ଓଡ଼ିଶାର ପ୍ରସିଦ୍ଧ ଅଷ୍ଟ ଶକ୍ତି ପୀଠ
ବାସନ୍ତିକ ଦୁର୍ଗା ପୂଜା ଅବସରରେ ଆଜି ଜାଣିବା ପ୍ରଥମ ଚାରୋଟି ଶକ୍ତିପୀଠ ସମ୍ଭନ୍ଧରେ
ଶକ୍ତି ପୂଜାର ପରଂପରା ଆମ ଦେଶରେ ଯୁଗଯୁଗ ଧରି ଚଳିଆସୁଅଛି। ଏହାର କାଳ ନିର୍ଣ୍ଣୟ କରିବା କଦାପି ସହଜସାଧ୍ୟ ନୁହେଁ। କିନ୍ତୁ ଦୁର୍ଗା ପୂଜାର ପରଂପରା ସବୁଠାରୁ ଭିନ୍ନ। ଏହି ପ୍ରକାର ଦେବୀ ପୂଜା ସଂପୂର୍ଣ୍ଣ ରୂପେ ମୌଳିକ। ଦେବୀଙ୍କର ପୂଜା ଓ ଆବାହନ କଳସ ମଧ୍ୟରେ ହୁଏ। ଦୁର୍ଗାପୂଜା ଅବସରରେ ଖଣ୍ଡାୟତର ଖଣ୍ଡା, ନାପିତର କ୍ଷୁର, ନହୁରୁଣୀ, କରଣର ଲେଖନୀ, କମାର ବଢେଇଙ୍କ ଉପକରଣ ତଥା ଅନ୍ୟ ଜାତିମାନଙ୍କର କୌଳିକ ବୃତ୍ତି ଅନୁସାରେ ନିଜ ନିଜର ଉପକରଣଗୁଡିକୁ କଳସ ନିକଟରେ ସ୍ଥାପନ କରିଥାନ୍ତି। ବୃତ୍ତିଗତ ବ୍ୟବସାୟର ଉତ୍ତରୋତ୍ତର ଅଭିବୃଦ୍ଧି ପାଇଁ ଦେବୀଙ୍କ ନିକଟରେ କାମନା କରିଥାନ୍ତି।
ବରଗଛ ତଳେ ଚୂଆ ସିନ୍ଦୂର ଚର୍ଚ୍ଚିତା ଦେବୀ ଆରାଧନା ଚିରନ୍ତନ ଓ ତାହା ମୌଳିକ ସଂସ୍କୃତିର ପରଂପରା। ଓଡ଼ିଶାରେ ଦୁର୍ଗା ମୂର୍ତ୍ତି ବେନିଭୁଜା, ଚତୁର୍ଭୁଜା, ଦଶଭୁଜା ଓ ଦ୍ବାଦଶଭୁଜା ଅଟନ୍ତି।
ଓଡ଼ିଶାର ଆଠଗୋଟି ଶକ୍ତି ପୀଠ ମୁଖ୍ୟ। ଏହି ପୀଠଗୁଡ଼ିକରେ ଚଣ୍ଡୀଙ୍କର ବିଗ୍ରହ ପୂଜା ପାଉଛନ୍ତି।
ବାଣପୁରେ ଭଗବତୀ ଶ୍ରୀକ୍ଷେତ୍ରେ ବିମଳା
କାକଟପୁରେ ରହିଲୁ ନାମ ତୋ ମଙ୍ଗଳା।
ଝଙ୍କଡେ ଶାରଳା ନାମ, ଅଟଇ ତୋହର
ବିରଜାଇ ନାମେ ବିଜେ କରୁ ଯାଜପୁର।
ବାଙ୍କୀରେ ନାମ ତୋହର ଅଟେ ଚର୍ଚ୍ଚିକାଇ
ସମ୍ବଲପୁରରେ ନାମ ବହିଲୁ ସମଲାଇ।
ତାଳଚେରରେ ହେଙ୍ଗୁଳା ନାମ ତୋର ମାଆ
ଏହିଭଳି ଉତ୍କଳରେ ଶକ୍ତିପୀଠ ଆଠ ନାଆଁ।
ମଙ୍ଗଳଚଣ୍ଡିଆମାନେ ଏଭଳି ଗୀତ ଗାଁ ଗାଁରେ ବୁଲି ଗାଇଥାନ୍ତି। ଏହା ବ୍ୟତୀତ ସାରଳା ଦାସ ମଧ୍ୟ ଅଷ୍ଟତନ୍ତ୍ର ପୀଠ କଥା ଉଲ୍ଲେଖ କରିଛନ୍ତି-
ଝଙ୍କଡେ ରହିଲୁ ମା’ଗୋ ଶାରଳା ନାମ ବହି
କାକଟପୁରେ ରହିଲୁ ମା’ଗୋ ମଙ୍ଗଳା ବୋଲାଇ
