ଆରଟିଓଙ୍କ ରାଜ୍ୟସ୍ତରୀୟ କର୍ମଶାଳା : ଜନକଲ୍ୟାଣକାରୀ ବ୍ୟବସ୍ଥା ଉପରେ ବିଭାଗୀୟ ମନ୍ତ୍ରୀଙ୍କ ଗୁରୁତ୍ଵ

ଭୁବନେଶ୍ୱର: ଯେକୌଣସି ଦେଶ ବା ରାଜ୍ୟର ଅର୍ଥନୈତିକ ପ୍ରଗତିରେ ଏକ ଉତ୍ତମ ପରିବହନ ବ୍ୟବସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏକ ସୁରକ୍ଷିତ , ସ୍ଵଚ୍ଛ ଏବଂ ଜନକଲ୍ୟାଣକାରୀ ପରିବହନ ବ୍ୟବସ୍ଥା ଜନସାଧାରଣଙ୍କୁ ଯୋଗାଇଦେବା ଆମ ସମସ୍ତଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ବୋଲି ବାଣିଜ୍ୟ ଓ ପରିବହନ ଏବଂ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।

ଆଜି କୃଷି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ସଡ଼କ ପରିବହନ ନୀତି ଓ ଏହାର କାର୍ଯ୍ୟକାରିତା ସଂପର୍କିତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ରାଜ୍ୟସ୍ତରୀୟ କର୍ମଶାଳାରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ, ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ନିଷ୍ପତ୍ତି ଓ ପଲିସିସବୁକୁ ତୃଣମୂଳସ୍ତରରେ ସୁଚାରୁ ରୂପେ ଲାଗୁ କରିବା ଆପଣମାନଙ୍କର ମୁଖ୍ୟ ଦାୟିତ୍ଵ । ସେଥି ପ୍ରତି ଆପଣମାନେ ଯବାନ ହେବେ । ବିଭିନ୍ନ ଅନ୍‌ଲାଇନ୍ ସେବା ପ୍ରଦାନ ଏବଂ ବିଭାଗରେ ଅଧୁନିକୀକରଣ ପ୍ରୟୋଗ କରିବାରେ ଆମ ରାଜ୍ୟ ସାରା ଭାରତବର୍ଷରେ ଅଗ୍ରଣୀ ରାଜ୍ୟ । ସେବା ପ୍ରଦାନ ସହ ବକେୟା ପଡ଼ିଥିବା ମୋଟରଯାନ ଟିକସ ଆଦାୟ କରିବା , ଏନ୍‌ଫୋର୍ସମେଣ୍ଟ ପରିଚାଳନା ପାଇଁ ମଧ୍ୟ ଆଞ୍ଚଳିକ ପରିବହନ ଅଧିକାରୀମାନେ ସ୍ଵତନ୍ତ୍ର ଧ୍ୟାନ ଦିଅନ୍ତୁ । ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇଦେଇ ‘ ମୋ ସରକାର ’ କାର୍ଯ୍ୟକ୍ରମରେ ବିଭାଗକୁ ଉତ୍ତମ ଫିଡ୍‌ବ୍ୟାକ୍ ମିଳୁଥିବାରୁ ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ।

ଆହୁରି ମଧ୍ୟ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ ଆର୍‌ଟିଓ ଓ ଏମ୍‌ଭିଆଇମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆର୍‌ଟିଓମାନଙ୍କ କାର୍ଯ୍ୟଦକ୍ଷତା ତଥା ଆଭିନବ କାର୍ଯ୍ୟକଳାପ ଭିତ୍ତିରେ ସେମାନଙ୍କୁ ରାଜ୍ୟସ୍ତରରେ ସମ୍ମାନିତ କରାଯିବ । ଦୁର୍ଘଟଣାଗ୍ରସ୍ତଙ୍କର କିପରି ତୁରନ୍ତ ଜୀବନ ବଞ୍ଚାଯାଇପାରିବ ସେଥି ପାଇଁ ଜିଲ୍ଲାସ୍ତରରେ ଅଧିକରୁ ଅଧିକ ଉତ୍ତମ ସାହାଯ୍ୟକାରୀ ସୃଷ୍ଟି କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀମାନେ ଚେଷ୍ଟା କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ତାଙ୍କ ଉଦ୍‌ବୋଧନରେ କହିଥିଲେ ।

ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କର୍ମଶାଳାକୁ ସମସ୍ତଙ୍କୁ ସ୍ଵାଗତ କରି କହିଥିଲେ ଯେ, ସେବାପ୍ରଦାନ କ୍ଷେତ୍ରରେ ଆମ ରାଜ୍ୟରେ ମିଳୁଥିବା ସୁବିଧାସୁଯୋଗ ଅନ୍ୟ କୌଣସି ରାଜ୍ୟରେ ପ୍ରାୟତଃ ଦେଖିବାକୁ ମିଳେନାହିଁ । ରାଜ୍ୟର ସାମଗ୍ରିକ ବିକାଶ ଦୃଷ୍ଟିକୋଣରୁ ଏକ ଟିମ୍ ଭାବେ କାର୍ଯ୍ୟ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ଆହ୍ଵାନ ଦେବା ସହ ରାଜ୍ୟର ସମୃଦ୍ଧି ଏବଂ ପ୍ରଗତି ପାଇଁ ପରିବହନର ମୁଖ୍ୟ ଅବଦାନ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ତେଣୁ ରାଜ୍ୟର ସମୃଦ୍ଧି ପାଇଁ ଅଧିକାରୀମାନେ ସମୟ ସହିତ ତାଳଦେଇ କାର୍ଯ୍ୟକରିବାକୁ ପରାମର୍ଶ ଦେବା ସହ ବିଭିନ୍ନ ଦୁର୍ଘଟଣାଗ୍ରସ୍ତଙ୍କୁ ସରକାରୀ ସ୍ତରରେ ଦିଆଯାଉଥିବା ଅନୁକମ୍ପା ସହାୟତା କିଭଳି ଭାବେ କ୍ଷତିଗ୍ରସ୍ତମାନେ ସହଜରେ ଏବଂ ସଙ୍ଗେ ସଙ୍ଗେ ପାଇପାରିବେ ସେଥି ପ୍ରତି ଦୃଷ୍ଟିଦେବାକୁ ମଧ୍ୟ ଶ୍ରୀମତୀ ପାଢ଼ୀ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ ।

କର୍ମଶାଳାରେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ମନୋଜ କୁମାର ମିଶ୍ର ଉପସ୍ଥିତ ପରିବହନ ଅଧିକାରୀମାନଙ୍କୁ ସମସ୍ତ କାର୍ଯ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ କରିବାକୁ ପରାମର୍ଶ ଦେବା ସହ ୫ – ‘ ଟି ’ ଉପଯୋଗରେ ସମସ୍ତେ ନିଜ ନିଜର ସର୍ବୋତ୍କୃଷ୍ଟ ଉଦ୍ୟମ ଦେଇ ବିଭାଗ ପାଇଁ ସୁନାମ ଆଣିବାକୁ କହିଥିଲେ । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ସଡ଼କ ପରିବହନ ନୀତି କାର୍ଯ୍ୟକାରିତା ଅନ୍ତର୍ଗତ ସଡ଼କ ସୁରକ୍ଷା , ନିୟମର କଡ଼ାକଡ଼ି ଅନୁପାଳନ , ଭିଭିଭୂମି ଉନ୍ନୟନ ଏବଂ ରାଜସ୍ୱ ଆଦାୟ ସଂପର୍କିତ ତଥ୍ୟ ଉପସ୍ଥାପନ କରାଯାଇଥିଲା ।

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ ପଟ୍ଟନାୟକ ନିଗମ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯୋଗାଇ ଦିଆଯାଉଥିବା ବସ୍‌ସେବା ବିଷୟରେ ସବିଶେଷ ତଥ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ସଂଜୟ କୁମାର ମିଶ୍ର ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ ପ୍ରଦାନ ପାଇଁ ଅଧ୍ଵକରୁ ଅଧିକ ସଚେତନତା ସୃଷ୍ଟି ସହ ଇ – ଚାଲାଣ ବ୍ୟବସ୍ଥା , ମାଲପରିବହନ କ୍ଷେତ୍ରରେ ଆସୁଥିବା ବିଭିନ୍ନ ଅସୁବିଧା ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । କର୍ମଶାଳାରେ ବିଭିନ୍ନ ଆଞ୍ଚଳିକ ପରିବହନ ଅଧିକାରୀମାନେ ନିଜ ନିଜର କର୍ମକ୍ଷେତ୍ରରେ ସଡ଼କ ସୁରକ୍ଷା ପାଇଁ ଗ୍ରହଣ କରିଥିବା ଉତ୍ତମ ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

Comments are closed.