ପୁଣି ଡରାଉଛି କରୋନା, ଚାରିମାସ ପରେ ସର୍ବାଧିକ ଦୈନିକ ସଂକ୍ରମଣ, ୬ଟି ରାଜ୍ୟକୁ ଚିଠି ଲେଖି ସତର୍କ କଲା କେନ୍ଦ୍ର

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଦେଶରେ କରୋନା ମାମଲାରେ ପୁଣି ବଢ଼ିବାରେ ଲାଗିଛି । ଚାରିମାସ ପରେ ଦିନକରେ ସର୍ବାଧିକ କରୋନା ମାମଲା କେନ୍ଦ୍ର ସରକାରଙ୍କୁ ଚିନ୍ତା ବଢ଼ାଇଛି। ଗତ କୋଭିଡ -୧୯ ସହ ଦେଶରେ ଏଚ୍୩ଏନ୍୨ ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ପରିସ୍ଥିତି ଉପରେ ନଜର ରଖିବା ପାଇଁ କେନ୍ଦ୍ର ସରକାର ୬ଟି ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଗୁରୁବାର (୧୬ ମାର୍ଚ୍ଚ) ଭାରତରେ ୭୫୪ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିଲା। ଦେଶରେ ସକ୍ରିୟ କରୋନା ମାମଲାର ସଂଖ୍ୟା ୪,୬୨୩ରେ ପହଞ୍ଚିଛି। ଏହା ପୂର୍ବରୁ ଗତ ବର୍ଷ ନଭେମ୍ବର ୧୨ରେ ୭୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

କୋଭିଡ-୧୯ ମାମଲାରେ କେନ୍ଦ୍ର ସରକାର ୬ଟି ରାଜ୍ୟକୁ ସତର୍କ ସୂଚନା ଜାରି କରିଛନ୍ତି। କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ ଏବଂ କେରଳରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

ଏହି ୬ଟି ରାଜ୍ୟକୁ ଲେଖାଯାଇଥିବା ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ କେତେକ ରାଜ୍ୟରେ ବହୁ ସଂଖ୍ୟକ କରୋନା ସଂକ୍ରମଣ ମାମଲା ରୁଜୁ ହୋଇଛି। ଏଥିରୁ ସଂକ୍ରମଣର ସମ୍ଭାବ୍ୟ ସ୍ଥାନୀୟ ପ୍ରସାର ଘଟୁଥିବା ଜଣାପଡ଼ୁଛି । ଏହାକୁ ଏଡାଇବା ପାଇଁ ରିସ୍କ ଆକଳନ ଆଧାରିତ ପଦ୍ଧତି ଗ୍ରହଣ କରାଯିବା ଉଚିତ | ଆଠ ମାର୍ଚ୍ଚ ପର୍ଯ୍ୟନ୍ତ ସପ୍ତାହକ ମଧ୍ୟରେ କୋଭିଡ-୧୯ର ମୋଟ ୨,୦୮୨ ମାମଲା ରୁଜୁ ହୋଇଥିଲା ଏବଂ ୧୫ ମାର୍ଚ୍ଚ ସୁଦ୍ଧା ଏହି ମାମଲା ୩,୨୬୪କୁ ବୃଦ୍ଧି ପାଇଛି ।

Comments are closed.