'ଦି କେରଳ ଷ୍ଟୋରି' ରିଲିଜ୍ ଉପରେ ରୋକ୍ ପାଇଁ ପିଟିସନ୍, କେନ୍ଦ୍ର ଓ ନିର୍ମାତାଙ୍କୁ କେରଳ ହାଇକୋର୍ଟଙ୍କ ନୋଟିସ୍ | News Room Odisha

‘ଦି କେରଳ ଷ୍ଟୋରି’ ରିଲିଜ୍ ଉପରେ ରୋକ୍ ପାଇଁ ପିଟିସନ୍, କେନ୍ଦ୍ର ଓ ନିର୍ମାତାଙ୍କୁ କେରଳ ହାଇକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ : ‘ଦି କେରଳ ଷ୍ଟୋରି’କୁ ନେଇ ବିବାଦ ଥମୁନି । ଏହି ଫିଲ୍ମକୁ ବ୍ୟାନ୍ କରିବାକୁ ଦାବି କରି ଦାୟର ଏକ ପିଟିସନ୍ ଆଧାରରେ କେରଳ ହାଇକୋର୍ଟ କେନ୍ଦ୍ର ଏବଂ ଏହି ଫିଲ୍ମର ନିର୍ମାତାଙ୍କଠାରୁ ଜବାବ ଲୋଡିଛନ୍ତି।

ଫିଲ୍ମ ‘କେରଳ ଷ୍ଟୋରି’ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟରେ ମଧ୍ୟ ଏକ ପିଟିସନ ଦାଖଲ କରାଯାଇଛି। ଏହି ଚଳଚ୍ଚିତ୍ର ହେଟ୍ ସ୍ପିଚକୁ ପ୍ରୋତ୍ସାହିତ କରୁଛି ବୋଲି ଆବେଦନରେ କୁହାଯାଇଛି । ତେବେ ସୁପ୍ରିମକୋର୍ଟ ଏହାର ଶୀଘ୍ର ଶୁଣାଣି କରିବାକୁ ମନା କରି ଦେଇଛନ୍ତି।

କେରଳରେ କିପରି ଲଭ୍ ଜିହାଦ୍ ଦ୍ୱାରା ଅନ୍ୟ ଧର୍ମର ଯୁବତୀଙ୍କୁ ଫସାଇ ଆତଙ୍କବାଦୀ ସଂଗଠନ ‘ଇସଲାମିକ ଷ୍ଟେଟ୍ (ଆଇଏସ୍)’ରେ ସାମିଲ ହେବାକୁ ବାଧ୍ୟ କରାଯାଉଛି ତାହା ଏହି ଫିଲ୍ମର କଥାବସ୍ତୁ । ‘ଦି କେରଳ ଷ୍ଟୋରି’ ଏଭଳି ୩୨,୦୦୦ ଝିଅଙ୍କ କାହାଣୀ ଉପରେ ପର୍ଯ୍ୟବେସିତ ବୋଲି ଚଳଚ୍ଚିତ୍ରର ନିର୍ମାତା ଦାବି କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ସୁଦୀପ୍ତ ସେନ୍। ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଏହାକୁ ନେଇ ବିବାଦ ଲାଗି ରହିଛି।

ତେବେ କେରଳର ଶାସକ ବାମପନ୍ଥୀ ଡେମୋକ୍ରାଟିକ୍ ଫ୍ରଣ୍ଟ ଓ କଂଗ୍ରେସ ଏହି ଫିଲ୍ମକୁ ସଂଘ-ବିଜେପି ପ୍ରାୟୋଜିତ ଏକ ‘ପ୍ରୋପାଗଣ୍ଡା’ ବୋଲି କହିଛନ୍ତି । ରାଜ୍ୟର ୩୨ ହଜାର ଯୁବତୀ ଲଭ୍ ଜିହାଦର ଶିକାର ହେବା ଓ ଆଇଏସରେ ସାମିଲ ହେବା ନେଇ ଫିଲ୍ମରେ ଯେଉଁ ଦାବି କରାଯାଇଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି କେରଳର ବାମପନ୍ଥୀ ସରକାର କହିଛନ୍ତି ‌‌। କଂଗ୍ରେସ ସାଂସଦ ଶଶି ଥରୁର ମଧ୍ୟ ଏହି କଥା କହିଛନ୍ତି ।