ନକଲୀ ସାର କାରଖାନା ଠାବ: ୯ ଗିରଫ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ ଜାମମାଲରେ ଶୁକ୍ରବାର ପୋଲିସ ଏକ ନକଲୀ ସାର କାରଖାନା ଠାବ କରିଛି । ସେଠାରୁ ଗୋଟିଏ ପିକ୍‌ଅପ୍‌ ଗାଡ଼ି(ଓଡ଼ି-୨୧-ଏଚ୍‌-୫୯୫୪), ୨୫କି.ଗ୍ରା ବିଶିଷ୍ଟ ୬୦ ପକେଟ୍‌ ଲୁଣ, ୩୪ପକେଟ୍‌ ନକଲୀ ପଟାସ୍‌(ଏମଓପି) ସାର, ଏମଓପି ଲେଖାଥିବା ୩୬ପ୍ଲାଷ୍ଟିକ ବସ୍ତା, ଗୋଟିଏ କଲର ପକେଟ୍‌, ୨ଖାଲି କଲର ପକେଟ୍‌, ୬୦ଖାଲି ଲୁଣବସ୍ତା, ପକେଟ୍‌ ସିଲ୍‌ କରିବା ମେସିନ, ଓଜନ ମାପକ ଯନ୍ତ୍ର ଏବଂ ୭ଟି ମୋବାଇଲ ଫୋନ ଜବତ କରିଛି ।

ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ୯ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନେ ହେଲେ, ଗାଇସିଲେଟ ଥାନା ଜାମମାଲ ଗ୍ରାମର ହୃଷିକେଶ ସାହୁ(୩୦), ବଡ଼ସାହାଜବାହାଲର ଆକାଶ ସାହୁ(୨୭), ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଡୁମେରପାଲିର ବିଶ୍ୱାମିତ୍ର ସାହୁ(୨୪), ବାବୁଲୁ ତରିଆ(୨୪), ଡୁଙ୍ଗୁରିପାଲି ଥାନା କର୍ଲାଜୁରୀର ଭରତ ସାହୁ(୨୪), କାର୍ତ୍ତିକ ସାହୁ(୩୭), ସୁନିଲ ସାହୁ(୨୬), ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ମହୁଲପାଲିର ସତ୍ୟବାଦୀ ସାହୁ(୨୪) ଏବଂ ଲୋଇସିଂହା ଥାନା ଗଣ୍ଡପାଲିର ଗୌରାଙ୍ଗ ସାହୁ(୩୦) । ସେମାନଙ୍କ ବିରୋଧରେ ଗାଇସିଲେଟ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଏ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ଏସଡିପିଓ ବିଭୂତି ଭୂଷଣ ଭୋଇ ସୂଚନା ଦେଇ କହିଥିଲେ, ଜାମମାଲରେ ନକଲୀ ପଟାସ୍‌ ସାର ପ୍ରସ୍ତୁତ କରି ବିକ୍ରି ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଫଳରେ ଏସପି ପି.ଏସ୍‌ ମିନାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସେଠାରେ ଚଢ଼ାଉ କରିଥିଲା ଏବଂ ନକଲୀ ସାର ସହିତ ବ୍ୟବହୃତ ସାମଗ୍ରୀ ଜବତ ହୋଇଥିଲା । ହୃଷିକେଶ ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ତତ୍ତ୍ବାବଧାନରେ ନକଲୀ ସାର ପ୍ରସ୍ତୁତ କରାଯାଇ ପକେଟ୍‌ ପ୍ରତି ୧୨୦୦ ଟଙ୍କାରେ ବିକ୍ରି କରାଯାଉଥିଲା । ତେବେ କେବଳ ଚାଷୀମାନେ ସେଠାକୁ ଯାଉଥିଲେ, ତାହା ନୁହେଁ, ଏହି ନକଲୀ ସାର କାରଖାନାରୁ ବିଭିନ୍ନ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତାଙ୍କ ପାଖକୁ ମଧ୍ୟ ତାହା ଯୋଗାଇ ଦିଆଯାଉଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଏସଡ଼ିପିଓ ଭୋଇ କହିଛନ୍ତି । ଏହି କ୍ରମରେ ଘେଁସ୍‌ସ୍ଥିତ ଶଙ୍କର ଟ୍ରେଡ଼ର୍ସ ସାର ଦୋକାନକୁ ୧୪୦ପକେଟ୍‌ ନକଲୀ ସାର ଯାଇଥିବା ତଦନ୍ତରୁ ଜଣାପଡ଼ିଛି । ଏହା ଜଣାପଡ଼ିବା ପରେ ସେହି ଦୋକାନକୁ ସିଲ୍‌ ସହିତ ଲାଇସେନ୍ସ ବାତିଲ ପ୍ରକିୟା ଚାଲିଛି ବୋଲି ଏସଡ଼ିପିଓ ଭୋଇ ସୂଚନା ଦେଇଛନ୍ତି ।

Comments are closed.