ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ଅଶୋକା- ଷ୍ଟମୀ କୁହାଯାଇଥାଏ। ଏକ୍ରାମ କ୍ଷେତ୍ରର ଅଧୀଶ୍ବର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ। ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଉତ୍ସବ ରେ ପ୍ରଭୁଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରା ଯାଉଥିବା ହେତୁ ଏହାକୁ ଅଶୋକାଷ୍ଟମକୁହାଯାଏ।
ପୁରାଣ ଅନୁଯାୟୀ, ରାବଣଦ୍ବାରା ଅପହୃତା ମାତା ସୀତା ଅଶୋକ ବନରେ ଥିବା ସମୟରେ ପୁନର୍ବସୁ ନକ୍ଷତ୍ରଯୁକ୍ତ ଏହି ଅଷ୍ଟମୀ ତିଥିରେ ପ୍ରଭୁ ରାମଙ୍କ ସହିତ ପୁନର୍ମିଳନ ପାଇଁ ସେ ଅଶୋକ କଢ଼ି ଦ୍ବାରା ଶିବ ଆରାଧନା କରିଥିଲେ। ସେହି ପରମ୍ପରା ଅନୁଯାୟୀ ନିଜର ଏବଂ ନିଜ ପରିବାରର ଦୁଃଖ ଦୁର୍ଦ୍ଦଶା ଦୂରୀକରଣ ପୂର୍ବକ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ପାଇଁ ଏହି ଦିନ ହିନ୍ଦୁ ନାରୀମାନେ ବ୍ରତ ପାଳନ ପୂର୍ବକ ଆଠଗୋଟି ଅଶୋକ କଢି ଶିବଙ୍କୁ ସମର୍ପଣ କରି ନିଜର ଉପବାସ ଭଙ୍ଗ କରିଥାନ୍ତି। ଅନ୍ୟଏକ ମତ ଅନୁଯାୟୀ, ରାବଣକୁ ମାରି ବ୍ରହ୍ମହତ୍ୟା ପାପ ଅର୍ଜନ କରିଥିବା ହେତୁ କୁଳଗୁରୁ ବଶିଷ୍ଠଙ୍କ ପରା ମର୍ଶ କ୍ରମେ ଭଗବାନ ରାମଚନ୍ଦ୍ର ସପରିବାର ଏକାମ୍ର ବନକୁ ଆସି ପ୍ରଭୁ ଲିଙ୍ଗରାଜଙ୍କର ପୂଜା ଅର୍ଚ୍ଚନା କରିଥିଲେ। ଏଥିରେ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ରାମେଶ୍ବରଠାରେ ମନ୍ଦିର ପ୍ରତିଷ୍ଠା ପୂର୍ବକ ପୂଜା ଅର୍ଚ୍ଚନା କରିବାକୁ ରାମଚନ୍ଦ୍ରଙ୍କୁ କହିଥିଲେ ଏବଂ ବର ଯାଚନା କରିଥିଲେ। ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାମେଶ୍ବର ପୀଠକୁ ଆସି ପୂଜା ଗ୍ରହଣ କରିବା ପାଇଁ ରାମଚନ୍ଦ୍ର ଙ୍କ ଅନୁରୋଧ ରକ୍ଷା କରିବାକୁ ବଚନବଦ୍ଧ ହୋଇ ଥିବାରୁ, ପ୍ରଭୁ ଲିଙ୍ଗରାଜ ଏହିଦିନ ରଥଯାତ୍ରାରେ ରାମେଶ୍ବର ମନ୍ଦିର ଆସି ପୁରୁଷୋତ୍ତମ ରାମଚନ୍ଦ୍ର ଓ ତାଙ୍କ ଭାଇମାନଙ୍କ ପୂଜା ଆତିଥ୍ୟ ଗ୍ରହଣ କରି ଥାନ୍ତି। ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଓ ଜୟଦୁର୍ଗା ରଥ ଯାତ୍ରାରେ ଯାଆନ୍ତି,ଏହା ସୁବର୍ଣ୍ଣମୟ ରଥ ହୋଇ ଥିବାରୁ ଏହିରଥକୁ ରୁକୁଣାରଥ କୁହାଯାଏ।
ଓଡ଼ିଶାର ଗେଜେଟିଅରର୍ସ-ପୁରୀ (୧୯୭୭ ମସିହା) ତଥ୍ୟାନୁଯାୟୀ ବସନ୍ତ ପଞ୍ଚମୀ ଦିନ ମନ୍ଦିରର ବାଉରୀ ସେବାକୁ ନୂତନ ବସ୍ତ୍ର ଦେଇ ରଥକାଠ ସଂଗ୍ରହ କରିବାକୁ ବରଣ କରାଯାଏ। ସେମାନେ ଶିବରାତ୍ରିର ଆଠ ଦିନ ପୂର୍ବରୁ ଜଙ୍ଗଲକୁ ଯାଇ ସେଠାରେ ରଥକାଠ ଚୟନ ପୂର୍ବକ ପୂଜାର୍ଚ୍ଚନା କରି ମନ୍ଦିରକୁ ଆଣନ୍ତି ଏବଂ ଶିବରାତ୍ରି ପରେ ରଥ କାମ ଆରମ୍ଭ ହୁଏ। ଏହି ରଥ ଚାରିଚକ ବିଶିଷ୍ଟ ହୋଇଥିବାବେଳେ ଏହାର ଉଚ୍ଚତା ୩୫ ଫୁଟ ହୋଇଥାଏ। ରଥ ଉପରିସ୍ଥ ପତାକାରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ଅଙ୍କିତ ହୋଇଥାଏ। ରଥର ଚାରିପାର୍ଶ୍ବରେ ସୂର୍ଯ୍ୟ, ବରୁଣ, ଅଗ୍ନି, ଇନ୍ଦ୍ର, ଦୁର୍ଗା, ଶିବ, ଯମ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି କାଠରେ ଖୋଦିତ ହୋଇଥାଏ।ରଥଯାତ୍ରା ପୂର୍ବ ଦିନ ପୁରୀରୁ ନିମନ୍ତ୍ରିତ ହୋଇ ଆସିଥିବା କ୍ଷେତ୍ରବାସୀ ବ୍ରାହ୍ମଣଙ୍କ ଦ୍ବାରା ରଥ ମାର୍ଜନା ଓ ପବିତ୍ରକରଣ କରାଯିବା ପରେ ରଥ ଶୀର୍ଷରେ ପତାକା ଖଞ୍ଜାଯାଇଥାଏ। ଏହାକୁ ନେତ ଉତ୍ସବ କୁହାଯାଏ। ଏକାମ୍ର ପୁରାଣ ଅନୁଯାୟୀ, ଏହି ନେତ ଉତ୍ସବ ରାତିରେ କୌଣସି ବନ୍ଧ୍ୟାନାରୀ ମୁକ୍ତେଶ୍ବର ମନ୍ଦିରର ମରିଚିକୁଣ୍ଡରେ ଉଲଗ୍ନ ହୋଇ ସ୍ନାନ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ।
