୯୪ ବର୍ଷ ପୁରୁଣା ଇଚ୍ଛାପୁର ପୋଲ ଭାଙ୍ଗିଗଲା, ଓଡ଼ିଶା ସହ ଆନ୍ଧ୍ରକୁ ଯୋଡୁଥିଲା | News Room Odisha

୯୪ ବର୍ଷ ପୁରୁଣା ଇଚ୍ଛାପୁର ପୋଲ ଭାଙ୍ଗିଗଲା, ଓଡ଼ିଶା ସହ ଆନ୍ଧ୍ରକୁ ଯୋଡୁଥିଲା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଇଚ୍ଛାପୁର ଠାରେ ଥିବା ବ୍ରିଟିଶ ଅମଳର ପୁରାତନ ପୋଲଟି ଆଜି ସକାଳ ପ୍ରାୟ ୫ଟା ବେଳେ ଭାଙ୍ଗିଯାଇଛି। ଉଭୟ ରାଜ୍ୟର ସୀମାରେ ପ୍ରବାହିତ ହୋଇ ଓଡ଼ିଶାର ପାତିସୁନାପୁର ଠାରେ ବଙ୍ଗୋପସାଗରରେ ମିଶିଥିବା ବାହୁଦା ନଦୀ ଉପରେ ଏହି ପୋଲ ୧୯୨୯ ମସିହାରେ ନିର୍ମିତ ହୋଇଥିଲା। ତତ୍କାଳୀନ ଓଡ଼ିଆ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ନାମରେ ଏହା ନାମିତ ହୋଇଥିଲା ଓ ମାଡ୍ରାସ ଗଭର୍ଣ୍ଣରଙ୍କ ଦ୍ବାରା ଉଦଘାଟିତ ହୋଇଥିଲା। ଫଳରେ ଇଚ୍ଛାପୁର ସହର ଦେଇ ଆନ୍ଧ୍ର – ଓଡ଼ିଶା ମଧ୍ୟରେ ଯାଆସ କରୁଥିବା ଗାଡ଼ି ମୋଟର ପାଇଁ ଏହା ଯୋଗାଯୋଗର ମାଧ୍ୟମ ଥିଲା। ଏପରିକି ଓଡ଼ିଶା (ଗଞ୍ଜାମ) ସୀମାବର୍ତ୍ତୀ ଆନ୍ଧ୍ରପ୍ରଦେଶର ପ୍ରଥମ ସହର ଇଚ୍ଛାପୁରକୁ ସେହି ରାଜ୍ୟର ଅନ୍ୟ ଅଞ୍ଚଳ ସହ ଯୋଡ଼ି ରଖୁଥିଲା। ତେବେ କିଛି ବର୍ଷ ତଳେ ଜାତୀୟ ରାଜପଥ- ୫ ବାଇପାସ୍ ନିର୍ମାଣ ବା ନିକଟ ଅତୀତରେ ପରିବର୍ତ୍ତିତ ଜାତୀୟ ରାଜପଥ- ୧୬କୁ ଚାରି ଲେନ୍ ସମ୍ପ୍ରସାରିତ କରାଯିବା ପରେ ଏହି ପୋଲ ଉପରେ ଯାତାୟାତ ବେଶ୍ ହ୍ରାସ ପାଇଥିଲା। ତଥାପି ଦୁଇ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳବାସୀ, ଦୁଇ ରାଜ୍ୟ ମଧ୍ୟରେ ଚଳାଚଳ କରୁଥିବା ବସ୍ ଏହି ପୋଲକୁ ଏବେ ମଧ୍ୟ ବ୍ୟବହାର କରି ଆସୁଥିଲେ। ଅପରପକ୍ଷରେ ଦୁର୍ବଳ ଅବସ୍ଥାରେ ଥିବା ଏହି ପୋଲକୁ ଆନ୍ଧ୍ର ସରକାରଙ୍କ ଦ୍ବାରା ବାରମ୍ବାର ମରାମତି କରି କାମ ଚଳାଇ ନିଆଯାଉଥିଲା।

ଆଜି ସକାଳ ପ୍ରାୟ ୫ଟା ବେଳେ ଏକ ଗ୍ରାନାଇଟ୍ ପଥର ବୋଝେଇ ବଡ଼ ଟ୍ରକ୍ (ଏପି୨୭ୟୁବି- ୨୩୦୪) ଉକ୍ତ ସଂକୀର୍ଣ୍ଣ ପୋଲ ଦେଇ ଇଚ୍ଛାପୁରରୁ ପାଲାସା ଯାଉଥିବା ବେଳେ ପଛ ଚକ ପଙ୍କଚର୍ ହୋଇ ଯାଇଥିଲା। ଭାରୀ ଟ୍ରକଟି ପୋଲ ଉପରେ ମରାମତି ସକାଶେ ଅଟକି ରହି ଥିବା ବେଳେ ଅତ୍ୟଧିକ ଭାର ସହି ନପାରି ପୋଲଟି ପ୍ରଥମେ ଦବିଯିବା ପରେ ପୁରା ଭାଙ୍ଗି ଯାଇଥିଲା। ଟ୍ରକ୍ ଚାଳକ ଓ ହେଲପର୍ ଗାଡ଼ିରୁ ଓହ୍ଲାଇ ଯାଇଥିବାରୁ ବର୍ତ୍ତି ଯାଇଥିଲେ। ସେମାନେ ଏହି ଅଘଟଣ ପରେ ଚମ୍ପଟ ମାରିଛନ୍ତି। ଭୋର ସମୟରେ ଅନ୍ୟ କୌଣସି ଗାଡ଼ି ଚଳାଚଳ କରୁ ନଥିବାରୁ ଏକ ବଡ଼ ଅଘଟଣ ଟଳି ଯାଇଛି। ଇଚ୍ଛାପୁର ଥାନା ପୋଲିସ ସେଠାରେ ପହଞ୍ଚିଛି। ଏବେ ସବୁ ଗାଡ଼ି ମୋଟର ରାଜପଥ ଦେଇ ଲମ୍ବା ଦୂରତା ଅତିକ୍ରମ କରି ଯାଆସ କରୁଛନ୍ତି।