କୋଣାରକେ ରହିଲୁ ମା’ଗୋ ଅଭୟା ରାମଚଣ୍ଡୀ
ପୁରୁଷୋତ୍ତମେ ରହିଲୁ ବିମଳା ବୋଲାଇ
ବାଙ୍କୀରେ ରହିଲୁ ମା’ଗୋ ଚର୍ଚ୍ଚିକା ନାମ ବହି।
ଯାଜପୁରେ ରହିଲୁ ବିରଜା କାକଟପୁରେ ମଙ୍ଗଳା
ପଶ୍ଚିମ ଦିଗେ ରହିଲୁ ବୋଲାଇ ହେଙ୍ଗୁଳା।
ଭୁବନେଶ୍ବରରେ ରହିଲୁ ନାମ ତୋ ଗଉରୀ।
ଏ ଦୃଷ୍ଟିରୁ ଝଙ୍କଡର ଶାରଳା, କାକଟପୁରର ମଙ୍ଗଳା, କୋଣାର୍କର ରାମଚଣ୍ଡୀ, ପୁରୀର ବିମଳା,ବାଙ୍କୀର ଚର୍ଚ୍ଚିକା, ଯାଜପୁରର ବିରଜା, ପଶ୍ଚିମ (ତାଳଚେର)ର ହେଙ୍ଗୁଳା ଓ ଭୁବନେଶ୍ୱରର ଗୌରୀ ହେଉଛନ୍ତି ଅଷ୍ଟତନ୍ତ୍ର ପୀଠର ଅଷ୍ଟଦେବୀ। ଏହି ଅଷ୍ଟଚଣ୍ଡୀ ପରମ ବୈଷ୍ଣବୀ ଓ ସେମାନେ ହାତରେ ଜପମାଳା ଧାରଣ କରିଛନ୍ତି।
ଝଙ୍କଡ_ଶାରଳା – ଶାରଳା କେବଳ ଶକ୍ତିମୟୀ ଚଣ୍ଡୀ ନୁହନ୍ତି, ଜ୍ଞାନ ପ୍ରଦାୟିନୀ ସରସ୍ଵତୀ ମଧ୍ୟ। କୃଷିକାରୀ ସିଦ୍ଧେଶ୍ୱର ମା’ଙ୍କୁ ଆରାଧନା କରି ଶାରଳା ଦାସ କବି ରୂପେ ପରିଚିତ ହୋଇଥିଲେ। ଓଡ଼ିଶାର ପ୍ରାଚୀନ ଶକ୍ତିପୀଠମାନଙ୍କ ମଧ୍ୟରୁ ଶାରଳାଙ୍କ ପୀଠ ଅନ୍ୟତମ।ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ବତୀ ବୋଲି ମା’ଶାରଳାଙ୍କୁ ଗ୍ରହଣ କରାଯାଇଛି।ମା’ଶାରଳାଙ୍କ ପୂଜା ଉପାସନାରେ ଏକ ସମୟରେ ତୁଳସୀ ଓ ବେଲପତ୍ର ଲାଗିଥାଏ।ମାଆ ଏକାଧାରରେ ପରମ ବୈଷ୍ଣବୀ ଓ ନିତ୍ୟଚଣ୍ଡୀ ଅଟନ୍ତି।ମାଆ ଅଷ୍ଟଭୁଜା ସିଂହ ବାହିନୀ। ପ୍ରତିଦିନ ମା’ଙ୍କର ମାର୍ଜନା ପରେ ସର୍ବପ୍ରଥମେ ଶୁଖିଲା ମହାପ୍ରସାଦ ଭୋଗ ଅର୍ପଣ କରାଯାଏ। ମା’ଙ୍କୁ ବିରିପିଠା ବଳି ଓ କଂସା ପାତ୍ରରେ ପଇଡ଼ ପାଣି ନୈବେଦ୍ୟ ଦିଆଯିବାର ବିଧି ରହିଛି। ଆଶ୍ୱିନ ମାସରେ ମା’ଙ୍କର ଷୋଳଦିନ ପୂଜା ଅନୁଷ୍ଠିତ ହୁଏ।
