ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ଆୟର୍ ବାଦ୍

ମୁମ୍ବାଇ: ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି | ଭାରତର ଫିଲ୍ଡିଂ କୋଚ୍ ଟି ଦିଲୀପ ବୁଧବାର ଏନେଇ ସ୍ପଷ୍ଟ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ବେଳେ ଆୟରଙ୍କ ପୁଣି ପିଠି ସମସ୍ୟା ଦେଖାଦେଇଥିଲା । ମୁମ୍ବାଇର ଏହି ବ୍ୟାଟ୍ସମ୍ୟାନ୍ ଆଇପିଏଲରେ ମଧ୍ୟ ଭାଗ ନେଇ ପାରିବେ ନାହିଁ ବୋଲି ଜଣାପଡ଼ିଛି। ଆୟର୍ ଆଇପିଏଲରେ କେକେଆର୍ ଅଧିନାୟକ ଅଛନ୍ତି । ସେ ଏବେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ରେ ରିହାବିଲିଟେସନ୍ (ଚିକିତ୍ସା ଏବଂ ଆଘାତରୁ ମୁକୁଳିବା ପ୍ରକ୍ରିୟା) ପାଇଁ ଅଛନ୍ତି। ତାଙ୍କୁ ଯଶପ୍ରୀତ ବୁମରା ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ପରି ଅସ୍ତ୍ରୋପଚାର ଆବଶ୍ୟକ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଟି ଦିଲୀପ କହିଛନ୍ତି, “ଆଘାତ ହେଉଛି ଖେଳର ଏକ ଅଂଶ। ଆମ ପାଖରେ ଭଲ ଚିକିତ୍ସା ସୁବିଧା ଅଛି | ଆମେ ଏନସିଏ ସହିତ ଯୋଗାଯୋଗରେ ଅଛୁ | ଶ୍ରେୟାସ ଏହି ସିରିଜରୁ ବାଦ୍ ପଡ଼ିଛନ୍ତି ।

ଆୟର ଆଘାତରୁ ମୁକୁଳି ଭାରତୀୟ ଦଳକୁ ଫେରିଥିଲେ। ଚତୁର୍ଥ ଟେଷ୍ଟରେ ସେ ଦଳର ଏକମାତ୍ର ଇନିଂସରେ ବ୍ୟାଟିଂ କରି ନଥିଲେ। ପୁଣି ଆହତ ହେବା ପରେ ଆୟରଙ୍କୁ ବିସିସିଆଇ ମେଡିକାଲ ଟିମ୍ ସ୍କାନ୍ ପାଇଁ ନେଇଥିଲା । ସେତେବେଳେ ଦଳ ଏକ ବିବୃତିରେ କହିଥିଲା ଯେ ଏହି ବ୍ୟାଟ୍ସମ୍ୟାନଙ୍କ ଆଘାତ ଉପରେ ନଜର ରଖାଯାଉଛି। ଏହି ଆଘାତ ଅନ୍ତତଃ ପକ୍ଷେ ଆଇପିଏଲ ୨୦୨୩ ସିଜନର ପ୍ରଥମ ଭାଗରୁ ବଞ୍ଚିତ ହୋଇପାରନ୍ତି। ଆଇପିଏଲର ଆଗାମୀ ସିଜନ ୩୧ ମାର୍ଚ୍ଚରୁ ଆରମ୍ଭ ହେଉଛି | ଆୟର୍ ଦୁଇଥର ଟାଇଟଲ୍ ବିଜେତା କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ । ଆୟରଙ୍କ ଅନୁପସ୍ଥିତିରେ ଦଳକୁ ଜଣେ ନୂଆ ଅଧିନାୟକ ଖୋଜିବାକୁ ପଡିବ |

Comments are closed.