ଲାଞ୍ଚ ନେବାବେଳେ ଜିଏସଟି ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ଜଗତସିଂହପୁର – ମାମଲା ବନ୍ଦ କରିବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଣିଜ୍ୟକର ଓ ଜିଏସଟିର ପାରାଦୀପ ଏନଫୋର୍ସମେଣ୍ଟ ୟୁନିଟ୍ ଅଫିସର ଚିତ୍ତରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହା ସହ ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କ ଅଫିସ ଆଲମାରୀରୁ ନଗଦ ୧ ଲକ୍ଷ ଟଙ୍କା ମିଳିଛି। ଏହି ଟଙ୍କା କେଉଁଠୁ ଆସିଲା, ତାହାର ଖୋଳତାଡ଼ କରୁଛି ଭିଜିଲାନ୍ସ। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତିଙ୍କ ଜିଏସଟି ମାମଲା ବନ୍ଦ କରିବା ପାଇଁ ଚିତ୍ତରଞ୍ଜନ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଚିତ୍ତରଞ୍ଜନ ଲାଞ୍ଚ ମାଗୁଥିବା ନେଇ ସମ୍ପୃକ୍ତ ବ୍ୟକ୍ତି ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଶୁକ୍ରବାର ଅପରାହ୍ନରେ ପାରାଦୀପ ସ୍ଥିତ ଅଫିସରେ ଚିତ୍ତରଞ୍ଜନ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଯୋଜନା ଅନୁସାରେ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ମାଡି ବସିଥିଲେ। ଏହା ପରେ ଚିତ୍ତରଞ୍ଜନଙ୍କ ଅଫିସ ଚାମ୍ବର, କଟକ ସିଡିଏରେ ଥିବା ୨ ମହଲା କୋଠା, କେନ୍ଦ୍ରାପଡ଼ାର କପିଳେଶ୍ବରରେ ଥିବା ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି ।

Comments are closed.