ଆଜି ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି , ସର୍ବତ୍ର ପାଳିତ ହେବ ବାଗ୍ଦେବୀ ମା ସରସ୍ୱତୀ ପୂଜା

ସରସ୍ୱତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ କରାଯାଏ।ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟା ର ଅଧିଷ୍ଠାତ୍ରୀ ଦେବୀବିଦ୍ୟାଦାୟିନୀ,ହଂସ ବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ।ଛାତ୍ରଛାତ୍ରୀମାନେ ପୂଜାମଣ୍ଡପକୁ ଅତି ମନୋରମଭାବେ ସଜାଇ ଥାଆନ୍ତି।ମାତାସରସ୍ୱତୀ ଙ୍କରପୂଜା ଓ ପୁଷ୍ପାଞ୍ଜଳୀ ଦେବାପର୍ଯ୍ୟନ୍ତ ସେମାନେ ଉପବାସ ରଖିଥାନ୍ତି।ଏଇଦିନ ପିଲାମାନେ ଦେବୀ ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ସେମାନ ଙ୍କର ପାଠ୍ୟପୁସ୍ତକ ଓ କଲମ ଆଦିକୁ ମାତାଙ୍କ ପାଖରେ ସମର୍ପଣ କରିଥାନ୍ତି ।

ମା ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣକରି ଗଳାରେ ଗଜ ମୋତି ଏବଂ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣକରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି।ମା ସରସ୍ୱତୀ ବିଦ୍ୟାର୍ଥୀ ଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି ।

ପ୍ରାଚୀନ କାଳରେ ରାଜା ମହାରାଜାମାନେ ଶ୍ରୀ ପଞ୍ଚମୀକୁ ‘ରତିକାମ ମହୋତ୍ସବ’ ରୂପେ ପାଳନ କରୁଥିଲେ ।ମାଘମାସ ଶୁକ୍ଳ ପଞ୍ଚମୀକୁ ଶ୍ରୀପଞ୍ଚମୀ ବା ବସନ୍ତପଞ୍ଚମୀ ଭାବେ ପାଳନ କରାଯାଏ । ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲର ସୁରଭି ଭରି ସ୍ୱାଗତ କରେ ବିଦ୍ୟାଦାୟିନୀ ମା’ ସରସ୍ୱତୀଙ୍କୁ ମାଘ ଶୁକ୍ଳ ପଞ୍ଚମୀରେ । ଶୁକ୍ଳ ପ୍ରତିପଦା ଠାରୁ ଆରମ୍ଭ ହେଇଥାଏ ଗୁପ୍ତ ନବରାତ୍ର । ଏହି ଗୁପ୍ତ ନବରାତ୍ରରେ ଦୈବୀଶକ୍ତିଙ୍କର ପୂର୍ଣ୍ଣ ପ୍ରଭାବଥାଏ । ମା’ ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା । ମା’ ସରସ୍ୱତୀ, ମା’ ଲକ୍ଷ୍ମୀ , ମା’ କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର । ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ମହାସରସ୍ୱତୀ ସ୍ୱତନ୍ତ୍ର ରୂପରେ ପୂଜା ପାଇଥାନ୍ତି ।

ପ୍ରାଚୀନ କାଳରେ ରାଜା ମହାରାଜାମାନେ ଏହି ଦିନକୁ କୌମୁଦୀ ମହୋତ୍ସବ ରୂପେ ପାଳନ କରୁ ଥିଲେ । ଫୁଲରେ ରାଜଉଆସ ସଜା ହେଉଥିଲା, ଫୁଲର ଦୋଳିରେ ରାଜାରାଣୀ ଦୋଳି ଖେଳୁ ଥିଲେ, ପ୍ରଜାମାନେ ଆସି ରାଜ ଉଆସରେ ଭୋଜନ କରୁଥିଲେ।ମାଘ ପଞ୍ଚମୀରେ ଗୋପୀ ମାନେ ମଧ୍ୟ କୃଷ୍ଣଙ୍କ ସହ ରାସଉତ୍ସବ ମନାଉଥିଲେ ।

କେତେକ ଅଞ୍ଚଳରେ ପବିତ୍ରତାର ସହ ଉଭୟ ସ୍ୱାମୀ-ସ୍ତ୍ରୀ ମାଘ ଶୁକ୍ଳ ପଞ୍ଚମୀକୁ ପ୍ରେମ ଦିବସ ରୂପେ ପାଳନ କରିଥାନ୍ତି । କାମଦେବ ଓ ରତିଙ୍କୁ ହଳଦିଆ ଫୁଲରେ ପ୍ରତିମା କରି ଦାମ୍ପତ୍ୟ ସୁଖପାଇଁ ପୂଜା କରିଥାନ୍ତି । ଶାସ୍ତ୍ର ଅନୁସାରେ ଶ୍ରୀପଞ୍ଚମୀ ଦିନ ବିବାହ , ନିର୍ବନ୍ଧ କାର୍ଯ୍ୟ କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଯେଉଁମାନଙ୍କର ବିବାହ ହେଇପାରୁନି , ସେମାନେ ଏହି ସମୟରେ ଶ୍ରଦ୍ଧା ଭକ୍ତିର ସହ ହଳଦୀ ଲଗାଇ ସ୍ନାନକରି ହଳଦିଆ ବସ୍ତ୍ର ପରିଧାନ କରି କୃଷ୍ଣ ଭଗବାନଙ୍କୁ ହଳଦିଆ ବସ୍ତ୍ରରେ ସଜାଇ ହଳଦିଆ ଫୁଲରେ ସଜାହେଇଥିବା ଝୁଲାରେ ଝୁଲାଇ ବସନ୍ତ ଉତ୍ସବ ପାଳନ କଲେ ବିବାହ ସହଜରେ ହୋଇଯାଏ ବୋଲି ବିଶ୍ୱାସ ରହିଛି ।

