କାମଦା ଏକାଦଶୀ ତିଥି, ସମସ୍ତ କାର୍ଯ୍ୟ ସିଦ୍ଧି ପ୍ରଦାନ କାରୀ ବ୍ରତ

ଧର୍ମରାଜ ଯୁଧିଷ୍ଠିରଙ୍କୁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି – ପ୍ରାଚୀନକାଳରେ ଭୋଗପୁରୀ ନଗରରେ ଐଶ୍ୱର୍ଯ୍ୟରେ ଭରା ରାଜା ପୁଣ୍ଡରିକ ଶାସନ କରୁଥିଲେ । ଭୋଗପୁର ନଗରୀରେ ଅପ୍ସରା, କିନ୍ନର ଏବଂ ଗନ୍ଧର୍ବମାନେ ବାସ କରୁଥିଲେ । ଗନ୍ଧର୍ବମାନଙ୍କ ମଧ୍ୟରୁ ଲଳିତା ଏବଂ ଲଳିତ ନାମକ ସ୍ୱାମୀ ସ୍ତ୍ରୀ ଅତ୍ୟନ୍ତ ବୈଭବଶାଳୀ ଘରେ ରହୁଥିଲେ ।

ଥରେ ପୁଣ୍ଡରିକଙ୍କ ରାଜସଭାରେ ଗନ୍ଧର୍ବମାନଙ୍କ ସହିତ ଲଳିତ ଗୀତ ବୋଲୁଥିଲେ । ଲଳିତ ମଧ୍ୟ ଗୀତ ଗାଉଥିବା ବେଳେ ପତ୍ନୀ ଲଳିତାଙ୍କୁ ଧ୍ୟାନ କରି ଗୀତର ଲୟ ଭାଙ୍ଗିଦେଲେ । କାର୍କୋଟ ନାମକ ନାଗ ଗୀତର ଲୟର ଏପଟ ସେପଟ ହେବାର କାରଣ ଜାଣିପାରି ସେ ରାଜାଙ୍କୁ ସୂଚାଇଦେଲେ । ରାଜା ପୁଣ୍ଡରିକ କ୍ରୁଦ୍ଧ ହୋଇ ଲଳିତଙ୍କୁ କହିଲେ- ମୋ ସମ୍ମୁଖରେ ଗୀତ ବୋଲୁଥିବା ବେଳେ ପତ୍ନୀଙ୍କୁ ସ୍ମରଣ କରୁଛ …. ତୁମେ ରାକ୍ଷସ ହୁଅ, ତୁମେ ତୁମ କର୍ମର ଫଳ ଭୋଗ ।

ପୁଣ୍ଡରିକଙ୍କ ଅଭିଶାପରେ ଲଳିତ ରାକ୍ଷସ ହୋଇ ଦୁଃଖ ଭୋଗିବାକୁ ଲାଗିଲେ । ଯେତେବେଳେ ପତ୍ନୀ ଲଳିତାଙ୍କୁ ଜଣାପଡ଼ିଲା ତାଙ୍କ ସ୍ୱାମୀ ରାକ୍ଷସ ହୋଇ ବଣଜଙ୍ଗଲରେ ବୁଲୁଛନ୍ତି, ସେ ଦୁଃଖୀ ହୋଇ ସ୍ୱାମୀଙ୍କୁ ଉଦ୍ଧାର କରିବା ଲାଗି ଚିନ୍ତା କଲେ । ସ୍ୱାମୀଙ୍କୁ ଉଦ୍ଧାର କରିବା ଲାଗି ଲଳିତା ସ୍ୱାମୀଙ୍କ ପଛେପଛେ ଯାଇ ବିନ୍ଧ୍ୟାଞ୍ଚଳ ପର୍ବତରେ ପହଞ୍ଚିଲେ । ସେଠାରେ ଶୃଙ୍ଗି ଋଷିଙ୍କ ଆଶ୍ରମକୁ ଯାଇ ଋଷିଙ୍କୁ ଭେଟି ଲଳିତା ନିଜର ଦୁଃଖ ବଖାଣିଲେ । ଋଷି ସମସ୍ତ କଥା ଶୁଣି କହିଲେ- ହେ ଗନ୍ଧର୍ବ କନ୍ୟା, ଏବେ ଚୈତ୍ର ଶୁକ୍ଳ ଏକାଦଶୀ ଆସୁଛି I ତାହାକୁ କାମଦା ଏକାଦଶୀ କୁହାଯାଏ । ଏହି ଏକାଦଶୀ ବ୍ରତ କଲେ ସମସ୍ତ କାର୍ଯ୍ୟ ସିଦ୍ଧ ହେବ । ଏହାର ପୁଣ୍ୟରୁ ସ୍ୱାମୀ ଶିଘ୍ର ମୁକ୍ତି ହେବେ।ଲଳିତା ବିଧିବଦ୍ଧ ଭାବେ ଏକାଦଶୀ ବ୍ରତ ପାଳନ କଲେ। ସ୍ୱାମୀ ରାକ୍ଷସମୁକ୍ତ ହୋଇ ସାଧାରଣ ପୁରୁଷ ରୂପ ଫେରି ଆସିଲେ । ଏହି ବ୍ରତ କରିବାଦ୍ୱାରା ସେମାନେ ସ୍ୱର୍ଗଲୋକ ପ୍ରାପ୍ତି ହୋଇଥିଲେ ।

Comments are closed.