ଓଡ଼ିଶାର ପ୍ରସିଦ୍ଧ ଅଷ୍ଟ ଶକ୍ତି ପୀଠ  | News Room Odisha

ଓଡ଼ିଶାର ପ୍ରସିଦ୍ଧ ଅଷ୍ଟ ଶକ୍ତି ପୀଠ 

ବାସନ୍ତିକ ଦୁର୍ଗା ପୂଜା ଅବସରରେ ଆଜି ଜାଣିବା ଅବଶିଷ୍ଟ ଥିବା ଆଉ ଚାରୋଟି ଶକ୍ତିପୀଠ ସମ୍ଭନ୍ଧରେ 

ଓଡ଼ିଶାର ପ୍ରସିଦ୍ଧ ଅଷ୍ଟ ଶକ୍ତି ପୀଠ

ବାସନ୍ତିକ ଦୁର୍ଗା ପୂଜା ଅବସରରେ ଆଜି ଜାଣିବା ଅବଶିଷ୍ଟ ଥିବା ଆଉ ଚାରୋଟି ଶକ୍ତିପୀଠ ସମ୍ଭନ୍ଧରେ 

୫.ଯାଜପୁରର_ମା’ ବିରଜା– ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଥିବା ଯାଜପୁରଠାରେ ମାଆ ବିରଜାଙ୍କର ପୀଠ।

ଦେବୀ ପୁରାଣ ଅନୁସାରେ ଦେବୀ ସତୀଙ୍କର ଅଙ୍ଗ ପ୍ରତ୍ୟଙ୍ଗରୁ ଛିନ୍ନ ନାଭିଦେଶଟି ଯାଜପୁରଠାରେ ପତିତ ହେଇଥିଲା। ତେଣୁ ବିରଜା କ୍ଷେତ୍ର ପ୍ରଧାନ ବୋଲି କୁହାଯାଏ। ସୃଷ୍ଟି ସର୍ଜନା ବେଳେ ବ୍ରହ୍ମା ଏଠାରେ ଏକ ବିରାଟ ଯଜ୍ଞର ଆୟୋଜନ କରିଥିଲେ।ଯଜ୍ଞ କୁଣ୍ଡରୁ ବିରଜା ଆବିର୍ଭାବ ହୋଇ ବ୍ରହ୍ମାଙ୍କୁ ଦର୍ଶନ ଦେଇଥିଲେ।ବିରଜା ମନ୍ଦିର ପରିସରରେ ନାଭିଗୟା ସ୍ଥାନଟି ଅଛି, ଯେଉଁଠି ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ। ବ୍ରହ୍ମାଙ୍କ ଯଜ୍ଞକୁଣ୍ଡ ମଧ୍ୟ ଦେଖିବାକୁ ମିଳେ। ଦେବୀ ବିରଜାଙ୍କୁ ତ୍ରିପୁରା ସୁନ୍ଦରୀ ଭାବେ ମଧ୍ୟ ପରିକଳ୍ପନା କରାଯାଇଛି। ମା’ବିରଜା ଦ୍ୱିଭୁଜା। ଗୋଟିଏ ହାତରେ ଦାନବର ପୁଚ୍ଛ ଧରିଛନ୍ତି,ଅନ୍ୟ ହାତରେ ମହିଷର ପୃଷ୍ଠାକୁ ଶୂଳବିଦ୍ଧ କରୁଥିବାର ଦେଖାଯାଏ। ଦେବୀ ବିରଜାଙ୍କ ପୀଠରେ ମୂଳାଷ୍ଟମୀଠାରୁ କୁମାର ପୂର୍ଣ୍ଣିମା ଯାଏଁ ପୂଜା, ସ୍ନାନ,ବେଶ, ନୀତି ଆଦି ଅନୁଷ୍ଠିତ ହୋଇଥାଏ।ଦୁଇବେଳା ଷୋଡ଼ଶ ଉପଚାରରେ ପୂଜା ହୁଏ। ଦେବୀଙ୍କୁ ଦଶହରା ଦିନ ଅପରାଜିତା ମନ୍ତ୍ରରେ ପୂଜା କରାଯାଏ।ପ୍ରତିପଦାଠାରୁ ମହାନବମୀ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନରେ ମା’ଙ୍କ ପ୍ରତିମାକୁ ରଥରେ ବିଜେ କରାଯାଇ ମନ୍ଦିର ଚତୁପାର୍ଶ୍ଵରେ ପରିକ୍ରମା କରାଯାଏ।

