ରାଜ୍ୟର ହାରାହାରି ସର୍ବୋଚ୍ଚ ବିଦ୍ୟୁତ ଶକ୍ତି ଚାହିଦା ପୂରଣ ହୋଇପାରୁଛି : ଶକ୍ତି ମନ୍ତ୍ରୀ

ଭୁବନେଶ୍ଵର:  ରାଜ୍ୟର ସମସ୍ତ ଗ୍ରାହକଙ୍କୁ ୨୪×୭ ଗୁଣାତ୍ମକ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତଯୋଗାଣ କରିବାକୁ ଶକ୍ତି ବିଭାଗ ବିଦ୍ୟୁତ ଉତ୍ପାଦନ , ପରିବହନ ଏବଂ ବିତରଣ କ୍ଷେତ୍ରରେ ଅନେକ ପଦକ୍ଷେପ ନେଉଛି । ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଓପିଜିସି ୨୦୧୯ ରେ ଏହାର ଉତ୍ପାଦନ କ୍ଷମତାକୁ ୧ , ୩୨୦ ମେଗାୱାଟ୍ ବୃଦ୍ଧି କରିଛି । ସମ୍ପ୍ରତି ରାଜ୍ୟରେ ପାଖାପାଖି ୭ , ୨୯୦ ମେଗାଓ୍ବାଟ୍ ବିଦ୍ୟୁତ ଉପଲବ୍ଧ ଥିବାରୁ , ରାଜ୍ୟର ହାରାହାରି ସର୍ବୋଚ୍ଚ ବିଦ୍ୟୁତ ଶକ୍ତି ଚାହିଦା , ଯାହାକି ପ୍ରାୟ ୪ , ୫୦୦ – ୫ , ୦୦୦ ମେଗାୱାଟ୍ , ସୁରୁଖୁରୁରେ ପୂରଣ ହୋଇପାରୁଛି । ରାଜ୍ୟର ବିଦ୍ୟୁତ ପରିବହନ ଏବଂ ବିତରଣର ଭିଭିଭୂମି , ଉପଭୋକ୍ତା ସଂଖ୍ୟାରେ ବୃଦ୍ଧି ଏବଂ ଶିଳ୍ପ ଓ ସେବା କ୍ଷେତ୍ରର କ୍ରମବର୍ଦ୍ଧିଷ୍ଣୁ ଚାହିଦା ସହିତ ସମାନୁପାତିକ ଭାବରେ ବୃଦ୍ଧି ପାଇଛି ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ପ୍ରକାଶ କରିଛନ୍ତି ।

ଆଜି ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍‌ ୨୦୨୩ – ୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ ଗତ ୧୦ ବର୍ଷରେ , ବିଦ୍ୟୁତ ପରିବହନ ବ୍ୟବସ୍ଥାର ଉପଲବ୍ଧତା ୯୯.୯ % ରୁ ଅଧିକ ରହିଛି । କିଛି ଦୂରଦୁରାନ୍ତରେ ଥିବା ଲୋ – ଭୋଲଟେଜ୍‌ ଅଂଚଳର ଗ୍ରାହକଙ୍କ ଭୋଲଟେଜ୍‌ ସମସ୍ୟାର ସମାଧାନ ପାଇଁ ବଜେଟରେ ଯଥାଯଥ ବ୍ୟବସ୍ଥା କରାଯାଇଛି । ମେକ୍ ଇନ୍ ଓଡିଶା – ୨୦୨୨ ସମୟରେ , ଆମେ ଏକ ନୂତନ ଅକ୍ଷୟ ଶକ୍ତି ନୀତି ଉନ୍ମୋଚନ କରିଥିଲୁ । ସେହି ନୀତି କାର୍ଯ୍ୟକାରୀ କରିବା ପାଇଁ ବଜେଟ୍‌ରେ ବ୍ୟବସ୍ଥା ରହିଛି । ଏହି ବଜେଟରେ ସବୁଜ ଶକ୍ତି ପରିବହନ କରିଡର ( ନୂତନ ଯୋଜନା ) ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯିବା ସହିତ ଓଡିଶା ନବୀକରଣୀୟ ଶକ୍ତି ବିକାଶ ପାଣ୍ଠି ( ନୂତନ ଯୋଜନା ) ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୨୦୩୦ ମସିହା ସୁଦ୍ଧା ଆମେ ୧୦ , ୦୦୦ରୁ ଊର୍ଦ୍ଧ୍ୱ ମେଗାଓ୍ବାଟ୍ ଅକ୍ଷୟ ଶକ୍ତିରୁ ବିଦ୍ୟୁତ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛୁ ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ।

ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ମନ୍ତ୍ରୀ ଶ୍ରୀ ଦେବ ସୂଚନା ଦେଇଥିଲେ ଯେ ବର୍ତ୍ତମାନ କାର୍ଯ୍ୟକାରୀ ଯୋଜନା ଏବଂ ପ୍ରସ୍ତାବିତ ନୂତନ ଯୋଜନାଗୁଡିକୁ ଏକତ୍ର କରି , ବଜେଟରେ ଦୁଇଟି ସାମଗ୍ରିକ ଯୋଜନାର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଶକ୍ତି ବିକାଶ କାର୍ଯ୍ୟକ୍ରମ ବାବଦରେ ୧ , ୪୪୬.୫୦ କୋଟି ଟଙ୍କା ଓ ମୁଖ୍ୟମନ୍ତ୍ରୀଙ୍କ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ ନିମନ୍ତେ ୨୭୨ , ୬୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଶକ୍ତି ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଉପାଦାନ / ପ୍ରମୁଖ ଭାଗ ଗୁଡିକ ମଧ୍ୟରେ ଓଡିଶା ବିଦ୍ୟୁତ ବିତରଣ ସଶକ୍ତିକରଣ କାର୍ଯ୍ୟକ୍ରମ ପାଇଁ ୮୩୨.୫ କୋଟି ଟଙ୍କା , ରାଜ୍ୟ ରାଜଧାନୀ ଅଂଚଳ ବିଦ୍ୟୁତ ବ୍ୟବସ୍ଥା ଉନ୍ନତିକରଣ ଯୋଜନା ପାଇଁ ୩୬୪.୯୮ କୋଟି ଟଙ୍କା , ବିପର୍ଯ୍ୟୟ ନିରୋଧୀ ଶକ୍ତି ବ୍ୟବସ୍ଥା ପାଇଁ ୧୦୦ କୋଟି ଟଙ୍କା , ସବୁଜ ଶକ୍ତି ପରିବହନ କରିଡର ପାଇଁ ୫୦ କୋଟି ଟଙ୍କା ( ନୂତନ ଯୋଜନା )ର ବ୍ୟୟବରାଦ କରାଯାଇଛି । ଲୋ – ଭୋଲଟେଜ୍‌ ଅଂଚଳମାନଙ୍କରେ ଭୋଲଟେଜ୍‌ରେ ଉନ୍ନତି ପାଇଁ ମାର୍ଚ୍ଚ ୨୦୨୪ ସୁଦ୍ଧା ୧୦୦ ରୁ ଅଧ୍ବକ ୩୩ / ୧୧ କେଭି ସବ୍ – ଷ୍ଟେସନ୍‌ କାର୍ଯ୍ୟକ୍ଷମ ହେବ । ବିପର୍ଯ୍ୟୟ ନିରୋଧୀ ଶକ୍ତି ଭିଭିଭୂମି ନିର୍ମାଣ ପାଇଁ , ରେଡିଆଲ୍ ଟୁ ରିଙ୍ଗ୍ କନଭର୍ସନ୍ ପ୍ରୋଜେକ୍ଟ ( RRCP- ଦ୍ୱିତୀୟ ପର୍ଯ୍ୟାୟ ) , ରାଜ୍ୟ ରାଜଧାନୀ ଅଂଚଳରେ ଶକ୍ତି ଭିଭିଭୂମି ଉନ୍ନତିକରଣ ( SCRIPS ) ଓ ବିପର୍ଯ୍ୟୟ ନିରୋଧୀ ଶକ୍ତି ବ୍ୟବସ୍ଥା ( DRPS- ଦ୍ୱିତୀୟ ପର୍ଯ୍ୟାୟ ) ଭଳି