କାକଟପୁର_ମଙ୍ଗଳା – ଅଷ୍ଟଚଣ୍ଡୀ ମଧ୍ୟରେ କାକଟପୁର ମଙ୍ଗଳା ଅନ୍ୟତମ। ମଙ୍ଗଳା ପ୍ରାଚୀକୂଳସ୍ଥ କାକଟପୁରକୁ ଆସିଛନ୍ତି ବୋଲି କିମ୍ବଦନ୍ତୀ କୁହେ।ଜଣେ ଓଡ଼ିଆ ସାଧବ ପୁଅ ମା’ଙ୍କୁ ଲଙ୍କାରୁ ବୋଇତରେ ଆଣୁଥିଲେ।ପ୍ରାଚୀନ ନଦୀର ବୋଇତ ସହ ମାଆ ବୁଡ଼ିଗଲେ। ସ୍ବପ୍ନାଦେଶ ବଳରେ ମାଆଙ୍କ ବିଗ୍ରହକୁ ନଦୀରୁ ଉଦ୍ଧାର କରାଯାଇ କାକଟପୁରଠାରେ ଅଧିକୃତ କରାଯାଇଅଛି। ପୂର୍ବରୁ ଏଠାରେ ଗ୍ରାମଦେବତୀ କାକଟେଇ ପୂଜା ପାଇ ଆସୁଥିଲେ। ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ନୀତି ସେବା ସହିତ ମଙ୍ଗଳାଙ୍କର ସଂପର୍କ ଅଛି।
ମହାପ୍ରଭୁଙ୍କର ନବକଳେବର ମହୋତ୍ସବର ଦାରୁସଂଧାନ ମା’ ମଙ୍ଗଳାଙ୍କ ନିର୍ଦ୍ଦେଶରେ ହୋଇଥାଏ।ମା’ ମଙ୍ଗଳା ପ୍ରତିଦିନ ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଯାଆନ୍ତି। ସେଠାରୁ ଫେରି ନିଜ ମନ୍ଦିରରେ ବାହାର ବେଢା ଚକଡାରେ କିଛି ସମୟ ବସି ଥକା ମେଣ୍ଟାନ୍ତି। ଏବେ ବି ମନ୍ଦିର ବେଢ଼ାରେ ଏକ ନିର୍ଦ୍ଦିଷ୍ଟ ଚକଡା଼ ଅଛି। ମଙ୍ଗଳାଙ୍କ ମୂର୍ତ୍ତି କଳା ମୁଗୁନି ପଥରରେ ନିର୍ମିତ। ଏହାର ଉଚ୍ଚତା ଛଅଫୁଟ। ଏହି ପୀଠରେ ଚୈତ୍ର ମାସରେ ଝାମୁ ଯାତ୍ରା ଅନୁଷ୍ଠିତ ଇ।ଲକ୍ଷ ଲକ୍ଷ ଲୋକଙ୍କର ସମାବେଶ ହୁଏ। ଆଉ ମଧ୍ୟ ଶାରଦୀୟ ପୂଜା ଅବସରରେ ଷୋଡ଼ଶ ଦିନ ବ୍ୟାପୀ ପୂଜା ହୁଏ। ମୂଳାଷ୍ଟମୀଠାରୁ ମହାଳୟା ମଧ୍ୟରେ ଧ୍ୟାନ ମଗ୍ନ ମାଆଙ୍କୁ ପୂଜା ଉପଚାରରେ ଜାଗ୍ରତ କରାଯାଇଥାଏ। ଆଶ୍ୱିନ ଶୁକ୍ଳ ପଞ୍ଚମୀ ତିଥିରେ ତାରକମାଣ ବେଶ, ମହାଷଷ୍ଠୀରେ ମହାକାତ୍ୟାୟନୀ ବେଶ,ମହାଅଷ୍ଟମୀରେ ମହିଷାମର୍ଦ୍ଦିନୀ ବେଶ, ମହାନବମୀରେ ମହାଲକ୍ଷ୍ମୀ ବେଶ ଓ ଦଶହରାରେ ବିଜୟା ଦଶମୀ ବେଶରେ ଭକ୍ତମାନଙ୍କୁ ଅପୂର୍ବ ଦର୍ଶନ ଦେଇଥାନ୍ତି।
ଶ୍ରୀକ୍ଷେତ୍ର_ବିମଳା – ଅଷ୍ଟଚଣ୍ଡୀ ମାନଙ୍କ ମଧ୍ୟରେ ଶ୍ରୀକ୍ଷେତ୍ର ବିମଳା ହେଉଛନ୍ତି ଅନ୍ୟତମ। ଦେବୀଙ୍କର ଆଶ୍ୱିନ ମାସର ଷୋଳ ପୂଜା ସାରା ଦେଶରେ ବିରଳ। ଶ୍ରୀଜଗନ୍ନାଥ ମନ୍ଦିରରେ ମେଘନାଦ ପାଚେରୀ ମଧ୍ୟରେ ବିମଳାଙ୍କ ମନ୍ଦିର ଅବସ୍ଥିତ। ଏଠାରେ ଶାରଦୀୟ ପାର୍ବଣ ଶକ୍ତି ଓ ବୈଷ୍ଣବ ମତବାଦ ଅନୁଯାୟୀ ହୋଇଥାଏ। ଦେବୀ ଭାଗବତ ଅନୁସାରେ ଦେବୀ ସତୀଙ୍କ ବକ୍ଷଦେଶ ଏହି ସ୍ଥାନରେ ପଡ଼ିଥିଲା। ମା’ବିମଳା ହେଉଛନ୍ତି ପରମ ବୈଷ୍ଣବୀ। ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ମାଆଙ୍କ ପାଖକୁ ଅଣାଯାଇ ପୁନଃ ସମର୍ପଣ କରାଗଲା ପରେ ହିଁ ତାହା ନିର୍ମାଲ୍ୟର ମର୍ଯ୍ୟାଦା ପାଇଥାଏ। ଆଶ୍ୱିନ ମାସ କୃଷ୍ଣାଷ୍ଟମୀଠାରୁ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦୁର୍ଗାଙ୍କ ଉପାସନା ଅନୁଷ୍ଠିତ ହୁଏ। ଷୋଳଦିନ ବ୍ୟାପୀ ଶାରଦୀୟ ପୂଜାରେ ମା’ ବିମଳାଙ୍କର ୧୧ଟି ସ୍ବତନ୍ତ୍ର ବେଶରେ ବ୍ୟବସ୍ଥା ଅଛି। ତାହା ମଧ୍ୟରୁ ଦଶମହାବିଦ୍ୟା ଅନ୍ୟତମ।
ବାଣପୁରର_ଭଗବତୀ – ବାଣପୁର ଏକ ପ୍ରସିଦ୍ଧ ଶକ୍ତି ତଥା ତନ୍ତ୍ରପୀଠ। ଏ କ୍ଷେତ୍ରରେ ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ସ୍ବୟଂ ଭଗବତୀ। ବାଣନଗ୍ରେ ଭଗବତୀ ତୋହରି ଦିବ୍ୟଧାମ। ଦେବୀଙ୍କ ମନ୍ଦିର ବେଶ୍ ଆକର୍ଷଣୀୟ।
ମାତାଙ୍କ ପୀଠରେ ବର୍ଷସାରା ବିଭିନ୍ନ ପର୍ବପର୍ବାଣି ଲାଗି ରହିଥାଏ। ଦୋଳଯାତ୍ରା, ବିଷୁବ ସଂକ୍ରାନ୍ତି,ରଜସଂକ୍ରାନ୍ତି, ଶାରଦୀୟ ଦୁର୍ଗାପୂଜା ମୁଖ୍ୟ ପର୍ବ। ଅନ୍ୟାନ୍ୟ ପୀଠ ଭଳି ଭଗବତୀ ପୀଠରେ ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ମୂଳାଷ୍ଟମୀରୁ ଆରମ୍ଭ ହୋଇ ମହାଷ୍ଟମୀରେ ମରିଯାଏ। ଏହି ସମୟରେ ସହସ୍ର କୁମ୍ଭ ଜଳରେ ଦେବୀଙ୍କର ଅଭିଷେକ ହୋଇଥାଏ।
ମା’ଭଗବତୀଙ୍କର ଅପାର ମହିମା। ଭଗବତୀ ଅରଣ୍ୟ ବାସିନୀ ଓ ଶ୍ମଶାନ ବାସିନୀ ବୋଲି କୁହାଯାଇଛି। ଦେବୀଙ୍କୁ ଅଷ୍ଟଭୁଜା ମହିଷା ମର୍ଦ୍ଦିନୀ ରୂପେ କଳ୍ପନା କରାଯାଇଛି। ପୂଜା ପାଉଥିବା ମା’ଙ୍କ ପ୍ରତିମା ପଛପଟେ ବସ୍ତ୍ରାବୃତ୍ତ ହୋଇ ମୂଳ ବିଗ୍ରହଟି ରଖାଯାଇଥାଏ, ଯାହାକି ପୀଠର ବିଶେଷତ୍ଵ ଅଟେ।
Comments are closed.