ରୋମାଞ୍ଚକର ଫାଇନାଲ ଓ ଜର୍ମାନୀର ବିଜୟ ସହ ହକି ବିଶ୍ୱକପ ଶେଷ

ଭୁବନେଶ୍ୱର – ରୋମାଞ୍ଚକର ଫାଇନାଲ ଓ ଜର୍ମାନୀର ବିଜୟ ସହ ଶେଷ ହୋଇଛି ଓଡିଶାରେ ଚାଲିଥିବା ପୁରୁଷ ବିଶ୍ଵକପ ହକି । ଗତଥରର ଚାମ୍ପିଅନ ବେଲଜିୟମକୁ ସୁଟଆଉଟରେ ପରାସ୍ତ କରି ତୃତୀୟ ଥର ପାଇଁ ବିଶ୍ୱକପ ଚାମ୍ପିଅନ ହୋଇଛି ଜର୍ମାନୀ। ନିର୍ଦ୍ଧାରିତ ୬୦ ମିନିଟ ଖେଳରେ ଉଭୟ ଦଳ ପରସ୍ପରକୁ ୩ଟି ଲେଖାଏଁ ଗୋଲ ଦେଇଥିଲା ବେଳେ ସଡନଡେଥରେ ଜର୍ମାନୀ ୫-୪ ଗୋଲରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା । ଫାଇନାଲରେ ପରାଜୟ ସହ ଗୋଲ୍ଡେନ ଟ୍ରିପଲ ଟାଇଟଲ ହାସଲରୁ ବଞ୍ଚିତ ହୋଇଛି ବେଲଜିୟମ। ବେଲଜିୟମ ୨୦୧୮ରେ କଳିଙ୍ଗରେ ଖେଳାଯାଇଥିବା ହକି ବିଶ୍ୱକପରେ ଟାଇଟଲ ହାସଲ କରିଥିଲା । ପରେ ୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ବେଲଜିୟମ ।

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଆରମ୍ଭରୁ ହିଁ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା ବେଲଜିୟମ। ପ୍ରଥମାର୍ଦ୍ଧରେ ନବମ ଓ ଦଶମ ମିନିଟରେ ବେଲଜିଅମ ଗୋଲ ସ୍କୋର କରିଥିଲା । ଦଳ ୨-୦ ଗୋଲରେ ଆଗୁଆ ରହିଥିଲା । କିନ୍ତୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା ଜର୍ମାନୀ। ୨୮ତମ ମିନିଟରେ ଜର୍ମାନୀ ପକ୍ଷରୁ ଗୋଟିଏ ଗୋଲ ଶୁଝାଇ ଦିଆଯାଇଥିଲା । ପ୍ରଥମ ତିରିଶ ମିନିଟ ଖେଳରେ ବେଲଜିୟମ ୨-୧ ଗୋଲରେ ଆଗୁଆ ରହିଥିଲା ।

ଦ୍ୱିତୀୟାର୍ଦ୍ଧରେ ଜର୍ମାନୀ ଆଉ ଦୁଇଟି ଗୋଲ ସ୍କୋର କରିଥିଲା ମ୍ୟାଚର ୪୦ ଓ ୪୭ତମ ମିନିଟରେ ଗୋଲ ଦେଇ ୩-୨ରେ ଆଗୁଆ ରହିଥିଲା ଜର୍ମାନୀ। କିନ୍ତୁ ନିର୍ଦ୍ଧାରିତ ସମୟ ଶେଷହେବାର ମାତ୍ର ଦୁଇ ମିନିଟ ପୂର୍ବରୁ ମିଳିଥିବା ଏକ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ ବେଲଜିୟମର ଷ୍ଟାର ଖେଳାଳି ଟମ୍ ବୁନ୍ । ମ୍ୟାଚ ୩-୩ ଗୋଲରେ ବରାବର ରହିଲା ପରେ ସଡନଡେଥରେ ଜର୍ମାନୀ ୫-୪ ଗୋଲରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା । ଜର୍ମାନୀ ପୂର୍ବରୁ ୨୦୦୨ ଓ ୨୦୦୬ ମସିହାରେ ମଧ୍ୟ ଚାମ୍ପିଅନ ହୋଇଥିଲା ।

ଏଥର ଜର୍ମାନୀ ଓ ବେଲଜିୟମ ଗୋଟିଏ ଗ୍ରୁପରେ ଥିଲ । ଗ୍ରୁପ ‘ବି’ରେ ଦୁଇ ଦଳ ମଧ୍ୟରେ ମ୍ୟାଚ ଡ୍ର ରହିଥିଲା । ସେମିଫାଇନାଲରେ ଜର୍ମାନୀ, ଅଷ୍ଟ୍ରେଲିଆକୁ ଓ ବେଲଜିୟମ, ନେଦରଲ୍ୟାଣ୍ଡସକୁ ହରାଇଥିଲା । ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ନେଦରଲ୍ୟାଣ୍ଡସ ଅଷ୍ଟ୍ରେଲିଆକୁ ହରାଇଛି ।

Comments are closed.