୨୩ ତମ ସମ୍ବଲପୁର ପୁସ୍ତକ ମେଳା ଉଦଘାଟିତ

ସମ୍ବଲପୁର: ସମ୍ବଲପୁରର ଅଗ୍ରଣୀ ସାମାଜିକ ଶୈକ୍ଷିକ ସଂସ୍ଥା ସେତୁ ଓ ସମ୍ବଲପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆଜି ୨୩ତମ ସମ୍ବଲପୁର ପୁସ୍ତକ ମେଳା ଆରମ୍ଭ ହୋଇଯାଇଛି। ଆଜି ସନ୍ଧ୍ୟାରେ ଭିସୁଟର କୁଳପତି ପ୍ରଫେସର ବଂଶୀଧର ମାଝୀ, ପ୍ରଫେସର ହରେକୃଷ୍ଣ ଶତପଥି (ତିରୁପତି କେନ୍ଦ୍ରିୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି),ଏଡିଏମ ଅଜାମ୍ବର ମହାନ୍ତି ଏବଂ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢୀ ଫିତା କାଟି ପୁସ୍ତକ ମେଳାକୁ ଉଦଘାଟନ କରିଥିଲେ।ସେତୁ ସଭାପତି ପ୍ରଫେସର ମୀନକେତନ ପାଠୀଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ପ୍ରଫେସର ମାଝୀ ବକ୍ତବ୍ୟରଖି କହିଲେ ଯେ,ସମ୍ବଲପୁରର ବରିଷ୍ଠ ନାଗରିକମାନେ ବିଭିନ୍ନ ଅନୁଷ୍ଠାନରେ ରହି ଅତ୍ୟନ୍ତ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନର ଛାତ୍ରମାନେ ବହି ପଠନ ପରିବର୍ତ୍ତେ ଗୁଗୁଲ ରିଡର ସାଜୁଛନ୍ତି,ମାତ୍ର ସମୟ ଆସିବ ସେମାନେ ନିଶ୍ଚୟ ପୁସ୍ତକ ଅଧ୍ୟୟନର ଗୁରୁତ୍ତ୍ୱକୁ ହୃଦୟଙ୍ଗମ କରିବେ।

ମୁଖ୍ୟବକ୍ତା ପ୍ରଫେସର ଶତପଥି ସମ୍ବଲପୁରର ପ୍ରାଚୀନ ନାମ ହେଉଛି ହୀରାଖଣ୍ଡ କାରଣ ଏଠାରେ ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ହୀରା। ଉପକୂଳରେ ସୂବର୍ଣ ତ୍ରିଭୂଜ ଅଛି କିନ୍ତୁ ସୂବର୍ଣ ସବୁବେଳେ ହୀରାଠାରୁ ନ୍ୟୁନ। ସମ୍ବଲପୁର ଅଂଚଳରେ ପ୍ରକୃତ ଜୀବନାନନ୍ଦର ହୀରା ଅଛି। ଏହି ଭୂମି ହେଉଛି ପ୍ରତିଭାର ଭୂମି। ଆମକୁ ସେଇ ଅଦୃଶ୍ୟ ଶକ୍ତି ସହିତ ଯୋଡି ହେବାକୁ ପଡିବ ଏବଂ ସେଥିପାଇଁ ସେତୁର ଆବଶ୍ଯକ ରହିଛି କାରଣ ସେତୁ ଯୋଡିବା କାର୍ଯ୍ୟ କରେ। ଯେଉଁଠି ସେତୁ ନାହିଁ ସେଠି ସାହିତ୍ୟ ନାହିଁ। ଏହି ମାଟିର ସନ୍ତାନ ଗଙ୍ଗାଧର ମେହେର ଏହାର ଏକ ଦୃଷ୍ଟାନ୍ତ। ସେ ସମର୍ପଣର ଭାବ ନେଇ ବ୍ରହ୍ମାଣ୍ଡୀୟ ଶକ୍ତି ସହ ଯୋଗ କରିବାର ମାର୍ଗ ଆମକୁ ବତାଇଛନ୍ତି।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ, ପୁସ୍ତକର ଆଦର କେବେ କମି ନାହିଁ କିମ୍ବା କମିବ ନାହିଁ।କୋଭିଡ ଦୁଇବର୍ଷ ପରେ ଆମେ ସମସ୍ତେ କର୍ମଚଂଚଳ ହୋଇ ପଡିଛୁ। ଏହାର ପ୍ରଭାବ ପ୍ରଶାସନ ଉପରେ ମଧ୍ଯ ପଡିଛି। ଗତ ଏକ ମାସ ଭିତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ କାର୍ଯ୍ଯକ୍ରମକୁ ସଫଳତାର ସହ ସମ୍ପାଦନ କରାଯାଇଛି। ଆସନ୍ତା ବର୍ଷରୁ ଅଧିକ ବ୍ୟବସ୍ଥିତ ଭାବରେ ଏହି ପୁସ୍ତକ ମେଳା ଆୟୋଜିତ କରିବା ପାଇଁ ପ୍ରସାଶନ ପକ୍ଷରୁ ପ୍ରୟାସ କରାଯିବ।ସଭାରେ ବରିଷ୍ଠ ସଦସ୍ୟ ହରିନାରାୟଣ ପଣ୍ଡା ସଭା ସଂଯୋଜନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ସଦସ୍ୟ ସଚ୍ଚିଦାନନ୍ଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ. ସିଦ୍ଧାର୍ଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ ଥାଉକି ଚଳିତବର୍ଷ ସମୁଦାୟ ୧୪୦ଟି ଷ୍ଟଲ ଏହି ପୁସ୍ତକ ମେଳାରେ ରହିଛି। ଏବର୍ଷ କିଛି ଖାଦ୍ଯ ଷ୍ଟଲ ମଧ୍ଯ ମେଳାରେ ରହିଛି।

 

Comments are closed.