ଇମ୍ରାନ ଖାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ଲାହୋର ହାଇକୋର୍ଟଙ୍କ ରୋକ୍

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫଦାରୀରୁ ସାମୟିକ ଆଶ୍ବସ୍ତି ଦେଇଛନ୍ତି ଲାହୋର ହାଇକୋର୍ଟ । ତାଙ୍କ ବିରୋଧରେ ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କୋର୍ଟ ପୋଲିସକୁ କହିଛନ୍ତି ।

ତୋଶାଖାନା ମାମଲାରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି କରାଯିବା ପରେ ପାକିସ୍ତାନ ପୋଲିସ ଆଜି ସକାଳେ ତାଙ୍କ ଲାହୋର ସ୍ଥିତ ବାସଭବନରେ ସଶସ୍ତ୍ର ଗାଡି ନେଇ ପହଞ୍ଚିଥିଲା। ହେଲେ ସେଠାରେ ପୂର୍ବରୁ ଭିଡ଼ ଜମାଇଥିବା ଇମ୍ରାନଙ୍କ ସମର୍ଥକଙ୍କ ସହ ପୋଲିସର ଖଣ୍ଡଯୁଦ୍ଧ ହୋଇଥିଲା । ଫଳରେ ଲାହୋରର ଜମାନ ପାର୍କ ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା। ରାସ୍ତାରେ ଲୁହବୁହା ଗ୍ୟାସ ସେଲ, ପୋଡ଼ା ଟାୟାର ଏବଂ ଗାଡିର ଭଗ୍ନାବଶେଷ ଦେଖିବାକୁ ମିଳିଥିଲା। ଏହି ସଂଘର୍ଷରେ ଡଜନେ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଅନ୍ୟପକ୍ଷରେ ଲାହୋରର ହାଇକୋର୍ଟ ପୋଲିସ ଏବଂ ଇମ୍ରାନ ଖାନଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଦେଖି ତାଙ୍କୁ ଗିରଫ ଉପରେ ଆସନ୍ତାକାଲି ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି ।

ଇମ୍ରାନ ଖାନ ତୋଶାଖାନାରୁ ମିଳିଥିବା ଉପହାରଗୁଡ଼ିକୁ କମ୍ ମୂଲ୍ୟରେ କିଣିବା ଏବଂ ପ୍ରଧାନମନ୍ତ୍ରୀ ଥିବା ସମୟରେ‌ ସେଗୁଡିକୁ ଉଚ୍ଚ ଦରରେ ବିକ୍ରି କରିଥିବା ଅଭିଯୋଗ ହୋଇଛି।

ଇମ୍ରାନ ବୁଧବାର ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କୁ ‘ଗିରଫ’ କରିବାକୁ ହେଉଥିବା ଉଦ୍ୟମ କେବଳ ଡ୍ରାମା। ଏହା ପଛରେ ଅସଲ ଉଦ୍ଦେଶ୍ୟ ହେଉଛି ତାଙ୍କୁ ଅପହରଣ ଓ ହତ୍ୟା କରିବା । ଲୁହବୁହା ଗ୍ୟାସ ଏବଂ ପାଣି ତୋପ ପରେ ସେମାନେ ଗୁଳି ଚଳାଇଥିଲେ। ଗତ ସନ୍ଧ୍ୟାରେ ମୁଁ ଏକ ବଣ୍ଡରେ ଦସ୍ତଖତ କରିଥିଲି, କିନ୍ତୁ ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଡିଜି) ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସେମାନଙ୍କର ମନ୍ଦ ଉଦ୍ଦେଶ୍ୟ ରହିଛି ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଇମ୍ରାନ କହିଛନ୍ତି ।

Comments are closed.