ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି ସମୀକ୍ଷା କଲେ ୫-ଟି ସଚିବ 

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି. କେ ପାଣ୍ଡିଆନ ଆଜି ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ନିର୍ମିତ ହେଉଥିବା ଏହି କ୍ରୀଡା କମ୍ପ୍ଲେକ୍ସରେ କ୍ରିକେଟ ଷ୍ଟାଡିୟମ୍, ମଲଟି ପରପୋଜ୍ ଇଣ୍ଡୋର ହଲ୍ ଓ ସୁଇମିଂ ପୁଲ ନିର୍ମାଣ କରାଯାଉଛି। ମଲ୍ଟି ପରପୋଜ୍ ଇଣ୍ଡୋର ହଲରେ ବକ୍ସିଂ, ରେସ୍ଲିଂ, ଜିମ୍ନାଷ୍ଟିକ୍ସ, ଟେବୁଲ ଟେନିସ ଆଦି କ୍ରୀଡାର ସୁବିଧା କରାଯାଉଛି। ଏହା ସହିତ ଏକ ୧୦୦ ସିଟ୍ ବିଶିଷ୍ଟ ହଷ୍ଟେଲ ମଧ୍ୟ ନିର୍ମାଣ କରାଯାଉଛି।

୨୦୧୮ ରେ ମୁଖ୍ୟମନ୍ତ୍ରୀ ଏହି କ୍ରୀଡା କମ୍ପ୍ଲେକ୍ସର ଶୁଭ ଦେଇଥିଲେ।

ସମୀକ୍ଷାରୁ ଜଣାଯାଇଛି ଯେ କ୍ରିକେଟ ଷ୍ଟାଡିୟମ, ସୁଇମିଂ ପୁଲ୍ ଓ

ଜିମ୍ନାସିୟମ୍ର କାମ ସମ୍ପୂର୍ଣ୍ଣ ହୋଇଛି। ଖୁବ୍ ଶୀଘ୍ର ଏହି ଷ୍ଟାଡିୟମ ଲୋକାର୍ପିତ ହେବ ।

ପୁରୀକୁ ଏକ ବିଶ୍ବସ୍ତରୀୟ ଐତିହ୍ୟ ସ୍ଥଳରେ ରୂପାନ୍ତର କରିବା ପାଇଁ ଏହି କ୍ରୀଡା କମ୍ପ୍ଲେକ୍ସର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ ବୋଲି ୫-ଟି ସଚିବ କହିଛନ୍ତି।

୫-ଟି ସଚିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ , ମ୍ୟୁନିସିପାଲ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ମଧ୍ଯ ବୁଲି ଦେଖିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ପାଣ୍ଡିଆନ ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥଙ୍କ ହେରିଟେଜ କରିଡର, ଶ୍ରୀସେତୁ ଓ ଜଗନ୍ନାଥ ବଲ୍ଲଭ ପରିଦର୍ଶନ କରି ସମୀକ୍ଷା କରିଥଲେ।

ପ୍ରତି ଶନିବାର ପୁରୀ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ୫-ଟି ସଚିବ ଆଜି ପୁଣି ପୁରୀ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ତାଙ୍କ ସହିତ ପୁରୀ ଜିଲ୍ଲାପାଳ ଉପସ୍ଥିତ ଥିଲେ।

Comments are closed.