ରାଜ୍ୟ ସରକାରଙ୍କ ସୁପାରିଶ ପରେ ବହୁ ବିଳମ୍ବରେ ଖୋର୍ଦ୍ଧା – ବଲାଙ୍ଗୀର ପ୍ରକଳ୍ପକୁ କେନ୍ଦ୍ର ଜଙ୍ଗଲ ବିଭାଗର ମଞ୍ଜୁରୀ

ଭୁବନେଶ୍ୱର – ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂ୍‌ର୍ଣ୍ଣ ବହୁ ପ୍ରତୀକ୍ଷିତ ଖୋର୍ଧା ରୋଡ୍ –ବଲାଙ୍ଗୀର ରେଳ ଲାଇନ କାଯ୍ୟ ର୍ ସଂପୂର୍ଣ୍ଣ ହେବା ପାଇଁ ଥିବା ଶେଷ ପ୍ରତିବନ୍ଧକ ଦୂର ହୋଇଛି । ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ୨୮୯ କିଲୋମିଟର ବିଶିଷ୍ଟ ଏହି ରେଳ ଲାଇନ ପ୍ରକଳ୍ପର ବାକି ୬୮ କିଲୋମିଟର ପାଇଁ ପରିବେଶ ମଞ୍ଜୁରୀ ମିଳିଛି । ଦଶପଲ୍ଲାରୁ ପୁରୁଣାକଟକ ମଧ୍ୟରେ ରେଳ ଲାଇନ ବିଛାଇବା ପାଇଁ ପରିବେଶ ମଞ୍ଜୁରୀ ମିଳିଛି । ଏଥିପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟ ଶ୍ରେୟ ନେବାକୁ ଉଦ୍ୟମ କରିଥିବା ବେଳେ ରାଜ୍ୟ ସରକାରଙ୍କ ଲଗାତର ଉଦ୍ୟମ ଯୋଗୁଁ ହିଁ ଦୂର ହୋଇଛି ଶେଷ ପ୍ରତିବନ୍ଧକ । ୨୦୧୪ ମସିହାରୁ ଖୋର୍ଧା ରୋଡ୍ –ବଲାଙ୍ଗୀର ନୂଆ ରେଳ ଲାଇନର କାମ ଚାଲିଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦାୟିତ୍ୱ ରେଳ ମନ୍ତ୍ରାଳୟର । ବିଭିନ୍ନ ସମୟରେ ପ୍ରକଳ୍ପ ପ୍ରତି ପ୍ରତିବନ୍ଧକ ସୃଷ୍ଟି ହୋଇଛି । ରେଳ ମନ୍ତ୍ରାଳୟ ଚାହିଁଥିଲେ ପ୍ରକଳ୍ପ କାର୍ଯ୍ୟ ସୁରୁଖୁରୁରେ ଚାଲିଥାଆନ୍ତା । କିନ୍ତୁ କେନ୍ଦ୍ରର ଉଦାସୀନ ମନୋଭାବ ଯୋଗୁଁ ଏହା ହୋଇପାରିନାହିଁ । ପ୍ରକଳ୍ପ ତ୍ୱରାନ୍ୱିତ କରିବା ପାଇଁ ଯଦି ରାଜ୍ୟ ସରକାର ସମସ୍ତ ପ୍ରକାର ସହ ଯୋଗ କରିଆସୁଛନ୍ତି । କିନ୍ତୁ କେନ୍ଦ୍ରର କାଳକ୍ଷେପଣ ନୀତି ଯୋଗୁଁ ହିଁ ପ୍ରକଳ୍ପ କାମ ଆଗେଇ ପାରିନାହିଁ । ଏହି ରେଳ ପ୍ରକଳ୍ପ ଦୁଇ ଭାଗରେ ବିଭକ୍ତ । ଶୂନରୁ୧୧୨ କିଲୋମିଟର ପ୍ରଥମ ଭାଗ ଓ ୧୧୨ରୁ ୨୮୯ କିଲୋମିଟର ହେଉଛି ଦ୍ୱିତୀୟ ଭାବେ । ଶୂନରୁ ୧୧୨ କିଲୋମିଟର ରେଳ ଲାଇନର ଖର୍ଚ୍ଚ ରେଳବାଇ ବହନ କରୁଛି । ୧୧୨ରୁ ୨୮୯ କିଲୋମିଟର ରେଳ ଲାଇନ ପାଇଁ ଅଧା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । କେବଳ ସେତିକି ନୁହେଁ, ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଜମି ଅଧିଗ୍ରହଣ କରି ରେଳବାଇକୁ ହସ୍ତାନ୍ତର କରିଛନ୍ତି । ସରକାରୀ ଓ ଘରୋଇ ଜମି ଅଧିଗ୍ରହଣ ଆଉ ୫ ପ୍ରତିଶତ ବାକି ଥିବା ବେଳେ ଅବଶିଷ୍ଟ ୬୮ କିଲୋମିଟର ଜଙ୍ଗଲ ଜମି ପାଇଁ ପରିବେଶ ମଞ୍ଜୁରୀ ଆବଶ୍ୟକ ଥିଲା । ଜମି ଅଧିଗ୍ରହଣ ପ୍ରାୟତଃ ଶେଷ ହୋଇଥିବାରୁ ଏବେ ରେଳବାଇ କେତେ ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରୁଛି, ତାହା ଉପରେ ଏବେ ନଜର ରହିବ ।

ଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ରେଳପଥ ପ୍ରକଳ୍ପକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ନିୟମିତ ଭାବେ ନିଜ ଭାଗର ଅନୁଦାନ ଦେଇଆସୁଛନ୍ତି । ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ବେଶ୍ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ଖୋଦ୍ ମୁଖ୍ୟ ଶାସନ ସଚିବ ଏହି ପ୍ରକ୍ରିୟାର ନିୟମିତ ସମୀକ୍ଷା କରୁଛନ୍ତି । ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସେକ୍ସନ ପାଇଁ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ମନୋଜ ମିଶ୍ର ନିଯୁକ୍ତି ପାଇଲା ପରେ ସେ ଏହି ପ୍ରକଳ୍ପକୁ ଅଗ୍ରାଧିକାର ଦେଇଥିଲେ । ରେଳବାଇ ଓ ପରିବେଶ ମନ୍ତ୍ରାଳୟ ଅଧିକାରୀଙ୍କୁ ନେଇ ରାଜ୍ୟ ସରକାର ଉଚ୍ଚସ୍ତରୀୟ ବୈଠକରେ ପ୍ରକଳ୍ପରେ ଦେଖାଦେଇଥିବା ପ୍ରତିବନ୍ଧକ ଦୂର ପାଇଁ ପ୍ରୟାସ କରିଥିଲେ । ୬୮ କିଲୋମିଟର ଲାଇନ କାମ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ଜଙ୍ଗଲ ଓ ପରିବେଶ ନିୟମ ପାଳନ କରାଯାଇ ଜମି ଅଧିଗ୍ରହଣ କରାଯିବା ସହ ଘରୋଇ ପାର୍ଟିଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଥିଲା । ଏ ସଂପର୍କରେ କେନ୍ଦ୍ର ରେଳ ମନ୍ତ୍ରାଳୟକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତବର୍ଷ ଡିସେମ୍ବରରେ ଚିଠି ଲେଖି ଅବଗତ କରିଥିଲେ । ରାଜ୍ୟ ସରକାରଙ୍କ ଏହି ଚିଠି ପରେ ହିଁ ଶୋଇ ରହିଥିବା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ୬୮ କିଲୋମିଟର ରେଳ ଲାଇନ କାମ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲା । ରେଳଲାଇନ କାମ ତ୍ୱରାନ୍ୱିତ ପାଇଁ ରାଜ୍ୟ ସରକାର ୨୦୧୮ ବେଳକୁ ହିଁ ପ୍ରମୁଖ ସୁପାରିଶ କାର୍ଯ୍ୟକାରୀ ପାଇଁ ଉଦ୍ୟମ କରିଆସୁଛନ୍ତି । କିନ୍ତୁ ରେଳ ମନ୍ତ୍ରାଳୟ ଅହେତୁକ ଡେରି କରିଛି । ଏଥିପାଇଁ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏହି ରେଳଲାଇନ ପ୍ରକଳ୍ପ ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଥିବାରୁ ରାଜ୍ୟ ସରକାର ନିଜ ଆଡୁ ତତ୍ପରତା ପ୍ରକାଶ କରି ସବୁ ପ୍ରକାର ସହ ଯୋଗ କରିଛନ୍ତି । ବାକି ୬୮ କିଲୋମିଟର ଲାଇନ କାମ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଅନୁମୋଦନ ମିଳିଥିବାରୁ ରେଳ ମନ୍ତ୍ରୀ ଶ୍ରେୟ ନେବାକୁ ଚାହିଁଛନ୍ତି । କିନ୍ତୁ ଏ ଦିଗରେ ରାଜ୍ୟ ସରକାରଙ୍କ ଅବଦାନକୁ ଭୁଲି ଯାଇଛନ୍ତି । ରାଜ୍ୟ ସରକାର ସବୁ କାମ ଆଗରୁ ସାରିଥିଲେ ମଧ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ମଞ୍ଜୁରୀ ମିଳିବାରେ କାହିଁକି ଅହେତୁକ ବିଳମ୍ବ ହେଲା,ତାହାର ଉତ୍ତର ଦେଇପାରିବେ କି କେନ୍ଦ୍ର ରେଳ ମନ୍ତ୍ରୀ ?

Comments are closed.