ବିରଜା ଏବଂ ବିମଳାଙ୍କୁ ଅଭିନ୍ନ ବୋଲି କୁହାଯାଇଛି। ଭୈରବ ଶ୍ରୀଜଗନ୍ନାଥ ଶକ୍ତି ହେଉଛନ୍ତି ଭୈରବୀ ବିମଳା। ବିଭିନ୍ନ ପୁରାଣ, ସଂହିତା ଓ ତନ୍ତ୍ରଗ୍ରନ୍ଥମାନଙ୍କରେ ବିରଜାଙ୍କ ମହିମା ବର୍ଣ୍ଣନା କରାଯାଇଛି।

୬.ସମ୍ବଲପୁରର_ମା’ସମଲାଇ– ମା’ ସମଲାଇ ହେଉଛନ୍ତି ସାରା ଓଡ଼ିଶାର ତଥା ସମ୍ବଲପୁରର ଆରାଧ୍ୟ ଦେବୀ। ପାଟଣା ରାଜା ନରସିଂହ ଦେବଙ୍କ ସାନ ଭାଇ ବଳରାମ ଦେବ ଏହି ମନ୍ଦିର ତଥା ଦେବୀଙ୍କୁ ସ୍ଥାପନ କରିଥିଲେ। ରାତିରେ ଦେବୀ ସମଲାଇ ତାଙ୍କୁ ସ୍ବପ୍ନାଦେଶ ହେଲେ ଯେ ମହାନଦୀର ଅପର ପାର୍ଶ୍ୱରେ ସିମୁଳି ବୃକ୍ଷତଳେ ତାଙ୍କୁ ସ୍ଥାପନ କରିବା ନିମନ୍ତେ। ରାଜା ସେଠାରେ ମନ୍ଦିର ନିର୍ମାଣ କରିଥିଲେ। ସମ୍ବଲପୁରରେ ସିମୁଳିକୁ ‘ସମେଲ’ ବୋଲି କୁହାଯାଏ।ସେହି ଅନୁସାରେ ଦେବୀଙ୍କ ନାମ ହେଲା ‘ସମଲାଇ’।

ସମଲେଶ୍ଵରୀଙ୍କ ଦକ୍ଷିଣରେ ଭୁବନେଶ୍ୱରୀ ଓ ଘଣ୍ଟାସନି ପୂଜା ପାଉଛନ୍ତି। ମନ୍ଦିର ପାତ୍ରରେ ଦଶମହାବିଦ୍ୟାଙ୍କ ସହିତ ମାତା ଖମ୍ବେଶ୍ୱରୀ ମଧ୍ୟ ଅଛନ୍ତି। ମନ୍ଦିର ପରିସରରେ ଭୈରବ ମନ୍ଦିର, ମଉଳୀ ଦେବୀ ମନ୍ଦିର ଓ ଆଖଡ଼ା ହନୁମାନ ମନ୍ଦିର ଅଛି। ମନ୍ଦିର ସମ୍ମୁଖରେ ଅରୁଣ ସ୍ତମ୍ଭ ଓ ପ୍ରାଙ୍ଗଣରେ ଅଷ୍ଟଧାତୁ ନିର୍ମିତ ଦେବୀଙ୍କ ବାହନ ସିଂହର ବିଗ୍ରହ ରହିଛି।

ମା’ଙ୍କ ପୀଠରେ ନୂଅାଁଖାଇ ହେଉଛି ଶ୍ରେଷ୍ଠ ପର୍ବ। ଏହିଦିନ ସମଲେଶ୍ଵରୀଙ୍କୁ ନୂଆ ଧାନର ଚାଉଳରେ ସୁମିଷ୍ଟ ଭୋଗ ଅର୍ପଣ କରାଯାଏ। ମନ୍ଦିରର ୧୧୨ଟି ସ୍ଥାନରେ ଭୋଗ ଲଗାଯାଏ। ଆଶ୍ୱିନ ମୂଳାଷ୍ଟମୀଠାରୁ ମାତା ସମଲେଶ୍ଵରୀଙ୍କର ଷୋଳପୂଜା କାର୍ଯ୍ୟ ଆରମ୍ଭ ହୁଏ। ମହାଳୟା ଅମାବାସ୍ୟା ଦିନ ମା’ ଧବଳମୁଖୀ ବେଶ ଧାରଣ କରନ୍ତି। ଏହାକୁ‘ଗଙ୍ଗ ଦର୍ଶନ’ ବେଶ ବୋଲି କୁହାଯାଇଥାଏ। ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ମାତାଙ୍କର ନବରାତ୍ରୀ ପୂଜା ଆରମ୍ଭ ହୁଏ।