ଅଶୋକାଷ୍ଟମୀ ଦିନ ପ୍ରାତଃ କାଳରେ ପ୍ରଥମେ ମନ୍ଦିରର ମଙ୍ଗଳ ଆଳତୀ, ସାହାଣ ମେଲା, ମହାସ୍ନାନ ଓ ଅନ୍ୟପୂଜା ଆଦି ସମାପନ ପରେ ପ୍ରଥମେ ରୁକୁଣାରଥକୁ ପୂଜା କରାଯାଏ। ରଥର ମଝିରେ ଜୟଦୂର୍ଗା, ଡାହାଣ ପାର୍ଶ୍ବରେ ଚନ୍ଦ୍ରଶେଖର ଏବଂ ବାମ ପାର୍ଶ୍ବରେ ବାସୁଦେବ ବିରାଜମାନ ହୁଅନ୍ତି। ଏହାପରେ ରଥଟଣା ଆରମ୍ଭ ହୋଇଥାଏ। ରଥଟଣା ସରିବାପରେ ରଥଯାଇ ମାଉସୀମା’ଛକ ନିକଟରେ ଥିବା ରାମେଶ୍ବର ମନ୍ଦିରରେ ରହେ।ପ୍ରଭୁ ଲିଙ୍ଗରାଜ ସେଠାରେ ପାଞ୍ଚଦିନ ରହିପୁନର୍ବାର ନିଜମନ୍ଦିରକୁ ବାହୁଡି ଆସନ୍ତି। ଅଶୋକାଷ୍ଟମୀ ଉତ୍ସବ ଭୁବନେଶ୍ବର ସମେତ ନିରାକାରପୁର ନିକଟସ୍ଥ ଡିଆ ଗ୍ରାମର ଅଧୀଶ୍ବର କପିଳେଶ୍ବର ଓ ପୁରୀ ଜିଲ୍ଲାର ଷୋଳଶାସନ ଅର୍ନ୍ତଗତ ରାୟ ଚକ୍ରଧରପୁରର ନୀଳକଣ୍ଠେଶ୍ବର ଦେବଙ୍କ ଉଦ୍ଦେଶ୍ୟରେ ମଧ୍ୟ ପାଳିତ ହୁଏ।
ଶ୍ରୀମନ୍ଦିରେ ଅଶୋକାଷ୍ଟମୀ ନୀତି :-
ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିର ରେ ଅଶୋକାଷ୍ଟମୀ ନୀତି ପାଳିତ ହୋଇଥାଏ।ଏହିଦିନ ସକାଳଧୂପ ସରିବା ପରେ ଭଣ୍ଡାର ଘରୁ ଶ୍ରୀ ଲୋକନାଥ ମହାଜନ ମାନଙ୍କ ଦ୍ୱାରା ମୁକ୍ତି ମଣ୍ଡପ ନିକଟରେ ଥିବା ପାଲିଙ୍କି ରେ ବିଜେ ହୋଇ ଘଣ୍ଟ ଛତା ପଟୁଆର ରେ ବିମାନବଡୁ ମାନଙ୍କ ସ୍କନ୍ଧଆରୋହଣ କରି ଉତ୍ତର ଦ୍ୱାର ନିକଟରେ ଥିବା ଇଶାନେଶ୍ୱର ଙ୍କ ମନ୍ଦିର ନିକଟକୁ ବିଜେ କରନ୍ତି।ପୂର୍ବରୁ ପାଳିଆ ଖୁଣ୍ଟିଆ ଖଣ୍ଡେ ଅମୁଣିଆ ମାଳ ଧରି ସେଠାରେ ଉପସ୍ଥିତ ଥିବେ।ଗରବଡୁ ମଧ୍ୟ ହତୁଆଣି ଦେବା ନିମନ୍ତେ ସେଠାରେ ଉପସ୍ଥିତ ରହନ୍ତି।ଏହାପରେ ମହାଜନ ସେବକ ଲୋକନାଥ ଙ୍କୁ ଇଶାନେଶ୍ୱର ଙ୍କ ମନ୍ଦିର ଭିତରକୁ ବିଜେ କରାଇବା ଉତ୍ତାରେ ଭିତରଚ୍ଛ ମହାପାତ୍ର ଖୁଣ୍ଟିଆ ଙ୍କ ଠାରୁ ଉକ୍ତ ମାଳ ଟିକୁ ନେଇ ଇଶାନେଶ୍ୱର ଙ୍କୁ ଲାଗି କରାଇ ପରେ ଶ୍ରୀ ଲୋକନାଥ ଙ୍କୁ ଆଜ୍ଞାମାଳ ଭାବରେ ପ୍ରଦାନ କରାଇଥାନ୍ତି ।ଏହାପରେ ବିମାନବଡୁ ମାନେ ପାଲିଙ୍କି କୁ ସିଂହଦ୍ୱାର, ବଡ଼ଦାଣ୍ଡ ଦେଇ ଜଗନ୍ନାଥ ବଲ୍ଲଭ ରେ ବିଜେ କରାନ୍ତି।ସେଠାରେ ଶ୍ରୀଲୋକନାଥ ଙ୍କୁ ଭୋଗ , ବନ୍ଦାପନା ହେବା ସହ ଅଶୋକା କଢି ମଣୋହି ମଧ୍ୟ ହୋଇଥାଏ।ନୀତି ସମାପିତ ହେବାପରେ ଶ୍ରୀ ଲୋକନାଥ ଭଣ୍ଡାରଘର କୁ ବହୁଡାବିଜେ କରିଥାନ୍ତି।