ଗଞ୍ଜାମ: ପୋଲିସକୁ ଆକ୍ରମଣ ଅଭିଯୋଗରେ ୩୫ ଡ୍ରାଇଭର୍ ଗିରଫ

ଛତ୍ରପୁର: ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁର ଛକ ଜାତୀୟ ରାଜପଥରେ ଗୁରୁବାର ସନ୍ଧ୍ୟାରେ ପୋଲିସ ଉପରେ ଆକ୍ରମଣ ଅଭିଯୋଗରେ ପୋଲିସ ଏଯାବତ୍ ୩୫ ଜଣ ଡ୍ରାଇଭରଙ୍କୁ ଗିରଫ କରିଛି। ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ମିଳିତ ଭାବେ ଆକ୍ରମଣକାରୀ ଚାଳକମାନଙ୍କ ବିରୋଧରେ ଧରପଗଡ ଜାରି ରଖିଛନ୍ତି। ଗତକାଲି ଆନ୍ଦୋଳନ ନାଁରେ ରାଜପଥ ଠପ୍ କରିଦେବାକୁ ଉଦ୍ୟମ କରୁଥିବା ବେଳେ ଡ୍ରାଇଭରମାନଙ୍କୁ ପୋଲିସ ବଳପୂର୍ବକ ହଟାଇ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସ୍ବାଭାବିକ କରାଇଥିଲା। ହେଲେ ସନ୍ଧ୍ୟାରେ ଝିପଝିପ ବର୍ଷା ସହ ଅନ୍ଧାରର ମଉକା ନେଇ ଡ୍ରାଇଭରମାନେ ସଂଘବଦ୍ଧ ଭାବେ ପୋଲିସ ବାହିନୀ ଉପରେ ପଥର ମାଡ଼ କରିବା ସହ ଠେଙ୍ଗା, ବାଉଁଶରେ ଆକ୍ରମଣ କରିଥିଲେ। ଏଥିରେ ଗୋଳନ୍ଥରା ଥାନା ଆଇଆଇସି, ଗୋପାଳପୁର ଓ ଚମାଖଣ୍ଡି ଥାନାର ୧୨ରୁ ଅଧିକ ଅଧିକାରୀ ଓ କର୍ମଚାରୀ ଆହତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କାହାର ମୁଣ୍ଡ ଫାଟିଥିଲା ତ କାହାର ଗୋଡ଼ ହାତରେ ଆଘାତ ଲାଗିଥିଲା।

ଏହାପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩୫ ଜଣଙ୍କୁ କାବୁ କରି ଥିଲା। ରାଜରାସ୍ତାରେ ହଙ୍ଗାମା କରି ଫେରାର ଥିବା ଅନ୍ୟ ଡ୍ରାଇଭରକୁ ପୋଲିସ ଖୋଜୁଛି। ଡ୍ରାଇଭରଙ୍କ ଆନ୍ଦୋଳନ ସମୟରେ ପୋଲିସ ଆଇନଶୃଙ୍ଖଳା ରକ୍ଷା କରୁଥିଲେ। ଯେତେବେଳେ ଆନ୍ଦୋଳନକାରୀ ଡ୍ରାଇଭରମାନେ ରାଜପଥ ଅବରୋଧ, ସାଧାରଣ ଲୋକଙ୍କୁ ଅଟକାଇଲେ ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ବାଧ୍ୟ ହୋଈଥିଲେ। ଏହା ପରେ ସନ୍ଧ୍ୟାରେ ଜଗନ୍ନାଥପୁର ଛକ ଉତ୍ତ୍ୟକ୍ତ ଚାଳକଙ୍କୁ ହଙ୍ଗାମା ଯୋଗୁଁ ରଣକ୍ଷେତ୍ର ପାଲଟି ଯାଇଥିଲା।

Comments are closed.