ମାଟ୍ରିକ ସମ୍ମେଟିଭ ପରୀକ୍ଷା : କପି ରୋକିବାକୁ ନିୟମରେ ପରିବର୍ତ୍ତନ

କଟକ – ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷାରେ କପି ରୋକିବାକୁ ପରିଚାଳନା ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏଣିକି ସକାଳ ୬ଟା ୩୦ମିନିଟ ପରେ ନୋଡାଲ କେନ୍ଦ୍ରରୁ ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ରକୁ ଯିବ । ପରୀକ୍ଷା କେନ୍ଦ୍ରରେ ୬ଟା ୪୫ରୁ ୭ଟା ୩୦ ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚିବ ଏବଂ କେନ୍ଦ୍ର ଅଧୀକ୍ଷକଙ୍କୁ ପ୍ରଶ୍ନପତ୍ର ହସ୍ତାନ୍ତର କରାଯିବ। ସମସ୍ତ ନୋଡାଲ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆଜିଠୁ ଏହି ନୂଆ ନିୟମ ଲାଗୁ ହୋଇଛି।

ପରୀକ୍ଷା ଆରମ୍ଭର ଏକ ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୭ଟା ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚୁଥିଲା। ଫଳରେ ସକାଳ ୬ଟାରୁ କିମ୍ବା ଏହା ପୂର୍ବରୁ ନୋଡାଲ କେନ୍ଦ୍ରରୁ ପ୍ରଶ୍ନ ପତ୍ର ନିଆଯାଉଥିଲା। କିନ୍ତୁ ଏହା ଦ୍ୱାରା ପରୀକ୍ଷା କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଥିସହ ପ୍ରଶ୍ନପତ୍ର ଲିକ ହେବାର ସମ୍ଭାବନା ମଧ୍ୟ ରହୁଥିଲା। ସୁରକ୍ଷା ଦୃଷ୍ଟିରୁ ଏଭଳି ପରିବର୍ତ୍ତନ କରାଯାଇଥିବା ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଆସନ୍ତା ୨୦ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ଚାଲିବ। ଏଥିପାଇଁ ସମୁଦାୟ ୩୨୧୮ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବାବେଳେ ପ୍ରଶ୍ନପତ୍ର ରଖିବାକୁ ୩୧୬ଟି ନୋଡାଲ କେନ୍ଦ୍ର ହୋଇଛି।

Comments are closed.