ବ୍ରହ୍ମପୁର ଠାକୁରାଣୀ ଯାତ୍ରା : ଅସ୍ଥାୟୀ ମଣ୍ଡପରେ ମା' ଙ୍କୁ ଦର୍ଶନ କଲେ ୫-ଟି ସଚିବ, ମୁଖ୍ୟ ମନ୍ଦିରର ହେବ ବହୁମୁଖୀ ବିକାଶ | News Room Odisha

ବ୍ରହ୍ମପୁର ଠାକୁରାଣୀ ଯାତ୍ରା : ଅସ୍ଥାୟୀ ମଣ୍ଡପରେ ମା’ ଙ୍କୁ ଦର୍ଶନ କଲେ ୫-ଟି ସଚିବ, ମୁଖ୍ୟ ମନ୍ଦିରର ହେବ ବହୁମୁଖୀ ବିକାଶ

ବ୍ରହ୍ମପୁର: ଆସନ୍ତା କାଲି ରାତିରେ ସରିବ ବ୍ରହ୍ମପୁର ବୁଢ଼ି ଠାକୁରାଣୀ ଯାତ୍ରା। ଦୁଇ ବର୍ଷକୁ ଥରେ ହେଉଥିବା ମା’ ସାଆନ୍ତାଣୀଙ୍କ ଏହି ଯାତ୍ରା ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ଶ୍ରଦ୍ଧାଳୁଙ୍କ ସକାଶେ ଭକ୍ତିଭାବରେ ପରିପୂର୍ଣ୍ଣ ଏକ ଆଧ୍ୟାତ୍ମିକ ମହୋତ୍ସବ ଅଟେ। ଏଥିରେ ସେମାନଙ୍କ ଭାବାବେଗ ବେଶ୍ ଗଭୀର ଭାବେ ଜଡ଼ିତ। ଆଉ ସେହି ଭକ୍ତିପୂତ ଭାବାବେଗ ସହ ଜଡ଼ିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ୍। ସେ ରବିବାର ସନ୍ଧ୍ୟାରେ ଦେଶୀବେହେରା ସାହିରେ ଅସ୍ଥାୟୀ ମଣ୍ଡପରେ ମା’ ଠାକୁରାଣୀଙ୍କ ଦର୍ଶନ ଓ ପୂଜା ଅର୍ଚ୍ଚନା କରିଛନ୍ତି। ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ଦେବୀଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି। ଏଥିସହ ସେ ଲକ୍ଷ ଲକ୍ଷ ଭକ୍ତଙ୍କ ଶ୍ରଦ୍ଧା ଜଡ଼ିତ ମା’ ଠାକୁରାଣୀଙ୍କ ମୂଳ ମନ୍ଦିରର ସାମଗ୍ରିକ ବିକାଶ ନେଇ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି। ପୀଠକୁ କିଭଳି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରୂପେ ବିକଶିତ କରାଯିବ ତାହା ବାବଦରେ ବିଚାର ବିମର୍ଷ କରିଛନ୍ତି ୫-ଟି ସଚିବ। ଏଥିପାଇଁ ଏକ ବ୍ଲୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି।

ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ଡା. ସର୍ବଣା ବିବେକ ଏମ୍ ଓ ବହୁ ନିର୍ବାଚିତ ଜନ ପ୍ରତିନିଧି ଉପସ୍ଥିତ ଥିଲେ। ୫-ଟି ସଚିବଙ୍କ ଗସ୍ତ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୦୭ ଓ ୨୦୦୯ ମସିହାରେ ଗଞ୍ଜାମରେ ଜିଲ୍ଲାପାଳ ଥିବା ସମୟରେ ଶ୍ରୀ ପାଣ୍ଡିଆନ ଦୁଇ ଦୁଇ ଥର ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ସୁପରିଚାଳନା କରିଥିଲେ । ଏହା ପୂର୍ବରୁ ୨୦୧୭ ମସିହା ଏପ୍ରିଲ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ବୁଢ଼ି ଠାକୁରାଣୀ ଯାତ୍ରା ଦର୍ଶନ କରିଥିଲେ।