ପ୍ରକୃତ ମାଲିକମାନଙ୍କୁ ଉଦ୍ଧାର ସାମଗ୍ରୀ ଫେରାଗଲା: ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଚୋରି ସୁନା ଓ ୨ କିଲୋ ୫୦ ଗ୍ରାମର ରୂପା ହସ୍ତାନ୍ତର କଲେ ବ୍ରହ୍ମପୁର ଏସପି | News Room Odisha

ପ୍ରକୃତ ମାଲିକମାନଙ୍କୁ ଉଦ୍ଧାର ସାମଗ୍ରୀ ଫେରାଗଲା: ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଚୋରି ସୁନା ଓ ୨ କିଲୋ ୫୦ ଗ୍ରାମର ରୂପା ହସ୍ତାନ୍ତର କଲେ ବ୍ରହ୍ମପୁର ଏସପି

ବ୍ରହ୍ମପୁର: ସହର ଓ ଉପକଣ୍ଠର ବିଭିନ୍ନ ସ୍ଥାନରୁ ଚୋରି ଓ ଲୁଟପାଟ ଘଟଣାରେ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ। ବଡ଼ ବଜାର, ନିମଖଣ୍ଡି ଓ ଗୋଳନ୍ଥରା ଥାନା ଇଲାକାରେ ୫ଟି ପୃଥକ୍ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିଲା। ଏମାନେ ତାଲା ପଡ଼ିଥିବା ଓ କେହି ଲୋକ ଉପସ୍ଥିତ ନଥିବା ଘରକୁ ଟାର୍ଗେଟ କରି ଲୁଟପାଟ କରୁଥିଲେ। ଏସପି ଡା ସର୍ବଣା ବିବେକ ଏମ୍ ଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ଟିମ୍ ଗଢ଼ି ଏହି ସବୁ ମାମଲାର ତଦନ୍ତ, ଅଭିଯୁକ୍ତଙ୍କୁ ଗିରଫ ସହ ଲୁଟ୍ ଅଳଙ୍କାର ଉଦ୍ଧାର କରିବାରେ ସଫଳତା ହାସଲ କରିଥିଲେ। ଆଉ ନିଜ ଦାୟିତ୍ୱବୋଧକୁ ସୂଚାରୁ ରୂପେ ସମ୍ପନ୍ନ କରି ବ୍ରହ୍ମପୁର ପୋଲିସ ଉଦ୍ଧାର ସୁନା ରୁପା ପ୍ରକୃତ ମାଲିକମାନଙ୍କୁ ଫେରାଇଛି। ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ଏସପି ଡା ସର୍ବଣା ବିବେକ ଏମ୍ ଉଦ୍ଧାର ପ୍ରାୟ ୪୦ ଲକ୍ଷ ୨୭ ହଜାର ୫୦୦ ଟଙ୍କାର ତଥା ୮୦୫.୫ ଗ୍ରାମର ଓଜନର ସୁନା ଏବଂ ୨ କେଜି ୫୦.୬ ଗ୍ରାମର ଓଜନର ରୁପା ଅଳଙ୍କାର ୫ ଜଣ ମାଲିକମାନଙ୍କୁ ପ୍ରଦାନ କରିଛନ୍ତି। ଦୋଳ ଓ ହୋଲି ପର୍ବ ଅବସରରେ ପୋଲିସର ଏହି କାର୍ଯ୍ୟ ସେମାନଙ୍କ ମଧ୍ୟରେ ହସ ଖୁସି ଫେରାଇ ଆଣିଛି। ସେପଟେ ବିଭିନ୍ନ ଥାନାର ଆଇଆଇସି ଓ ପୋଲିସ ଟିମ୍ ନିଷ୍ଠାପର ଉଦ୍ୟମ ଫଳରେ ଏହି ସଫଳତା ମିଳିଥିବା କହିଛନ୍ତି ବ୍ରହ୍ମପୁର ଏସପି।

ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳର ବ୍ୟବସାୟୀ ସତ୍ୟନାରାୟଣ ରାୟଗୁରୁଙ୍କ ତାଲା ବନ୍ଦ ଘରୁ ୨୦ ଭରି ସୁନା ଅଳଙ୍କାର ଓ ନଗଦ ୩୦ ହଜାର ଟଙ୍କା ଚୋରି ହୋଇଥିଲା। ନିମଖଣ୍ଡି ଥାନା ଅଞ୍ଚଳର ଡାକ୍ତର ଅମୂଲ୍ୟ କୁମାର ମିଶ୍ରଙ୍କ ଘରୁ ୩୯ ଗ୍ରାମ୍ ସୁନା ଅଳଙ୍କାର, ନଗଦ ଟଙ୍କା, ମୋବାଇଲ୍ ଆଦି ଲୁଟି ନେଇଥିଲେ ଦୁର୍ବୃତ୍ତ। ଗୋଳନ୍ଥରା ଥାନା ଅଞ୍ଚଳର ପ୍ରହଲ୍ଲାଦ ନାୟକଙ୍କ ଘରୁ ୩୫ ଗ୍ରାମ୍ ସୁନା ଅଳଙ୍କାର, ନଗଦ ୪୫୦୦ ଟଙ୍କା, ମୋବାଇଲ୍ ଚୋରି କରି ନେଇଥିଲେ ଲୁଟେରା। ଏହି ଥାନା ଅଞ୍ଚଳର କେ.ଦମୟନ୍ତୀଙ୍କ ଘରୁ ୬ ଭରି ସୁନା ଅଳଙ୍କାର, ୧୨ ଭରି ରୁପା ଅଳଙ୍କାର, ନଗଦ ୩୦ ହଜାର ଟଙ୍କା ଚୋରି ହୋଇଥିଲା। ସେହିପରି ବଡ଼ ବଜାର ଥାନା ଇଲାକାରେ ଆଉ ଏକ ଲୁଟ୍ ମାମଲା ଘଟିଥିଲା। ପୋଲିସ ଯୋଗୁଁ ସେମାନଙ୍କ ଲୁଟ୍ ଅଳଙ୍କାର ଫେରି ପାଇଥିବାରୁ ପ୍ରକୃତ ମାଲିକମାନେ ଏସପି ଓ ବିଭିନ୍ନ ଥାନାର ପୋଲିସ ଟିମକୁ ଧନ୍ୟବାଦ ଜଣାଇଛନ୍ତି।