ଛତ୍ରପୁରରେ ମୁଖ୍ୟମନ୍ତ୍ରୀ ଭେଟିଦେଲେ ୧୦୫୬.୭୭ କୋଟି ଟଙ୍କାର ୨୧୮ ପ୍ରକଳ୍ପ, ମହିଳାମାନେ ଉଦ୍ୟୋଗୀ ସାଜନ୍ତୁ: ମୁଖ୍ୟମନ୍ତ୍ରୀ 

ଛତ୍ରପୁର: ନିଜ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତର ଶେଷ ପର୍ଯ୍ୟାୟରେ ଛତ୍ରପୁର ଷ୍ଟାଡିୟମ୍ ଠାରେ ଆୟୋଜିତ ସଭାରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ଆଖପାଖ ୫ଟି ବ୍ଳକ୍ ତଥା ବ୍ରହ୍ମପୁର ମହାନଗର ନିମନ୍ତେ ୧୯୬.୩୮ କୋଟି ଟଙ୍କାର ମୋଟ ୧୫୮ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବା ବେଳେ ୮୬୩.୧୩ କୋଟି ଟଙ୍କାର ୬୦ଟି ପ୍ରକଳ୍ପ ସକାଶେ ଶିଳାନ୍ୟାସ କରିଛନ୍ତି। ସେହିପରି ୩୬୮୯ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ବଣ୍ଟନ ଆରମ୍ଭ ସାଙ୍ଗକୁ ମିଶନ୍ ଶକ୍ତି ଅନ୍ତର୍ଗତ ୬୦୩୫ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ୬୦ ହଜାର ୩୫୦ ହିତାଧିକାରୀଙ୍କୁ ୧୮୧.୨୬ କୋଟି ଟଙ୍କାର ଋଣ ବଣ୍ଟନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଏମ୍‌କେସିଜି ମେଡିକାଲ କଲେଜ ହସପିଟାଲରେ ଅତ୍ୟାଧୁନିକ ଆଇସିୟୁ, ବ୍ରହ୍ମପୁର ମହାନଗରର ସମସ୍ତ ଘରକୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଛତ୍ରପୁରରେ ଅତ୍ୟାଧୁନିକ ହକି ଆଷ୍ଟ୍ରୋ ଟର୍ଫ ଆଦି ଉଲ୍ଲେଖନୀୟ ଥିଲା। ସେହିପରି ସେ ଶିଳାନ୍ୟାସ କରିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ବ୍ରହ୍ମପୁର ରିଂ ରୋଡ୍ ସୌନ୍ଦର୍ଯ୍ୟକରଣ, ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ନୂତନ କ୍ୟାନ୍‌ସର ଚିକିତ୍ସା କେନ୍ଦ୍ର, ଆନ୍ତଃସ୍ରୋତ ଜଳାଶୟ ଯୋଜନା ଋଷିକୁଲ୍ୟା ନଦୀରେ ୧୬୦ କୋଟି ଟଙ୍କାରେ କଂସାରୀଗଣ୍ଡ ବ୍ୟାରେଜ୍ ଆଦି ପ୍ରମୁଖ ଥିଲା।

ନିଜ ଉଦ୍‌ବୋଧନରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ- ଆଜି ଛତ୍ରପୁର ଆସି ଓ ଆପଣମାନଙ୍କୁ ଭେଟି ମୁଁ ବହୁତ ଖୁସି। ଆଜି ଛତ୍ରପୁରରେ ୧୦୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଗଲା। ଏହା ଛତ୍ରପୁରର ବିକାଶ ଧାରାକୁ ଆହୁରି ଆଗେଇନେବ। ଏହା ଏକ ସମୃଦ୍ଧ ଗଞ୍ଜାମ ଲକ୍ଷ୍ୟକୁ ଆଗେଇ ନେବ। ମୁଁ ବହୁତ ଖୁସି ଯେ ଆଜି ଗଞ୍ଜାମ ଜିଲ୍ଲାର ୨୦ ହଜାର ଭାଇ ଭଉଣୀ ଗ୍ରାମକଣ୍ଠ ପଟ୍ଟା ପାଇଲେ। କେବଳ ଛତ୍ରପୁରରେ ୩୫୦୦ରୁ ଅଧିକ ଲୋକ ପଟ୍ଟା ପାଇଲେ। ଆପଣମାନଙ୍କ ବହୁତ ଦିନର ଅସୁବିଧା ଆଜି ଦୂର ହୋଇପାରିଛି। ମିଶନ୍ ଶକ୍ତିର ମହିଳାମାନେ ବହୁତ ଭଲ କାମ କରୁଛନ୍ତି। ମହିଳା ସଶକ୍ତୀକରଣ ପ୍ରତି ନିଜ ଦୃଢ଼ ମନୋଭାବକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳାମାନେ ଉଦ୍ୟୋଗୀ ହୁଅନ୍ତୁ ବୋଲି ସେ ଚାହାନ୍ତି। ରାଜ୍ୟ ସରକାର ଏ ଦିଗରେ ସମସ୍ତ ସହାୟତା ଯୋଗାଇଦେବେ। ମହିଳାଙ୍କ ପ୍ରଗତି ହେଲେ ଦେଶର ବିକାଶ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଏଥିସହ ସେ ଆହୁରି କହିଥିଲେ ଯେ ୫-ଟି ରୂପାନ୍ତରଣ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଦୁଇଟି ମାଇଲଖୁଣ୍ଟ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏଯାବତ୍ ଗଞ୍ଜାମ ଜିଲ୍ଲାରେ ୫୦ ହଜାରରୁ ଅଧିକ ଲୋକ ଉପକାର ପାଇଲେଣି। ଏଥିପାଇଁ ୧୯୦ରୁ ଅଧିକ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କଲାଣି। ସେହିପରି ଜିଲ୍ଲାର ୬୩୦ ହାଇସ୍କୁଲରୁ ଏପର୍ଯ୍ୟନ୍ତ ୪୭୧ ହାଇସ୍କୁଲ ୫-ଟି ରୂପାନ୍ତରଣ କରାଯାଇଛି। ଡିସେମ୍ବର ସୁଦ୍ଧା ଜିଲ୍ଲାର ସବୁ ହାଇସ୍କୁଲ ରୂପାନ୍ତରଣ କରାଯିବ। ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି, ଆପଣଙ୍କ ପାଇଁ କାମ କରୁଛି ଓ କରି ଚାଲିବି କହିଥିଲେ ମୁଖ୍ୟମନ୍ତ୍ରୀ।

ଏହି ସଭାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ସଭ୍ୟ ଡା . ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଉଦ୍‌ବୋଧନ ଦେଇଥିଲେ।

Comments are closed.