ବାମରାରେ ରେଳ ରହଣୀ ଦାବିରେ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳ ରୋକୋ

ବାମରା: ବାରମ୍ବାର ଦାବି ସତ୍ତ୍ବେ ରେଳ କର୍ତ୍ତୃପକ୍ଷ କର୍ଣପାତ ନ କରିବାରୁ ଆଜି ସମ୍ବଲପୁର ଜିଲ୍ଲାର ବାମରାବାସୀ ଚରମ ନେବାକୁ ବାଧ୍ଯ ହୋଇଛନ୍ତି। ଗତ କରୋନା ସମୟରୁ ୩ ବର୍ଷ ହେଲା ପ୍ରାୟ ସମସ୍ତ ଯାତ୍ରୀବାହୀ ଟ୍ରେନର ରହଣୀ ବନ୍ଦ ହୋଇଯାଇଛି। ଏହାର ପ୍ରତିବାଦରେ ଆଜି ସକାଳୁ ବାମରା ରେଳ କ୍ରିୟାନୁଷ୍ଠାନ କମିଟି ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳ ରୋକୋ ଆରମ୍ଭ କରିଛି। ଫଳରେ ହାୱଡା- ମୁମ୍ବାଇ ରେଳପଥରେ ଟ୍ରେନ ଚଳାଚଳ ପୁରା ଠପ୍ ହୋଇଯାଇଛି।

ବାମରାରେ ଦୀର୍ଘ ହେଲା ଟ୍ରେନ ରହଣୀକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକି ଆସିଛି। ଲକ୍ ଡାଉନ୍ ପୂର୍ବରୁ ବାରମ୍ବାର ଆନ୍ଦୋଳନ ପରେ କିଛି ଦ୍ରୁତଗାମୀ ଟ୍ରେନ ରହଣୀ ଆରମ୍ଭ ହୋଇଥିଲା। ହେଲେ ଲକ୍ ଡାଉନ ପରଠାରୁ ପୁଣି ସବୁ ଟ୍ରେନ ରହଣୀ ବନ୍ଦ ହୋଇଯାଇଛି। ଫଳରେ ଲୋକେ ଭୁବନେଶ୍ବର ତ ଦୂରର କଥା ନିକଟରେ ଥିବା ରାଉରକେଲା ଯିବାକୁ ବି ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଦକ୍ଷିଣ ପୂର୍ବ ରେଳପଥ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗୁହାରି ପରେ ବି କୌଣସି ସୁଫଳ ମିଳିନଥିଲା। ଫଳରେ ଆଜି ସକାଳୁ ହଜାର ହଜାର ଲୋକ ଟ୍ରେନ ଲାଇନ ଉପରେ ବସି ଧାରଣା ଦେଇଛନ୍ତି। କ୍ରିୟାନୁଷ୍ଠାନ କମିଟି ଏହି ଅବସରରେ ୧୨ଟି ଟ୍ରେନର ରହଣୀ ଦାବି କରିଛି।

Comments are closed.