍ଣା ପଟେଲ ପାଇବେ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ। ଆଜି କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ଫଳରେ ସାରା ପଶ୍ଚିମ ଓଡିଶାରେ ଖୁସିର ଲହରୀ ଖେଳି ଯାଇଛି। ଦୀର୍ଘ 6 ଦଶନ୍ଧି ଧରି ଲୋକ ସଂଗୀତର ସାଧନାରେ ନିମଗ୍ନ ଥିବା କ୍ରୀଷ୍ଣା ସଂଗୀତ ପାଇଁ ଆଜୀବନ ଅବିବାହିତ ରହି ଆସିଛନ୍ତି। ଏହା ପୂର୍ବରୁ ରଙ୍ଗବତୀ ଗୀତର ଅନ୍ୟତମ ଗାୟକ ଜିତେନ୍ଦ୍ର ହରିପାଲ ଏବଂ ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ପଦ୍ମଶ୍ରୀ ମିଳିସାରିଛି।

1951 ଜାନୁଆରୀ 1 ତାରିଖରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ଏକ ଅଘରିଆ ପରିବାରରେ ଜନ୍ମ ହୋଇଥିଲେ କ୍ରୀଷ୍ଣା। 7 ଭାଇ ଭଉଣୀ ମଧ୍ୟରୁ ଦ୍ବିତୀୟ ସନ୍ତାନ ଥିବା କ୍ରୀଷ୍ଣା ପିଲାଟି ଦିନରୁ ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ। ଖୁବ କମ ବୟସରେ କ୍ରୀଷ୍ଣା ଆକାଶବାଣୀର ଜଣେ ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ। ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ରଙ୍ଗବତୀ ଗୀତ ରେକର୍ଡିଂ ହେବା ବେଳକୁ କ୍ରୀଷ୍ଣାଙ୍କୁ ମାତ୍ର 27 ବର୍ଷ ବୟସ ହେଉଥିଲା। ଆଉ ଏହି ଗୀତ ହିଁ ତାଙ୍କୁ ପ୍ରସିଦ୍ଧିର ଶୀର୍ଷକୁ ନେଇଥିଲା। ଇତିମଧ୍ୟରେ ସେ ହଜାର ସଂଖ୍ୟାରେ ଗୀତ ଗାଇଥିବା ବେଳେ ସେଥିରେ ଉଭୟ ଓଡିଆ ଓ ସମ୍ବଲପୁରୀ ଭଜନ ଏବଂ ଲୋକଗୀତ ରହିଛି। ଦେଶ ତଥା ବିଦେଶ ମାଟିର ଅନେକ ସ୍ଥାନରେ ଗୀତ ପରିବେଷଣ କରିଥିବା କ୍ରୀଷ୍ଣା ଉ+ଳ ବିଶ୍ବବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପାଇ ସାରିଛନ୍ତି। ସ୍ନାତକ ଶିକ୍ଷା ପରେ ସେ ପୁଲିସ ବିଭାଗରେ ଚାକିରି ଜୀବନ ଆରମ୍ଭ କରି ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଡିଆଇଜିଙ୍କ ଅଫିସରୁ ସେକ୍ସନ୍ ଅଫିସର ଭାବେ ଅବସର ନେଇଥିଲେ। ଆଉ ଚାକିରି ଜୀବନ ଭିତରେ ସଂଗୀତ ସାଧନା ଚାଲିଥିବା ବେଳେ ଅବସର ପରେ ପୁରା ସମୟ ସଂଗୀତ ସହ ବିତାଉଛନ୍ତି।

‘ରଙ୍ଗବତୀ’ ପରେ ‘ଆହାରେ ଲରି ମଟର…,’ ‘ରସରକେଲି ବୋ…,’ ‘ରାଧା ନନି ଲହରମନିରେ ଗେଲେହି ମୋର…’ ଆଦି ଆଦି ହଜାର ହଜାର ଲୋକପ୍ରିୟ ଗୀତ ସମେତ ବହୁ ସମ୍ବଲପୁରୀ ଏବଂ ଓଡିଆ ଭଜନରେ ସେ କଣ୍ଠଦାନ କରି ପ୍ରଶଂସା ସାଉଟି ଆସିଛନ୍ତି। ଆଜି ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ନାଁ ଘୋଷଣା ହେବା ପରେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।

Comments are closed.