ପବିତ୍ର ଅକ୍ଷୟ ତୃତୀୟାରେ ଓୟୁଏଟି ପରିସରରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ : କୃଷି ଓ କୃଷକଙ୍କ ପାଇଁ କାର୍ଯ୍ୟକାରୀ ହେଉଛି ଏକାଧିକ ଯୋଜନା

ଭୁବନେଶ୍ୱର – ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି କୃଷିଭିତ୍ତିକ ପର୍ବରେ ଅଖି ମୁଠି ଅନୁକୂଳ ହୁଏ । ଆଜି ଅଖି ମୁଠି ଅନୁକୂଳ କରନ୍ତି ଚାଷୀ । ନୂଆ ଧାନ ନେଇ କ୍ଷେତରେ ବୁଣି ହଳ କରିବେ ଚାଷୀମାନେ। ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ବର ଓୟୁଏଟି ପରିସରରେ ରାଜ୍ୟସ୍ତରୀୟ ଉତ୍ସବରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଓୟୁଏଟିର ଶୈକ୍ଷିକ କୃଷି ଫାର୍ମରେ ଭୂମିପୂଜା କରିବା ସହ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ । ହାତରେ ଲଙ୍ଗଳ ଧରି ଜଗା ବଳିଆ ବଳଦ ସାହାଯ୍ୟରେ ଅଖିମୁଠି ଅନୁକୂଳ କରିଛନ୍ତି । ଆଜିର ଦିବସକୁ ରାଜ୍ୟ ସରକାର କୃଷକ ଦିବସ ଭାବେ ପାଳନ କରୁଛନ୍ତି । ଏହି ଅବସରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଯୋଗଦେଇଥିଲେ ।

କୃଷିର ବିକାଶ ଓ କୃଷକଙ୍କ ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି l ଚାଷୀଙ୍କୁ ଦିଆଯାଉଛି ‘କାଳିଆ ସହାୟତା’ । ଏହି ଯୋଜନାରେ ଚାଷୀଙ୍କୁ ରାଜ୍ୟ ସରକାର ବର୍ଷକୁ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଦେଉଛନ୍ତି l ଏଥିରେ ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେଉଛନ୍ତି l ସେହିପରି ବଳରାମ ଓ ଅନ୍ୟ ଯୋଜନାରେ ମଧ୍ୟ ସହାୟତା ଦିଆଯାଉଛି l ବିନାସୁଧରେ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ଯାଏ କୃଷିଋଣ ଦିଆଯାଉଛି l ଏହାଛଡା ସ୍ଵତନ୍ତ୍ର କୃଷି ବଜେଟର ବ୍ୟବସ୍ଥା କରାଯାଇଛି। ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି l

Comments are closed.