୭.ବାଙ୍କୀର_ଚର୍ଚ୍ଚିକା– ଓଡ଼ିଶାର ଅନ୍ୟାନ୍ୟ ଚଣ୍ଡୀପୀଠମାନଙ୍କ ମଧ୍ୟରେ ବାଙ୍କୀର ଚର୍ଚ୍ଚିକା ଅନ୍ୟତମ।ଏ ପୀଠ ଶକ୍ତିପୀଠ ରୂପେ ସାରା ସଂସାରରେ ଖ୍ୟାତି ଅର୍ଜନ କରିଛି। ଏହି ପୀଠ ଚାମୁଣ୍ଡା ପୀଠ ରୂପେ ମଧ୍ୟ ପରିଚିତ। ପୁରାଣ ମତ ଅନୁସାରେ ଏଠାରେ ମହାବୀର ପରଶୁରାମ କଠୋର ତପସ୍ୟା କରିଥିଲେ। ତପସ୍ୟା ଦ୍ବାରା ଦେବୀଙ୍କୁ ସନ୍ତୁଷ୍ଟ କରି ମାତୃହତ୍ୟା ମହାପାପରୁ ମୁକ୍ତି ପାଇଥିଲେ।ଦେବୀ ଚର୍ଚ୍ଚିକା ଅଷ୍ଟଭୁଜା। ବିଭିନ୍ନ ହସ୍ତରେ ଖଡ୍ଗ, ତ୍ରିଶୂଳ, ଅଙ୍କୁଶ, ଛିନ୍ନ ମସ୍ତକ, ସର୍ପ, ଅକ୍ଷମାଳା, ଡମ୍ବରୁ ଏବଂ କନିଷ୍ଠ ଅଙ୍ଗୁଳିକୁ ଦାନ୍ତରେ କାମୁଡିବା ସହ ବକ୍ଷରେ ନରମୁଣ୍ଡମାଳ ଧାରଣ କରିଛନ୍ତି। ଏଠାରେ ରାଜଗୁରୁ ଭୋଗ କରନ୍ତି। ଦଶହରାରେ ଏହି ପୀଠରେ ଷୋଡ଼ଶ ଉପଚାରରେ ମା’ଙ୍କର ପୂଜା କରାଯାଇଥାଏ।ମା’ଙ୍କ ନିକଟରେ ଆମିଷ ଭୋଗ ଲାଗିଥାଏ।

ମା’ ଚର୍ଚ୍ଚିକା ରୁଚିକ ଗିରିରେ ଅଧିଷ୍ଠାନ କରିଛନ୍ତି, ମାଆ ପ୍ରଥମେ ଘଟ ରୂପରେ ଚାଚେରୀ ଭୋଗ ପାଉଥିବାରୁ ତାଙ୍କର ନାମ ଚର୍ଚ୍ଚିକା ହୋଇଅଛି। ମା’ଙ୍କର ବିଭିନ୍ନ ପର୍ବ ଅଛି।ପର୍ବଗୁଡିକ ମଧ୍ୟରେ ମହାଷ୍ଟମୀ,ପଣା ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା ବାସନ୍ତିକ ପୂଜା, କୁମାର ପୂର୍ଣ୍ଣିମା ଓ ରାସ ପୂର୍ଣ୍ଣିମା ପ୍ରଧାନ।

ମାଆଙ୍କର ସାମ୍ନାରେ ଗଣେଶ, ଲକ୍ଷ୍ମୀ, ସରସ୍ଵତୀ,ବ୍ୟାଘ୍ରମୁଖୀ, ସିଂହମୁଖୀ ଦୁର୍ଗା,ଗଙ୍ଗା ଯମୁନା, ପଛ ପାର୍ଶ୍ଵରେ ଦକ୍ଷିଣ ଚଣ୍ଡୀ ଚର୍ଚ୍ଚିକାଙ୍କ ପାଖରେ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳ ପକ୍ଷ ନବମୀ ପର୍ଯ୍ୟନ୍ତ ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ। ପୁରୀର ମହାରାଜା, ବାଙ୍କୀରାଜା ଓ ସେବାୟତମାନଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମା’ଙ୍କର ଗମ୍ଭୀରା ଭିତରକୁ ଯିବାପାଇଁ ନିଷେଧ କରାଯାଇଛି। ଏହିଠାରେ କାର୍ତ୍ତିକ,ମାଘ ଓ ବୈଶାଖ ମାସରେ ଆମିଷ ଭୋଗ ନିଷେଧ କରାଯାଇଛି।

