ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳ ବିକାଶରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ବିଜୁ ସେତୁ ଯୋଜନା

ଭୁବନେଶ୍ୱର: ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା ସଂଯୋଗୀକରଣ ପାଇଁ ରାଜ୍ୟ ସରକାର ବିଜୁ ସେତୁ ଯୋଜନା ପ୍ରଣୟନ କରିଛନ୍ତି । ୨୦୧୧ ମସିହାରେ ଓଡ଼ିଶା ସରକାର ବିଚ୍ଛିନ୍ନାଞ୍ଚଳକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ବିଜୁ ସେତୁ ଯୋଜନାରେ ଖୋର୍ଦ୍ଧା ଜିଲ୍ଲାରେ ଅଦ୍ୟାବଧି ୨୧ , ୯୫୮ ଲକ୍ଷ ଟଙ୍କା ବ୍ୟୟରେ ୫୧ଟି ସେତୁ ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇଛି । ଏତଦ୍‌ବ୍ୟତୀତ ଆଉ ୧୪ଟି ସେତୁର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଏହି ସେତୁ ନିର୍ମାଣ ଦ୍ଵାରା ୫୮୮ଟି ଗ୍ରାମର ୬ ଲକ୍ଷ ୧୨ ହଜାର ୫୬୩ ଜନସାଧାରଣ ଉପକୃତ ହେଉଛନ୍ତି । ସେମାନଙ୍କର ଆର୍ଥିକ ମାନଦଣ୍ଡ ଏବଂ ସାମାଜିକ ସ୍ଥିତି ସୁଦୃଢ଼ ହୋଇପାରିଛି । ପରିବହନ କ୍ଷେତ୍ରରେ ଏହା ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେବା ସହ ଗମନାଗମନ ତଥା ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନର ଦୂରତା କମିବା ସହ ଲୋକେ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଉଛନ୍ତି । ଏତଦ୍‌ବ୍ୟତୀତ ଶିକ୍ଷା , ସ୍ୱାସ୍ଥ୍ୟ , ପାନୀୟ ଜଳ , ବିଦ୍ୟୁତ ଶକ୍ତି , କୃଷି ଉତ୍ପାଦନ , ବାଣିଜ୍ୟ ଓ ଜୀବିକାନିର୍ବାହ ଆଦି ମୌଳିକ ସୁବିଧା ଲୋକମାନେ ପାଇବା ସହିତ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜୀବନଜୀବିକା କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି ।

ବିଜୁ ସେତୁ ଯୋଜନା ଗ୍ରାମାଞ୍ଚଳ ଜନସାଧାରଣଙ୍କ ଅର୍ଥନୈତିକ – ସାମାଜିକ ବିକାଶ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହୋଇଛି । ସଂପ୍ରତି ଭୁବନେଶ୍ଵର ବ୍ଲକ୍ ଅନ୍ତର୍ଗତ ଝିଙ୍କିରିଡିହିରୁ କଟକ ସଦର ପ୍ରତାପନଗରୀକୁ ସଂଯୋଗ କରୁଥିବା କୁଆଖାଇ ନଦୀ ଉପରେ ସୁଉଚ୍ଚ ସେତୁ ୨୦୨୨ ନଭେମ୍ବର ୧୦ ତାରିଖରେ ଲୋକାର୍ପିତ ହୋଇଯାଇଛି । ଏହି ସେତୁ ୩୦.୬୩ ମିଟର ବିଶିଷ୍ଟ ୧୧ ଗୋଟି ସ୍କାନ୍‌କୁ ନେଇ ନିର୍ମିତ ହୋଇଛି । ଏହାର ସମୁଦାୟ ଲମ୍ବ ୩୩୬.୯୩ ମିଟର । ଏହା ୧୭୪୯.୯୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଅଛି । ଏହି ସେତୁ ନିର୍ମାଣ ଦ୍ଵାରା ୯ଟି ଗ୍ରାମର ୪୦ ହଜାର ଲୋକ ଉପକୃତ ହେଉଛନ୍ତି ।

Comments are closed.