ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା ମାମଲା: ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା ମାମଲାରେ ଦିଲ୍ଲୀ କୋର୍ଟ ଆଜି ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସୋମବାର ଏହି ମାମଲାରେ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ ।

ଏହାପୂର୍ବରୁ ଦିଲ୍ଲୀ ପୋଲିସ ମିଶ୍ରାଙ୍କ ଜାମିନ ଆବେଦନକୁ ବିରୋଧ କରି କହିଥିଲା ​​ଯେ ଏହି ଘଟଣା ଯୋଗୁଁ ଭାରତ ସାରା ବିଶ୍ୱରେ ବଦନାମ ହୋଇଛି। କିନ୍ତୁ ଜଜ୍ ଏହା ଏକ ଭିନ୍ନ କଥା ବୋଲି କହି ପୋଲିସର ଏହି ଯୁକ୍ତି ଗ୍ରହଣ କରିନଥିଲେ ।

ଶଙ୍କର ମିଶ୍ରା ତଦନ୍ତରେ ସହଯୋଗ କରିନଥିଲେ ବୋଲି ମଧ୍ୟ ଦିଲ୍ଲୀ ପୋଲିସ ଦାବି କରିଥିଲା । ପୂର୍ବରୁ ଜାନୁୟାରୀ ୧୧ରେ କୋର୍ଟ ଶଙ୍କର ମିଶ୍ରାଙ୍କ ଜାମିନ ନାମଞ୍ଜୁର କରିଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ବୟସ୍କା ମହିଳାଙ୍କ ଉପରେ ଶଙ୍କର ମିଶ୍ରା ନିଶାସକ୍ତ ଅବସ୍ଥାରେ ପରିସ୍ରା କରିଥିଲେ ।

ମହିଳାଙ୍କ ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଜାନୁଆରୀ ୪ରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଜାନୁଆରୀ ୭ରେ ବାଙ୍ଗାଲୋର ପୋଲିସ ସହାୟତାରେ ସହରର ସଞ୍ଜୟ ନଗର ଅଞ୍ଚଳରୁ ଶଙ୍କର ମିଶ୍ରାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା ।

ପରିସ୍ରାକାଣ୍ଡ ପାଇଁ ଶଙ୍କର ମିଶ୍ରାଙ୍କୁ ଏୟାର ଇଣ୍ଡିଆ ଚାରିମାସ ପାଇଁ ବ୍ୟାନ୍ କରିଛି।

Comments are closed.