ଯୋଜନାଗୁଡିକ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରାଯାଇଛି ଏବଂ ଏଥିପାଇଁ ବଜେଟ୍‌ରେ ସାମୂହିକ ଭାବରେ ୪୭୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । CMECP ଅଧୀନରେ , ଘରୋଇ ଶକ୍ତି ଦକ୍ଷତା କାର୍ଯ୍ୟକ୍ରମ ( ନୂତନ ସ୍କିମ୍ ) ପାଇଁ ୨୫୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି , ଯାହାକି ଘରମାନଙ୍କରେ ଏନେର୍ଜି ଏଫିସିଏଣ୍ଟ ଉପକରଣର ବ୍ୟବହାରକୁ ପ୍ରୋତ୍ସାହିତ କରିବ । ଶକ୍ତି ସଂରକ୍ଷଣ ଏବଂ ଶକ୍ତି ଦକ୍ଷତା ସଚେତନତା କାର୍ଯ୍ୟକ୍ରମର ଅଂଶ ଭାବରେ , ପ୍ରାୟ ୧ , ୦୦୦ ଗୋଟି ବିଦ୍ୟାଳୟରେ ଗଠିତ ‘ ଶକ୍ତି କ୍ଲବ’ଗୁଡିକ ସମ୍ପ୍ରତି ସକ୍ରିୟ ଭାବରେ କାର୍ଯ୍ୟ କରୁଛି । ସମସ୍ତ ହାଇସ୍କୁଲଗୁଡିକରେ ମଧ୍ୟ ଏଭଳି କ୍ଲବ ଗଠନ କରିବା ପାଇଁ ପ୍ରସ୍ତାବ ରହିଛି । ଶକ୍ତି ବିଭାଗ ଏହାର ପ୍ରମୁଖ ଅଗ୍ରଣୀ କାର୍ଯ୍ୟକ୍ରମ ‘ ବିଜୁ ଗ୍ରାମ ଜ୍ୟୋତି ଯୋଜନା’କୁ ଜାରି ରଖିଛି । ବିଦ୍ୟୁତ ସେବାରୁ ବଂଚିତ ସମସ୍ତ ପରିବାରକୁ ଆଗାମୀ ଅଗଷ୍ଟ ୨୦୨୩ ସୁଦ୍ଧା ବିଦ୍ୟୁତକରଣ କରିବା ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୧ ରେ ‘ ସୌଭାଗ୍ୟ ’ ଯୋଜନାର ପରିସମାପ୍ତି ହେବା ପରେ , ଅବଶିଷ୍ଟ ଜନବସତି / ପରିବାରକୁ ବିଦ୍ୟୁତ ଯୋଗାଇବା ପାଇଁ DISCOM ମାନଙ୍କୁ ୪୧୫ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି । ହାତୀମାନଙ୍କୁ ବୈଦୁତିକ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ , ଏଲିଫ୍ୟାଣ୍ଟ କରିଡ଼ର ଯୋଜନାରେ ଆଗାମୀ ୨୦୨୩ – ୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ରେ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । Elephant Corridor ଯୋଜନାରେ ବିଦ୍ୟୁତ ଭିତ୍ତିଭୂମିର ସଶକ୍ତିକରଣ ପାଇଁ ଏଯାବତ ୬୯୦.୨ କୋଟି ଟଙ୍କା ଆବଣ୍ଟନ କରାଯାଇସାରିଛି ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି । ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ ଗ୍ରୀଡକୋ ୟୁନିଟ୍ ପିଛା ହାରାହାରି ୩.