‘ୟୁପିଏର ଶାସନକାଳ ଥିଲା ଦୁର୍ନୀତିର ଦଶକ’, କଂଗ୍ରେସକୁ‌ ପ୍ରଧାନମନ୍ତ୍ରୀଙ୍କ ଆକ୍ରମଣ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଲୋକସଭାରେ ବିରୋଧୀଙ୍କୁ ବିଶେଷକରି କଂଗ୍ରେସକୁ ଆକ୍ରମଣ କରିଛନ୍ତି ।

ମୋଦୀ କିଛି ବ୍ୟଙ୍ଗ କବିତା ମାଧ୍ୟମରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ କଟାକ୍ଷ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ଯେ ୨୦୦୪ ରୁ ୨୦୧୪ ମଧ୍ୟରେ ୟୁପିଏ ସରକାର ସମୟରେ ଭାରତର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା । କଂଗ୍ରେସର ସେହି ୧୦ ବର୍ଷର ଶାସନ ଥିଲା ସଙ୍କଟର ସମୟ । କଂଗ୍ରେସ ପ୍ରତ୍ୟେକ ସୁଯୋଗକୁ ସଙ୍କଟରେ ପରିଣତ କରିଥିଲା | ଏପରି ପରିସ୍ଥିତିରେ ଯଦି ଜଣେ ନିରାଶା ନ‌ହେବ, ତାହେଲେ ଆଉ କ’ଣ ହେବ?

ୟୁପିଏ ଶାସନ କାଳରେ ମୁଦ୍ରାସ୍ଫୀତି ଦୁଇ ଅଙ୍କରେ ପହଞ୍ଚିଥିଲା | ଏଭଳି ପରିସ୍ଥିତିରେ ଯଦି ବର୍ତ୍ତମାନର ସରକାରରେ କିଛି ଭଲ ଘଟୁଛି, ତେବେ ସେମାନେ (ବିରୋଧୀ) ନିରାଶ ହେବା ସ୍ବାଭାବିକ ।

ଯେଉଁମାନେ ବେକାରୀ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲେ, ସେମାନେ ଏନେଇ ଏକ ଆଇନ ଆଣିବା ପାଇଁ ଛଳନା କରିଥିଲେ।

ମୋଦୀ କହିଥିଲେ ଯେ ୟୁପିଏର ୧୦ ବର୍ଷର ଶାସନ କାଳ ଦୁର୍ନୀତିର ଦଶକ ଥିଲା। ସେହି ସମୟ ମଧ୍ୟରେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଅନେକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।

ସେହି ସମୟରେ ଖବର ଚାଲୁଥିଲା ଯେ ‘ଅଜଣା ବସ୍ତୁଠାରୁ ଦୂରରେ ରୁହ’ | ସାରା ଦେଶରେ ହିଂସା ଜାରି ରହିଥିଲା। ସେହି ୧୦ ବର୍ଷରେ ଭାରତର ସ୍ୱର ଏତେ ଦୁର୍ବଳ ଥିଲା ଯେ ବିଶ୍ୱ ଶୁଣିବାକୁ ପ୍ରସ୍ତୁତ ନଥିଲା |

ଆଜି ଯେତେବେଳେ ଦେଶର ସାମର୍ଥ୍ୟକୁ ସ୍ୱୀକୃତି ମିଳୁଛି, ସେମାନଙ୍କୁ ବେଶ୍ କଷ୍ଟ ହେଉଛି |

ପ୍ରଧାନମନ୍ତ୍ରୀ ମୋଦୀ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ଟେକ୍ନୋଲୋଜିର ସମ୍ଭାବନାକୁ ଉପଯୋଗ କରିବାର ସୁଯୋଗ ଥିଲା, ସେତେବେଳେ ୟୁପିଏ ସରକାର ୨ଜି ସ୍ପେକ୍ଟ୍ରମ ସ୍କାମରେ ଅଟକି ଯାଇଥିଲେ।

ଏପରିକି ଯେତେବେଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା, ସୁଯୋଗର ଲାଭ ଉଠାଇବା ପରିବର୍ତ୍ତେ ସେମାନେ ରାଜ୍ୟଗୋଷ୍ଠୀ କ୍ରୀଡା ଦୁର୍ନୀତିରେ ଅଟକି ଯାଇଥିଲେ।

ବିରୋଧୀ ଦଳ ଦୁର୍ନୀତିରେ ବୁଡ଼ି ରହିଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇଡି ସବୁ ବିରୋଧୀଙ୍କୁ ଏକାଠି କରିଛି ।

ମୋଦୀଙ୍କ ଭାଷଣ ବେଳେ ବିରୋଧୀ ଦଳର ଅନେକ ନେତା ଆଦାନୀ ଗ୍ରୁପ୍ ବିରୋଧରେ ଅଭିଯୋଗର ଜେପିସି ତଦନ୍ତ ଦାବି କରି କକ୍ଷତ୍ୟାଗ କରିଥିଲେ ।

Comments are closed.