୮.ତାଳଚେରରେ_ହିଙ୍ଗୁଳା– ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶକ୍ତି ପୀଠମାନଙ୍କ ମଧ୍ୟରୁ ଅନ୍ୟତମ ଅଲୌକିକ ଶକ୍ତି ପୀଠ ହେଉଛି ତାଳଚେରର ହିଙ୍ଗୁଳାଇ ପୀଠ। ଏହି ଅଗ୍ନିସ୍ବରୂପା ମା’ ପରମବୈଷ୍ଣବୀ ନାରାୟଣୀ ଶମ୍ଭୁ ନିଶମ୍ଭୁକୁ ବଧ ସୁବଳ ଓ ଦୁନ୍ଦୁଭିକୁ ମାରିବାକୁ ଗଲାବେଳେ ତାଙ୍କ ସହିତ ଅଷ୍ଟମହାବିଦ୍ୟା ଯାଇଥିଲେ। ସେମାନଙ୍କ ମଧ୍ୟରେ ହେଉଛନ୍ତି ହିଙ୍ଗୁଳା ଅନ୍ୟତମ। ସମସ୍ତ ଦେବଦେବୀ ପୀଠରେ ପୂଜକଙ୍କ ମାଧ୍ୟମରେ ଭୋଗ ଲାଗିଥାଏ କିନ୍ତୁ ତାଳଚେର ହିଙ୍ଗୁଳା ପୀଠରେ ଭକ୍ତ ନିଜେ ନିଜ ହାତରେ ତା’ର ନୈବେଦ୍ୟ ଦେବୀଙ୍କୁ ଅର୍ପଣ କରିଥାଏ। ଏହା ଏକ ବ୍ୟତିକ୍ରମ, ହେଲେ ସୁଦ୍ଧା ଭକ୍ତ ମନରେ ଅପାର ଆନନ୍ଦ ଦେଇଥାଏ।ଭକ୍ତର ଅର୍ପିତ ସାମଗ୍ରୀ ଅଗ୍ନି ରୂପିଣୀ ମା’ହିଙ୍ଗୁଳା ଗ୍ରହଣ କରିଥାନ୍ତି।ଏଠି ଭକ୍ତ ଓ ଭଗବାନ ଏକାକାର ହୋଇଯାଆନ୍ତି।ଧନ୍ୟ ମା’ର ଲୀଳା।

ମାଆଙ୍କର ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଚୈତ୍ର ଶୁକ୍ଳ ପକ୍ଷ ବିଷ୍ଣୁଦମନକ ଚତୁର୍ଦ୍ଦଶୀ ରେ ଅନୁଷ୍ଠିତ ହୋଇଥାଏ। ଏହାକୁ ହିଙ୍ଗୁଳା ଯାତ୍ରା ବା ପୂଜା ବୋଲି କୁହାଯାଏ। ଅଗ୍ନି ସ୍ବରୂପା ହିଙ୍ଗୁଳାଙ୍କୁ ସାବରୀ ମନ୍ତ୍ରରେ ଆରାଧନା କରାଯାଏ।

ରାଜ୍ୟରେ ଥିବା ଅନ୍ୟାନ୍ୟ ଶକ୍ତିପୀଠ ଭଳି ହିଙ୍ଗୁଳାଙ୍କର ପୀଠରେ ଦଶହରା ପର୍ବ ପାଳନ କରାଯାଏ। ଏହି ସମୟରେ ଦଶହରା ପଡିଆକୁ ଏକ ଭ୍ରାମ୍ୟମାଣ ‘ଆଲାମ’ ସୂଚନା ଆଡମ୍ବର ସହକାରେ ଆସିଥାଏ। କୁଟେଇସୁଣି ମଣ୍ଡପରେ ରୀତିନୀତି ସମ୍ପନ୍ନ ହେବା ଉତ୍ସବ ଆରମ୍ଭ ହୁଏ। ହିଙ୍ଗୁଳାଙ୍କ ପୂଜାରେ କନ୍ଧ ସଂପ୍ରଦାୟର ‘ନଖି’ ପରଂପରା ପାଳନ କରାଯାଏ।

