ସଂସଦରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଦାବି ପ୍ରଭାବୀ ଢଙ୍ଗରେ ଉଠାଇବେ ବିଜେଡି ସାଂସଦ | News Room Odisha

ସଂସଦରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଦାବି ପ୍ରଭାବୀ ଢଙ୍ଗରେ ଉଠାଇବେ ବିଜେଡି ସାଂସଦ

ଭୁବନେଶ୍ୱର – ସଂସଦର ଆସନ୍ତା ବଜେଟ ଅଧିବେଶନରେ ରଣନୀତି ପ୍ରସ୍ତୁତ ପାଇଁ ବିଜେଡି ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଛି। ନବୀନ ନିବାସରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରସ୍ତୁତ ହୋଇଛି ରଣନୀତି । ସଂସଦର ଉଭୟ ଗୃହରେ ବିଜେଡି ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗଗୁଡିକୁ ଜୋରଦାର ଢଙ୍ଗରେ ଉପସ୍ଥାପନ କରିବ। ବିଭିନ୍ନ ସମୟରେ ବିଜେପି ନେତାମାନେ କରୁଥିବା ଅପପ୍ରଚାରର ଦୃଢ ଜବାବ ଦେବା ଉପରେ ମୁଖ୍ୟମନ୍ତ୍ରୀ ଦଳୀୟ ସାଂସଦମାନଙ୍କୁ କହିଛନ୍ତି। କାରଣ ବିଜେପିର ଅପପ୍ରଚାର ଯୋଗୁଁ ରାଜ୍ୟବାସୀଙ୍କ ସ୍ବାର୍ଥ ହାସଲ ହୋଇପାରୁନି ଓ ଗରିବଗୁରୁବା ଲୋକ ପ୍ରଭାବିତ ହେଉଛନ୍ତି । ବଳକା ଉଷୁନା ଚାଉଳ ଉଠାଣ, ମହିଳା ସଂରକ୍ଷଣ ବିଲ୍‌କୁ ପାସ କରିବା ପ୍ରସଙ୍ଗ ଉପରେ ସଂସଦରେ ଶାଣିତ ହେବ ବିଜେଡି ସାଂସଦଙ୍କ ସ୍ୱର ।

ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଦାବିକୁ ଆହୁରି ଜୋରଦାର କରାଯିବ । ସେହିଭଳି ୧୬୯ ଜନଜାତିଙ୍କୁ ତାଲିକାଭୁକ୍ତ କରିବା ଦାବି ଉଠାଇବ ଦଳ । ରେଳ କ୍ଷେତ୍ରରେ ଓଡ଼ିଶାକୁ ନ୍ୟାୟ ମିଳୁନଥିବାରୁ ସଂସଦର ଉଭୟ ଗୃହରେ ବିଜେଡି ସାଂସଦମାନେ ଏହାର ପ୍ରତିବାଦ କରିବେ । ଆବାସ ଯୋଜନାରେ ଅନ୍ୟାୟ ଭାବେ ୪ଲକ୍ଷ ହିତାଧିକାରୀଙ୍କ ନାମ ତାଲିକାକୁ କେନ୍ଦ୍ର କାଟି ଦେଇଛି । ଓଡିଶାର ଆହୁରି ୧୫ ଲକ୍ଷ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ସାମିଲ ହେବାର ଆବଶ୍ୟକ ରହିଛି । ସଂସଦରେ ଏନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ବିଜେଡି ସାସଂଦ । ରାଷ୍ଟ୍ରୀୟ ରାଜମାର୍ଗ ଓ ଟେଲିକମ ନେଟୱାର୍କ କ୍ଷେତ୍ରରେ ମଧ୍ୟ ଅବହେଳିତ ହେଉଛି ଓଡ଼ିଶା । ଦୀର୍ଘ ବର୍ଷ ଧରି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ହେଉଥିବା ଦାବିକୁ ଅଣଦେଖା କରୁଛି କେନ୍ଦ୍ର । ରାଜ୍ୟକୁ ମିଳୁନି ପର୍ଯ୍ୟାପ୍ତ କେନ୍ଦ୍ରୀୟ ଅନୁଦାନ । ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ପାଉନଥିବା ଭୂମିଜ ଭାଷାକୁ ସାମିଲ କରିବା ପାଇଁ ହେଉଥିବା ଦାବିକୁ ମଧ୍ୟ କର୍ଣ୍ଣପାତ କରୁନି କେନ୍ଦ୍ର । ଏ ସବୁ ପ୍ରସଙ୍ଗ ସଂସଦରେ ପ୍ରଭାବୀ ଢଙ୍ଗରେ ଉଠାଇବା ପାଇଁ ନିଷ୍ପତ୍ତି ହୋଇଛି ।