ସୂର୍ଯ୍ୟୋଦୟ ପୂର୍ବରୁ ବିଦ୍ୟାର୍ଥୀଗଣ ଉଠି ଫୁଲ ତୋଳନ୍ତି । ଘରକୁ ଫୁଲକୁ ଆଣି ଗାଧୋଇ ପାଧୋଇ ଉପବାସ କରିବା ସଙ୍ଗେସଙ୍ଗେ ନୂଆ ବସ୍ତ୍ର ପରିଧାନ କରି ଫୁଲରେ ମାଳ ଗୁନ୍ଥି ଦେବୀ ସରସ୍ୱତୀଙ୍କ ପୂଜା କରି ପୁଷ୍ପାଞ୍ଜଳି ଦିଅନ୍ତି । ପୁଷ୍ପମାଳା ସୁଶୋଭିତ ଦେବୀଙ୍କ ମୂର୍ତ୍ତି ଘଣ୍ଟ, ଘଣ୍ଟା ଏବଂ ଶଙ୍ଖ ଆଦି ବାଦ୍ୟ ବାଦନ ମଧ୍ୟରେ ପୂଜିତ ହୁଅନ୍ତି । କୁନ୍ଦପୁଷ୍ପ ଦେବୀ ସରସ୍ୱତୀଙ୍କର ଅତି ପ୍ରିୟ । ଭୋଗ ଭାବେ ଖଇ, ଉଖୁଡ଼ା, ନଡ଼ିଆ ଆଦି ବଢ଼ାଯାଇଥାଏ । ପଞ୍ଚାମୃତ ରୂପରେ ଦୁଧ, ଘିଅ, ଦହି, ମହୁ ଓ ଶର୍କରା ଏକତ୍ର କରି ଦେବୀଙ୍କୁ ପ୍ରଦାନ କରାଯାଏ । ଦେବୀଙ୍କ ଆଗରେ ହୋମ ମଧ୍ୟ କରାଯାଏ । ସରସ୍ୱତୀ ପୂଜା ଦିନ ପୁରାଣ ଗ୍ରନ୍ଥ ସହ ନିଜର ପୁସ୍ତକାଦି ପୂଜା କରିବା ବିଧେୟ । ଏହି ଦିନ ଧଳାବସ୍ତ୍ର, ଧଳାଫୁଲ, ଫଳ ମା’ଙ୍କୁ ଅର୍ପଣ କରାଯାଏ । ସରସ୍ୱତୀ ଯନ୍ତ୍ର ପୂଜା କରନ୍ତୁ । ଲାଲ କାଳିରେ ଲେଖି ଚନ୍ଦନ ଲଗାଇ ଧଳା ଫୁଲ ଚଢାଇ ମା’ଙ୍କୁ ପୂଜା କରାଯାଏ । ମା’ ସରସ୍ୱତୀଙ୍କ ଆରାଧନା, ପୂଜାରେ ଦହି, ଧଳା ଫୁଲ, ଚନ୍ଦନ, ଆଖୁ, ଖିରୀ, ଧଳା ବସ୍ତ୍ର, ମୋତି, ରୂପା, ଧଳାମାଳି ଅଳଙ୍କାର ,ଅଦା, ଅଁଳା, ଘିଅ, ନଡ଼ିଆ, ଋତୁଫଳ ସ୍ୱରୂପ ବରକୋଳି ଅର୍ପଣ କରାଯାଏ ।

ପୂର୍ବେ ସରସ୍ୱତୀ ପୂଜା ଦିନ ନଡ଼ିଆ ଖୋଜା ଓ ଦାଣ୍ଡ ମାଗୁଣି ପରମ୍ପରା ଥିଲା । ନଡ଼ିଆ ଖୋଜାରେ, ପୋଖରୀରେ ପୋତାଯାଇଥିବା ଗୋଟିଏ ନଡ଼ିଆକୁ ପିଲାମାନେ ଖୋଜୁଥିଲେ । ଦାଣ୍ଡ ମାଗୁଣିରେ, ନଡ଼ିଆ ପାଇଥିବା ପିଲାଟି ବେକରେ ଗେଣ୍ଡୁହାର ପକାଇ ଅନ୍ୟ ପିଲାଙ୍କ ମେଳରେ ଆଗେ ଆଗେ ଯାଉଥିଲା ଓ ଗୀତ ବୋଲି ଅବଧାଙ୍କ ନିମନ୍ତେ ଦକ୍ଷିଣା ଓ ବସ୍ତ୍ର ସଂଗ୍ରହ କରୁଥିଲେ । ମେଲାଣି ଶେଷରେ ଅବଧାନଙ୍କ ଘରକୁ ଯାଇ ସମସ୍ତ ସଂଗୃହିତ ପଇସା ଓ ଜିନିଷ ପହଞ୍ଚାଉଥିଲେ ।

ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀ:- ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ହୁଏ ଓ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ କରାଯାଏ ।

Comments are closed.