ବଂଶୀଧର ପ୍ରତିହାରୀଙ୍କୁ ମର୍ଯ୍ୟାଦାଜନକ ଧର୍ମପଦ ପୁରସ୍କାର ପ୍ରଦାନ, ୫ ଶିଳ୍ପୀ ସମ୍ବର୍ଦ୍ଧିତ

ଭୁବନେଶ୍ବର: ଓଡ଼ିଶା ଲଳିତ କଳା ଏକାଡେମୀ , ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡିଶାଙ୍କ ଦ୍ବାରା ୨୦୨୨ ମସିହା ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ସହିତ ୪୦ ତମ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ ଆଜି ପୂର୍ବାହ୍ନରେ ଭୁବନେଶ୍ବରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ବାରା ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ସମଗ୍ର ଜୀବନର ନିରବଚ୍ଛିନ୍ନ ସାଧନା ନିମନ୍ତେ ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ୧୯୮୭ ମସିହାରୁ ପ୍ରଦାନ କରାଯାଇ ଆସୁଛି । ଧର୍ମପଦ ପୁରସ୍କୃତ ଶିଳ୍ପୀଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଏବଂ ସମ୍ବଦ୍ଧିତ ଶିଳ୍ପୀମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ସହ ତାମ୍ରଫଳକ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଅଛି । ୯୪ ବର୍ଷୀୟ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀ ୨୦୨୨ ମସିହା ପାଇଁ ଏହି ମର୍ଯ୍ୟାଦାଜନକ ଧର୍ମପଦ ପୁରସ୍କାର ଲାଭ କରିଛନ୍ତି । ଏଥିସହ ବିଶିଷ୍ଟ ଭାସ୍କର୍ଯ୍ୟ ଓ ଚିତ୍ରଶିଳ୍ପୀ ବ୍ରଜବନ୍ଧୁ ମିଶ୍ର , ବିଶିଷ୍ଟ ତାଳପତ୍ର ଚିତ୍ରଶିଳ୍ପୀ ଲକ୍ଷ୍ମୀଧର ସୁବୁଦ୍ଧି , ବିଶିଷ୍ଟ ପାରମ୍ପରିକ ପଟ୍ଟଚିତ୍ର ଶିଳ୍ପୀ ଭ୍ରମରବର ନାୟକ , ଚିତ୍ରଶିଳ୍ପୀ ରମେଶ କୁମାର ବେହେରା ଓ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ କେଶବ ଚନ୍ଦ୍ର ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ତତ୍ ସହିତ ମନୋନୀତ ୭ ଜଣ ଶିଳ୍ପୀଙ୍କୁ ପାରମ୍ପରିକ ଚିତ୍ରକଳା , ଭାସ୍କର୍ଯ୍ୟ କଳା , ମୁଦ୍ରଣ କଳା ଓ ଚିତ୍ରକଳା କ୍ଷେତ୍ରରେ ୪୦ ତମ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ କରାଯାଇଛି । ଭାସ୍କର୍ଯ୍ୟ କଳାରେ ଶିଳ୍ପୀ ପ୍ରତାପ ଚନ୍ଦ୍ର ଜେନା ଓ ଶିଳ୍ପୀ ଅଶାନ୍ତ ଦାସ , ମୁଦ୍ରଣ କଳାରେ ଶିଳ୍ପୀ ରବି ନାରାୟଣ ଗୁପ୍ତା ଓ ଶିଳ୍ପୀ ଟୁକୁନା ଡାକୁଆ , ପାରମ୍ପରିକ ଚିତ୍ରକଳାରେ ଶିଳ୍ପୀ ଶ ନିରଞ୍ଜନ ମୁଖି , ଚିତ୍ରକଳାରେ ଶିଳ୍ପୀ ଶୀତିକାନ୍ତ ସାମନ୍ତଶିଙ୍ଗାର ଓ ଶିଳ୍ପୀ ଅମିତ କୁମାର ଓଝାଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ସହ ତାମ୍ରଫଳକ ଓ ଉପଢୌକନ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଛି ।