୧୨ ଟଙ୍କା ମୂଲ୍ୟରେ ( ଆର୍ଥିକ ବର୍ଷ ୨୦୨୨ – ୨୩ ) DISCOM ମାନଙ୍କୁ ବକ୍ସରେ ଶକ୍ତି ଯୋଗାଉଛି , ଯାହା ସର୍ବଭାରତୀୟ ସ୍ତର ଠାରୁ କମ୍ ଅଟେ । ଗ୍ରୀଡକୋର ଆର୍ଥିକ ସ୍ଥିରତା ଓ ସ୍ଵଚ୍ଛଳତା ରାଜ୍ୟର ଶକ୍ତି ସୁରକ୍ଷା ପାଇଁ ଗୁରୁତ୍ଵପୂର୍ଣ୍ଣ ଅଟେ । ୩୧ ଡିସେମ୍ବର ୨୦୨୨ ସୁଦ୍ଧା , ଗ୍ରୀଡକୋର ବକେୟା ଦେୟ ପାଖାପାଖି ୬ , ୫୦୦ କୋଟି ଟଙ୍କା ରହିଛି । ତେଣୁ , ରାଜ୍ୟ ସରକାର ଗ୍ରୀଡକୋକୁ ବାର୍ଷିକ ୫ ପ୍ରତିଶତ ସୁଧହାରରେ ଏବଂ ୫ ବର୍ଷର ମୋରାଟୋରିଅମ ଅବଧୂରେ ରଣ ( Soft Loan ) ଦେବା ଆରମ୍ଭ କରିଛନ୍ତି । ଏହି କ୍ରମରେ , ଆର୍ଥିକ ବର୍ଷ ୨୦୨୨ – ୨୩ ରେ GRIDCO କୁ ୭୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଆର୍ଥିକ ବର୍ଷ ୨୦୨୩ – ୨୪ ପାଇଁ ୭୦୦ କୋଟି ଟଙ୍କା ଋଣ ପ୍ରଦାନର ପ୍ରସ୍ତାବ ଦିଆଯାଇଛି । ଓପିଜିସି ( OPGC ) କୁ ୧୩୮ କୋଟି ଟଙ୍କା ଓ ଓପିଟିସିଏଲ ( OPTCL ) କୁ ୧୦୦ କୋଟି ଟଙ୍କାର ଅଂଶଧନ ପ୍ରଦାନ କରାଯାଇଛି ।

ଏବର୍ଷ ଶକ୍ତି ବିଭାଗ ମୋଟ ୩ , ୦୦୨.୫୩ କୋଟି ଟଙ୍କାର ବଜେଟ୍ ଆକଳନ କରିଅଛି । ଏଥୁରେ , ଯୋଜନା / ପରିକଳ୍ପନା / କାର୍ଯ୍ୟକ୍ରମ ରୂପାୟନ ତଥା କାର୍ଯ୍ୟାନ୍ଵୟନ ପାଇଁ ୨ , ୯୫୪ କୋଟି ଓ ପ୍ରଶାସନିକ ଖର୍ଚ୍ଚ ପାଇଁ ୪୮.୫୩ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ଦିଆଯାଇଛି । ଏହି ସମସ୍ତ ପଦକ୍ଷେପ ଦ୍ଵାରା ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନଙ୍କର ଖୁଚୁରା ବିଦ୍ୟୁତ ଶୁଳ୍କକୁ କମ୍ ରଖିବାରେ ସହାୟକ ହୋଇପାରିବ ଏବଂ ଶିଳ୍ପ ଓ ଅର୍ଥନୀତିର ଅଭିବୃଦ୍ଧିକୁ ସୁଗମ କରିବ , ଯାହାଦ୍ୱାରା ରାଜ୍ୟର ଜନସାଧାରଣଙ୍କ ଜୀବନଶୈଳୀରେ ଉନ୍ନତି ଆସିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଧଳ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମଳନୀକୁ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଗୁର୍‌ବୀର ସିଂ ପରିଚାଳନା କରିଥିବାବେଳେ ଶକ୍ତି ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ ।

Comments are closed.