ଗୋଟିଏ ଅଧୁଆ ହାଣ୍ଡିରେ ଅରୁଆ ଚାଉଳ, କ୍ଷୀର,ମହୁ, କନ୍ଦ ଆଦି ମିଶାଇ କ୍ଷୀରି ପ୍ରସ୍ତୁତ ହୁଏ। ଏହି ସମୟରେ ମା’ଙ୍କର ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୁଏ।

ଶ୍ରୀମନ୍ଦିର ସେବା ସହିତ ମା’ଙ୍କର ମଧ୍ୟ ସଂପର୍କ ରହିଛି। ଏକଦା ପୁରୀ ଗଜପତି ମହାରାଜାଙ୍କୁ ସ୍ବପ୍ନାଦେଶ ହେଲା ଯେ ଶ୍ରୀଜଗନ୍ନାଥଙ୍କ ଛପନ ଫୁଟି ଭୋଗ ସୁସ୍ବାଦୁ ହେବା ପାଇଁ ହିଙ୍ଗୁଳାଙ୍କୁ ଆଣିବାକୁ ହେବ। ଗଜପତି ମହାରାଜା ମାଆଙ୍କ ଶରଣାପନ୍ନ ହେଲେ।ଶବର ରାଜାଙ୍କ ପରାମର୍ଶ କ୍ରମେ ଦେବୀଙ୍କୁ ଶ୍ରୀକ୍ଷେତ୍ରକୁ ଅଣାଗଲା। ସେହିଦିନଠାରୁ ମହାପ୍ରସାଦ ପ୍ରସ୍ତୁତିକରଣ ପୂର୍ବରୁ ଅଗ୍ନି ସଂଯୋଗ ଅବସରରେ ମା’ ହିଙ୍ଗୁଳାଙ୍କର ପୂଜାର୍ଚ୍ଚନା କରାଯାଏ। ମା’ କାଳୀଙ୍କର ଅନ୍ୟ ରୂପ ହେଉଛି ହିଙ୍ଗୁଳା।

ଓଡ଼ିଶାର ଏହି ପ୍ରସିଦ୍ଧ ଶକ୍ତିପୀଠ ବ୍ୟତୀତ ରାଜ୍ୟର କୋଣେ ଅସଂଖ୍ୟ ଶକ୍ତି ଆରାଧନା ପୀଠ ରହିଛି। ସେମାନଙ୍କ ମଧ୍ୟରୁ କଟକ ଚଣ୍ଡୀ, ବଡମ୍ବାର ଭଟ୍ଟାରିକା, ଭଞ୍ଜନଗରର ବ୍ୟାଘ୍ର ଦେବୀ, ଭଦ୍ରକର ଭଦ୍ରକାଳୀ, ଭୁବନେଶ୍ଵରର ଗୌରୀ, କୋଣାର୍କର ରାମଚଣ୍ଡୀ, ଗଂଜାମର ତାରାତାରିଣୀ, ଘଟଗାଁର ତାରିଣୀ, ଘଟକେଶ୍ବରୀ, ମାଣିକେଶ୍ଵରୀ, ଲଙ୍କେଶ୍ଵରୀ, ସୋନପୁରର ସୁରେଶ୍ବରୀ, ପୁରୁଣା କଟକର ଭୈରବୀ, ଖିଚିଂର କୀଚକେଶ୍ବରୀ, ହିରାପୁର ଓ ଝରିଆଲର ଚଉଷଠି ଯୋଗିନୀ ଖୋର୍ଦ୍ଧାର ବରୁଣେଇ, ନୟାଗଡର ଦକ୍ଷିଣକାଳୀ, ଚିଲିକାର କାଳିଜାଇ ଓ ଖଲ୍ଲିକୋଟର ନାରାୟଣୀ, ଆସିକାର ଖମ୍ବେଶ୍ୱରୀ, ବ୍ରହ୍ମପୁରର ଠାକୁରାଣୀ ଓ ଭୈରବୀ ପ୍ରଭୃତି ପ୍ରସିଦ୍ଧ।

ଶକ୍ତି ପୂଜାର ପ୍ରାଚୀନ ପରଂପରା ଯୁଗଯୁଗ ଧରି ଓଡ଼ିଶାବାସୀଙ୍କୁ ପ୍ରେରଣା ଦେଇ ଆସିଛି। ସେମାନେ ବିପଦ ଆପଦରେ ମାତୃଶକ୍ତିର କରୁଣା ନିମନ୍ତେ ଆବାହନ କରି ଆସିଛନ୍ତି ।