ସଂସ୍କୃତି ଭବନରେ ଅନୁଷ୍ଠିତ ଏହି ବର୍ଷାଜ୍ୟ ଉତ୍ସବରେ ରାଜ୍ୟ ପର୍ଯ୍ୟଟନ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିଳ୍ପୀମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ , ଶିଳ୍ପୀମାନେ ସେମାନଙ୍କର ସାଧନା ଓ ସମର୍ପଣ ଭାବ ନେଇ କଳାକ୍ଷେତ୍ରକୁ ପ୍ରସ୍ଫୁଟିତ କରିଛନ୍ତି । ସେମାନେ ଆମର ଚିର ନମସ୍ୟ , ପ୍ରଣମ୍ୟ । କିମ୍ବଦନ୍ତୀ ଅନୁସାରେ ଉତ୍କର୍ଷ କଳା ଯୋଗୁଁ ଆମ ରାଜ୍ୟ ଉତ୍କଳ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ବିଶ୍ବ ପ୍ରସିଦ୍ଧ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର , କୋଣାର୍କ ମନ୍ଦିର ଏହାର ସାକ୍ଷୀ ସେହିପରି ବିଦେଶରେ କାମ୍ବୋଡିଆ , ଇନ୍ଦୋନେସିଆର ବାଲିଦ୍ୱୀପରେ କଳାର ଆଲେଖ୍ୟ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଓଡ଼ିଶାର ସବୁ ପ୍ରାନ୍ତରରେ କଳାର ବିକାଶ ହେଉ , ଚାହାଁନ୍ତି । ଓଡିଆ ପାଇଁ ନିରନ୍ତର ଉଦ୍ୟମ କରିଆସୁଛି । ଏଥିପାଇଁ ପ୍ରକାଶ କରିଥିଲେ । ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ , କଳା ଓ ସଂସ୍କୃତିର ବିକାଶ ଅର୍ଥର କୌଣସି ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଯେ , ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଶିଳ୍ପୀମାନଙ୍କୁ ଆଜି ସମ୍ମାନିତ କରି ଗର୍ବିତ ।

ସମ୍ବଦ୍ଧିତ ଶିଳ୍ପୀମାନଙ୍କ ସାଧନା ଏବଂ ଉତ୍କର୍ଷ ସମସ୍ତଙ୍କର ଅନୁକରଣୀୟ ହେବା ସଙ୍ଗେ ସଙ୍ଗେ ଆଗାମୀ ପିଢି ପାଇଁ ଶିଳ୍ପୀମାନେ ମାର୍ଗଦର୍ଶକ ହୋଇ ରହିବେ ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ଶାସନ ସଚିବ ରଂଜନ କୁମାର ଦାସ ମଂଚାସୀନ ଥିବା ବେଳେ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ପଞ୍ଚାନନ ସାମଲ ସ୍ବାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ଵିନୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଶିଷ୍ଟ ଉପସ୍ଥାପକ ଡଃ . ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ସମସ୍ତ ଅଧିକାରୀ , ବିଭିନ୍ନ ଶାଖାର କର୍ତ୍ତୃପକ୍ଷ ଏବଂ ଅଧିକାରୀ , ବହୁ ସଂଖ୍ୟାରେ ଚିତ୍ରଶିଳ୍ପୀ , ଭାସ୍କର୍ଯ୍ୟ ଶିଳ୍ପୀ , ମୁଦ୍ରଣ ଶିଳ୍ପୀ ଓ କଳାକୁ ଭଲପାଉଥିବା ଜନସାଧାରଣ ଉପସ୍ଥିତ ରହି ସମ୍ବଦ୍ଧିତ ଶିଳ୍ପୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ପ୍ରକାଶ ଥାଉକି , ଧର୍ମପଦ ପୁରସ୍କାର ପ୍ରାପ୍ତ ୯୪ ବର୍ଷୀୟ ଚିତ୍ରଶିଳ୍ପୀ ଶ୍ରୀ ବଂଶୀଧର ପ୍ରତିହାରୀ ୧୯୨୮ ମସିହାରେ କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ଶାନ୍ତି ନିକେତନ କଳା ଭବନରୁ ୧୯୫୮ ମସିହାରେ କଳା ଶିକ୍ଷା କରିବା ସହ ଟେମ୍ପରା , ଧୌତଚିତ୍ର , ଜଳରଙ୍ଗ ଚିତ୍ର ତଥା କାଠ ଖୋଦେଇରେ ସେ ଖୁବ୍ ସିଦ୍ଧ ହସ୍ତ । ତାଙ୍କ ଚିତ୍ରରେ ସେ ଭାରତର ପ୍ରସିଦ୍ଧ ଫ୍ରେସକୋ ଚିତ୍ର ଯାହା ଅଜନ୍ତା ଗୁମ୍ଫାଚିତ୍ର ଶୈଳୀରେ ହୋଇଥାଏ , ସେହି ଶୈଳୀରେ ଅନେକ ଚିତ୍ର ଅଙ୍କନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଦୀର୍ଘ ୩୦ ବର୍ଷ ଧରି ସେ ବିହାରର ପାଟନା ଠାରେ ଉପେନ୍ଦ୍ର ମହାରଥୀ ଇଣ୍ଡଷ୍ଟ୍ରିଆଲ ଡିଜାଇନରେ ଡିଜାଇନର ଭାବେ ସଫଳତାର ସହ କାର୍ଯ୍ୟ କରି ୧୯୮୮ ମସିହାରେ ସରକାରୀ ଚାକିରିରୁ ଅବ୍ୟାହତି ନେଇଥିଲେ । ତାଙ୍କର ଉଚ୍ଚକୋଟୀର କଳାକୃତି ପାଇଁ ୧୯୭୨ ମସିହାରେ ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର ପାଇବା ସହ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି ଏବଂ ଅନେକ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି । ସମ୍ବଦ୍ଧିତ ଶିଳ୍ପୀ ୮୬ ବର୍ଷୀୟ ବର୍ଷିୟାନ ଚିତ୍ରଶିଳ୍ପୀ ବ୍ରଜବନ୍ଧୁ ମିଶ୍ର ୧୯୩୭ ମସିହାରେ ଜନ୍ମଲାଭ କରିଥିଲେ । ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ , ଖଲିକୋଟରେ ପ୍ରଥମ ଶ୍ରେଣୀରେ ଡିପ୍ଲୋମା ପାସ୍ କରିବା ସହିତ ନିଜର ଅନେକ ଚିତ୍ରସୃଜନୀ ପ୍ରଦର୍ଶନୀ ବଳରେ ଓଡ଼ିଶାର ସୁନାମ ରଖ୍ ଆସିଛନ୍ତି । ସେ ଓଡ଼ିଶା ଲଳିତ କଳା ଏକାଡେମୀରୁ ୧୯୬୩ ଓ ୧୯୬୮ ମସିହାରେ ଦୁଇଥର ରାଜ୍ୟସ୍ତରୀୟ ପୁରସ୍କାର ଲାଭ କରିଛନ୍ତି । ବର୍ତ୍ତମାନ ସେ ଅହମ୍ମଦାବାଦ ଠାରେ ନିଜର ସ୍ବତନ୍ତ୍ର କଳାସାଧନା ଜାରି ରଖୁଛନ୍ତି । ଐତିହ୍ୟ ଗ୍ରାମ ରଘୁରାଜପୁର ଠାରେ ୧୯୫୫ ମସିହାରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ତାଳପତ୍ର ଚିତ୍ରଶିଳ୍ପୀ ଲକ୍ଷ୍ମୀଧର ସୁବୁଦ୍ଧି । ନିଜର ସୁଦକ୍ଷ କଳାକୃତି ପାଇଁ ହସ୍ତଶିଳ୍ପ ବିଭାଗରୁ ରାଜ୍ୟ ପୁରସ୍କାର ଓ ଜାତୀୟ ପୁରସ୍କାର ଲାଭ କରିବା ସହିତ ତାଙ୍କ ହାତ ତିଆରି ତାଳପତ୍ର ଚିତ୍ରରୁ ପ୍ରଦର୍ଶନୀ ବିଦେଶରେ ମଧ୍ୟ କରିଛନ୍ତି । ୧୯୫୬ ମସିହାରେ ପୁରୀ ଜିଲ୍ଲାରେ ତ୍ରିପୁରୀ ଗ୍ରାମରେ ଜନ୍ମଲାଭ କରିଥିଲେ ଚିତ୍ରଶିଳ୍ପୀ ଭ୍ରମରବର ନାୟକ । ସେ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ରରେ ଜଣେ ସିଦ୍ଧହସ୍ତ ଚିତ୍ରଶିଳ୍ପୀ ଭାବେ ତାଙ୍କର ପରିଚୟ ରହିଛି । ନିଜ କଳାକୃତି ପାଇଁ ସେ ହସ୍ତଶିଳ୍ପ ବିଭାଗରୁ ରାଜ୍ୟ ସ୍ତରୀୟ ପୁରସ୍କାର ୧୯୮୫ ଓ ଜାତୀୟ ସ୍ତରୀୟ ପୁରସ୍କାର ୧୯୮୪ ରେ ଲାଭ କରିବା ସହିତ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

 

ସେହିପରି ବରିଷ୍ଠ ଚିତ୍ରଶିଳ୍ପୀ ରମେଶ କୁମାର ବେହେରା ୧୯୫୯ ମସିହାରେ କଟକର ଆଠଗଡ ଠାରେ ଜନ୍ମ ଲାଭ କରିଥିଲେ । ନିଜର ଟେମ୍ପେରା ଚିତ୍ର ଏବଂ ଧୌତ ଚିତ୍ର ଓଡ଼ିଶାର ଗ୍ରାମ୍ୟ ଜୀବନ ଓ ସଂସ୍କୃତିକୁ ଆଧାର କରି ଅନେକ ଚିତ୍ର ଅଙ୍କନ କରିଛନ୍ତି । ସେ ମଧ୍ୟ ୧୯୮୬ ମସିହା ଓ ୨୦୦୧ ମସିହାରେ ଦୁଇଥର ଓଡ଼ିଶା ଲଳିତ କଳା ଏକାଡ଼େମୀ ପୁରସ୍କାର ପ୍ରାପ୍ତ ହୋଇଛନ୍ତି । ଏହାସହିତ କଲିକତାର ଏକାଡ଼େମୀ ଅଫ ଫାଇନ ଆର୍ଟ ରୁ ରାଷ୍ଟ୍ରୀୟ ପୁରସ୍କାର ଲାଭ ସହିତ ଅନେକ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ଅନେକ ରାଜ୍ୟ ଏବଂ ଜାତୀୟସ୍ତରୀୟ ଚିତ୍ର ଶିବିରରେ ଯୋଗ ଦେଇ ଓଡ଼ିଶାର ସୁନାମ ବଢାଇଛନ୍ତି । ପାରମ୍ପରିକ ପ୍ରସ୍ତରର ଶିଳ୍ପୀ କେଶବ ଚନ୍ଦ୍ର ମହାରଣା ୧୯୬୧ ମସିହାରେ ବୁଢାକେରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପ୍ରସ୍ତର ଭାସ୍କର୍ଯ୍ୟ କଳାରେ ଟ୍ରେନିଂ ନେବା ସହ ତାଙ୍କର ସୁନ୍ଦର ଭାସ୍କର୍ଯ୍ୟ କଳା ପାଇଁ ସେ ବହୁ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ୨୦୧୩ ମସିହାରେ ତାଙ୍କର କଳାକୃତି ପାଇଁ ଜାତୀୟ ପୁରସ୍କାର ପାଇଥିଲେ ।

Comments are closed.