ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ, କବିସୂର୍ଯ୍ୟନଗରରେ ବିଶାଳ ସମାବେଶରୁ ଗସ୍ତ ଆରମ୍ଭ

ଛତ୍ରପୁର: କବିସୂର୍ଯ୍ୟନଗରରେ ବିଶାଳ ସମାବେଶରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ଗଞ୍ଜାମ ଜିଲ୍ଲା ଗ୍ରସ୍ତ। କବିସୂର୍ଯ୍ୟନଗର ସଭାରେ ଉପସ୍ଥିତ ୧୦ ହଜାରରୁ ଊର୍ଦ୍ଧ୍ଵ ମିଶନ୍ ଶକ୍ତି ମହିଳା, ଏସ୍ଏଚଜି ସଭ୍ୟା, ସାଧାରଣ ଜନତା, ବିଜେଡି ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାକୁ ଏକ ନମ୍ବର ତଥା ରାଜ୍ୟର ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବାକୁ ଆହ୍ବାନ ଦେଇଛନ୍ତି। ସମସ୍ତେ ଏଥିପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ସେ। ଗଞ୍ଜାମ ଜିଲ୍ଲାକୁ ଆସିବା ମୋ ପାଇଁ ସବୁବେଳେ ଆନନ୍ଦଦାୟକ ରହି ଆସିଛି। ଗଞ୍ଜାମ ହେଉଛି କଳା ଓ ସଂସ୍କୃତିର ମାଟି। ସ୍ବାଧୀନତା ସଂଗ୍ରାମୀଙ୍କ ଭୂମି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗସ୍ତ ବେଳେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଇ ସେ ବେଶ୍ ଆନନ୍ଦିତ ଥିବା କହିଛନ୍ତି।

ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ପ୍ରଥମେ କବିସୂର୍ଯ୍ୟ ନଗର ଠାରେ ପହଞ୍ଚି ସେଠାରେ ୧୯୫୨.୮୯ କୋଟି ଟଙ୍କାର ୮୨୫ଟି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉଦଘାଟନ ବା ଶିଳାନ୍ୟାସ କରିଛନ୍ତି। ଏଥିସହ ସେ ୨୨,୨୦୦ ସ୍ବୟଂ ସହାୟକ ଗୋଷ୍ଠୀର ୨.୨୪ ଲକ୍ଷ ମିଶନ୍ ଶକ୍ତି ମହିଳାଙ୍କୁ ୬୧୯ କୋଟି ଟଙ୍କାର ବିନା ସୁଧରେ ଋଣ ଏବଂ ସହାୟତା ପ୍ରଦାନ କରିଛନ୍ତି। ସେହିପରି ଜିଲ୍ଲାର ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘର ଡିହ ପଟ୍ଟା ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଆମର ମାଆମାନେ ବଡ଼ ବଡ଼ କାମ କରୁଛନ୍ତି। ସେମାନେ ଉଦ୍ୟୋଗୀ ସାଜନ୍ତୁ ବୋଲି ମୁଁ ଚାହେଁ। ରାଜ୍ୟ ସରକାର ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ। ସେମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି। ମୋ ସରକାର ଏସଏଚଜିଙ୍କୁ ୫୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେବା ବ୍ୟବସ୍ଥା କରିଛନ୍ତି। ନାରୀମାନଙ୍କ ପ୍ରଗତିରେ ଦେଶର ଉନ୍ନତି ସମ୍ଭବ ବୋଲି ସେ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ କବିସୂର୍ଯ୍ୟନଗରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସକାଶେ ୨୮୦ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି।

ଓଲିଉଡର ଖ୍ୟାତନାମା ହାସ୍ୟ ଅଭିନେତା କୁନା ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍, ଶ୍ରମ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ମଞ୍ଚାସୀନ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଶେଷରେ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ଜଣାଇବାକୁ ସଭାସ୍ଥଳରେ ୧୦ ହଜାରରୁ ଅଧିକ ଜନସମାଗମ ହୋଇଥିଲା।

Comments are closed.