ପାଟନା ରେଳ ଷ୍ଟେସନ ଟିଭି ସ୍କ୍ରିନରେ ଚାଲିଲା ପର୍ଣ୍ଣ ଭିଡ଼ିଓ | News Room Odisha

ପାଟନା ରେଳ ଷ୍ଟେସନ ଟିଭି ସ୍କ୍ରିନରେ ଚାଲିଲା ପର୍ଣ୍ଣ ଭିଡ଼ିଓ

ପାଟନା: ରେଳ ଷ୍ଟେସନର ଟିଭି ସ୍କ୍ରିନରେ ବିଜ୍ଞାପନ ବଦଳରେ ଚାଲିଲା ପର୍ଣ୍ଣ କ୍ଲିପ୍ । ପାଟନା ଜଙ୍କସନରୁ ଏପରି ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ବେଳେ ଷ୍ଟେସନରେ ଶହ ଶହ ଯାତ୍ରୀ ଉପସ୍ଥିତ ଥିଲେ । ଏହା ରେଳ ଅଧିକାରୀଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା ।

ରବିବାର ସକାଳ ୧୦ଟାରେ ପାଟନା ଜଙ୍କସନ ରେଳ ଷ୍ଟେସନର ଏକ ପ୍ଲାଟଫର୍ମରେ ଲାଗିଥିବା ଟିଭିରେ ବିଜ୍ଞାପନ ବଦଳରେ ଅଶ୍ଳୀଳ କ୍ଲିପ୍ ପ୍ରଦର୍ଶିତ ହୋଇଥିଲା, ଯାହା ପ୍ରାୟ ୩ ମିନିଟ୍ ଧରି ଚାଲିଥିଲା ​​| ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଅନେକ ଯାତ୍ରୀ ଏନେଇ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଆରପିଏଫ୍ ଏଥିରେ ହସ୍ତକ୍ଷେପ କରି ଫୁଟେଜକୁ ବନ୍ଦ କରିଦେଇଥିଲେ, କିନ୍ତୁ ସୋସିଆଲ ମିଡିଆରେ ସେୟାର ଏହି ଭିଡ଼ିଓ ଭାଇରାଲ୍ ହୋଇଥିଲା । ଅନେକ ୟୁଜର ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରବା ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରେଳ ମନ୍ତ୍ରଣାଳୟକୁ ଟ୍ୟାଗ୍ କରିଥିଲେ ।

ଏହି ଘଟଣା ପାଇଁ ଦତ୍ତା କମ୍ୟୁନିକେସନ ନାମକ ଏକ ସଂସ୍ଥା ବିରୋଧରେ ମାମଲା ରୁଜୁ ହୋଇଛି। ଏହି ସଂସ୍ଥାକୁ ପାଟନା ରେଳ ଷ୍ଟେସନର ଟିଭି ସ୍କ୍ରିନରେ ସୂଚନା ଓ ବିଜ୍ଞାପନ ପ୍ରଦର୍ଶନ ପାଇଁ ଦାୟିତ୍ବ ଦିଆଯାଇଥିଲା । ଖବର ଅନୁଯାୟୀ ରେଳବାଇ ଏହି ସଂସ୍ଥାକୁ ବ୍ଲାକଲିଷ୍ଟ କରିଛି ।